ଜେଲରୁ ମୁକୁଳିଲେ ନାଚିକା ଲିଙ୍ଗା: ହିଂସାକୁ ନା, ଜନସେବା ଜାରି ରହିବ

କୋରାପୁଟ: ‌ଜେଲରୁ ମୁକୁଳିଛନ୍ତି ଚାଷୀ ମୁଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଆଜି କୋରାପୁଟ ସହକାରୀ ଜୌରାଜଜ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜେଲରୁ ବାହାରିବା ପରେ ସେ କହିଛନ୍ତି ଯେ, ତାଙ୍କୁ ଜାମିନ ମିଳିଥିବାରୁ ସେ ଆଇନ ବ୍ୟବସ୍ଥା, ସରକାର ଓ କୋରାପୁଟବାସୀଙ୍କୁ ଧନ୍ୟବାଦ ଦେଉଛନ୍ତି। ଆଗକୁ ସେ ଜନସେବା ଜାରି ରଖିବେ ବୋଲି କହିଥିଲାବେଳେ କୌଣସି ହିଂସାତ୍ମକ କାମରେ ଜଡିତ ହେବେ ନାହିଁ ସୂଚନା ଦେଇଛନ୍ତି।

ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗା ୨୦୧୪ ଅକ୍ଟୋବର ୨୮ରେ ଗିରଫ ହୋଇ କୋରାପୁଟ ସର୍କଲ ଜେଲରେ ଅଛନ୍ତି। ତାଙ୍କ ନାମରେ ବହୁ ମାମଲା ରହିଥିଲାବେଳେ ଏହାର ବିଚାର ଚାଲିଥିଲା। ଏ ଭିତରେ ସେ ୪୪ ଟି ମାମଲାରେ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଥିଲେ। କିନ୍ତୁ ତାଙ୍କ ନାମରେ ଆଉ ଥାନା ଆକ୍ରମଣ ନେଇ ନାରାୟଣପାଟଣା ଥାନାରେ ଏକ ମାମଲା ରହିଥିବାରୁ ସେ ଜେଲରୁ ମୁକୁଳି ପାରି ନ ଥିଲେ। ଗତ ୪ ତାରିଖରେ ଏହି ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଏ ସଂପର୍କିତ କାଗଜପତ୍ର ଆଜି କୋରାପୁଟ ସହକାରୀ ଦୌରା ଜଜଙ୍କ ଅଦାଲତରେ ଦାଖଲ କରାଯିବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କାର ମୁଚାଲିକାରେ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ସେ ଜେଲରୁ ବାହାରିଛନ୍ତି। ତେବେ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି। ଏହି ମାମଲାରେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ, ବିଚାର ତାରିଖରେ ଅଦାଲତରେ ବୃକ୍ତିଗତ ଭା‌ବେ ଉପସ୍ଥିତ ରହି‌ବେ, ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ଅଦାଲତଙ୍କ ବିନା ଅନୁମତିରେ କୋରାପୁଟ ଛାଡି ବାହାରକୁ ଯାଇ ପାରିବେ ‌ନାହିଁ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି।

ଆଜି ଜେଲରୁ ମୁକୁଳିବା ପରେ ସରକାର ଓ ଆଇନ ବ୍ୟବସ୍ଥାକୁ କୃତଜ୍ଞତା ଜଣାଇଛନ୍ତି ନାଚିକା। ସେ କହିଛନ୍ତି ଯେ, ଆଇନ ବ୍ୟବସ୍ଥ ଉପରେ ତାଙ୍କର ଭରସା ରହିଥିଲା। ଏବେ ଜେଲରୁ ବାହାରିଥିବାରୁ ସେ ଖୁସି। ଆଗାମୀ ଦିନରେ ସେ ଜନସେବା ଜାରି ରଖିବେ। ତେବେ କୌଣସି ହିଂସାତ୍ମକ କାମରେ ଜଡିତ‌ ହେବେ ନାହିଁ। ଗଣତାନ୍ତ୍ରିକ ପଦ୍ଧତିରେ ଲୋକଙ୍କ ଭଲ ପାଇଁ କାମ କରିବେ। ମହିଳାଙ୍କ ଉନ୍ନତି ପାଇଁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର