ନଛିପୁରା ନିର୍ବାଚନୀ ହିଂସା: ୩୦ ଜଣଙ୍କ ନାଁରେ ମାମଲା

କାଳିଆପାଣି : ସୁକିନ୍ଦା ନିର୍ବାଚନମଣ୍ଡଳୀର ଟମକା ଥାନା ନଛିପୁରା ଗାଁରେ ଗତକାଲି ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ୧୦ ନମ୍ବର ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଥିବା ଧର୍ମଶାଳା ମୋହନପୁର ଏକାଡେମିର ବ୍ଲକଗ୍ରାଣ୍ଟ୍ ଶିକ୍ଷକ ବିମ୍ବାଧର ଜେନାଙ୍କୁ ଦୁଇଘଣ୍ଟା ଧରି ଅଟକ ରଖିବା ସହ ତାଙ୍କୁ ଟଣାଓଟରା କରି ଭୋଟ୍‌ ବାକ୍ସ ଛଡ଼ାଇନେବା ଉଦ୍ୟମ କରିଥିଲେ। ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ତାଙ୍କୁ ମାଡ଼ ମାରିଥିଲେ। ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର ଉଦ୍ୟମ କରୁଥିବା ସମୟରେ ଲୋକେ ଥାନାର ବୋଲେରୋ (ଓଡି-୦୫ଏମ୍‌ ୦୭୩୯)ର କାଚ ଭାଙ୍ଗି ଦେଇଥିଲେ ।

ଗତକାଲି ରାତି ପ୍ରିଜାଇଡିଂ ଅଫିସର ଶ୍ରୀ ଜେନା ଥାନାକୁ ଆସି ପରିସ୍ଥିତି ସଂପର୍କରେ ଏତଲା ଦେଇଥିଲେ। ଜନୈକ ସରପଞ୍ଚ ପ୍ରାର୍ଥୀ, ଶୁକ, ଗୌରୀ ଓ ଅଭିନ୍ନଙ୍କ ନେତୃତ୍ବରେ ୩୦ ଜଣରୁ ଅଧିକ ଦଙ୍ଗାକାରୀଙ୍କୁ ଉସ୍କେଇବା ସହ ଗଣ୍ଡଗୋଳରେ ସାମିଲ ଥିଲେ ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଆଇପିସି ଦଫା ୧୪୩, ୧୪୭, ୧୪୮, ୩୪୧, ୩୨୩, ୨୯୪, ୩୩୬, ୪୨୭, ୫୦୬ ଓ ୧୪୯ ଥାଇ ଥାନାରେ ଏକ କେସ୍ ୨୪/୨୨ ରୁଜୁ ହୋଇଛି। ଆଜି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲେ ମଧ୍ୟ ଅଭିଯୁକ୍ତମାନେ ଫେରାର୍ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଗତକାଲି ଦାନଗଦୀ ବ୍ଲକ ନଛିପୁରାସ୍ଥିତ ବୀଣାପାଣି ନୋଡାଲ ଉପ୍ରା ସ୍କୁଲ କ୍ଲଷ୍ଟର ବୁଥ୍‌ରେ ପ୍ରଶାସନ ପକ୍ଷରୁ ୫ଟି ୱାର୍ଡ ପାଇଁ ମତଦାନ ବ୍ୟବସ୍ଥା ହୋଇଥିଲା। ୫ଟିଯାକ ବୁଥ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହୋଇଥିଲା। ପ୍ରିଜାଇଡିଂ ଅଫିସରଙ୍କୁ ଛାଡ଼ି ଅନ୍ୟ ସମସ୍ତ ପୁଲିଂ ଟିମ୍‌ ବସ୍‌ ଯୋଗେ ବସି କିଛିବାଟ ପଳାଇଥିଲେ।‌ ପ୍ରିଜାଇଡିଂ ଅଫିସର ଶ୍ରୀ ଜେନାଙ୍କଠାରୁ ଫୋନ୍‌ କଲ୍‌ ପାଇ ସହକର୍ମୀ ଓ ସହଯୋଗୀ ପୁଲିଂ ଟିମ୍‌ ନଛିପୁରା ଫେରିଥିଲେ। ଏହି ସମୟରେ କିଛି ବ୍ୟକ୍ତି ପ୍ରିଜାଇଡିଂ ଅଫିସରଙ୍କୁ ଘେରାଉ କରି ଦୁର୍ବ୍ୟବହାର କରିବା ସହ ଭୋଟ୍‌ ବାକ୍ସ ଝିଙ୍କିନେଇ ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସ ପହଞ୍ଚିଯିବାରୁ ସେମାନଙ୍କ ଯୋଜନା ପଣ୍ଡ ହୋଇଥିଲା।

ସମ୍ବନ୍ଧିତ ଖବର