ଜଗତସିଂହପୁର: ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡ଼ିଆରେ ନଦୀ ଉତ୍ସବ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉଦ୍‌ଘାଟନ କରି ଜିଲ୍ଲାପାଳ ଶ୍ରୀମତୀ ମହାପାତ୍ର କହିଲେ ଯେ, ନଦୀକୁ ସୁରକ୍ଷା ଦେବା ଓ ପ୍ରଦୂଷଣ ମୁକ୍ତ କରିବା ସମସ୍ତଙ୍କ ଦାୟିତ୍ବ। ମହାନଦୀ ହେଉଛି ସମସ୍ତଙ୍କର ଜୀବନଧାରା। ଏଣୁ ଏହାକୁ ସଫାସୁତୁରା ରଖିଲେ ପରପିଢ଼ି ଏହାର ସୁଫଳ ପାଇପାରିବେ। ଏଣୁ ସମସ୍ତଙ୍କୁ ନଦୀକୁ ସ୍ବଚ୍ଛ ରଖିବା ପାଇଁ ସଚେତନ କରିବା ଏହି ମହୋତ୍ସବର ପ୍ରକୃତ ଉଦ୍ଦେଶ୍ୟ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର କହିଲେ, ମହାନଦୀ ଭାରତବର୍ଷର ଦ୍ବିତୀୟ ଗଙ୍ଗା। ଏହା ଅମରକଣ୍ଟକ ପର୍ବତରୁ ବାହାରି ପାରାଦୀପରେ ବଙ୍ଗୋପସାଗରରେ ମିଶିଛି। ଏହାକୁ ସମ୍ମାନ ଜଣାଇବା ପାଇଁ ସାରା ରାଜ୍ୟରେ ନଦୀ ଉତ୍ସବ ପାଳନ କରାଯାଉଛି। ଆଜାଦୀ କି ଅମୃତ ମହୋତ୍ସବରେ ସାରା ଦେଶରେ ବିଭିନ୍ନ ନଦୀରେ ଏହି ଉତ୍ସବ ପାଳନ କରାଯାଉଛି। ପାରାଦୀପ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସେଠାରେ ଉପସ୍ଥିତ ଏନସିସି, ଏନଏସଏସ ଓ ନେହେରୁ ଯୁବକେନ୍ଦ୍ରର ପିଲାମାନଙ୍କୁ ନଦୀକୁ ସ୍ବଚ୍ଛ ରଖିବା ନିମନ୍ତେ ଏକ ଶପଥ ପାଠ କରାଇଥିଲେ।

Advertisment

ଏହାସହ ଜିଲ୍ଳାର କଳାକାରମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ବାଲୁକା କଳାକୁ ସେ ଉଦ୍‌ଘାଟନ କରିଥିଲେ। ଶେଷରେ ସମସ୍ତେ ବେଳାଭୂମିରେ ଅଳିଆ ଆବର୍ଜନା ସଫା କରିଥିଲେ। ଏହି ମହୋତ୍ସବ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ଅନ୍ତରରେ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ଏହି ଦିନଗୁଡ଼ିକରେ ଯୋଗ, ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଅଭିଭାଷଣ, ନଦୀ ସୁରକ୍ଷାକୁ ନେଇ ଚିତ୍ରକଳା ଓ ରଙ୍ଗୋଲି ପ୍ରତିଯୋଗିତା, ମିନି ମାରାଥନ, ଦୀପ ଉତ୍ସବ, ପାଲା, ଘୋଡ଼ା ନାଚ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଉତରାୟ ସ୍ବାଗତ ଭାଷଣରେ ନଦୀର ମହାନତା ଓ ଏହି ମହୋତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପାରାଦୀପ କଲେଜ ଅଧ୍ୟାପକ ଲ୍ୟୁଟ୍‌ନାଣ୍ଟ ଅକ୍ଷୟ କୁମାର ମିଶ୍ର, ନେହେରୁ ଯୁବକେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ନିଖିଲ କୋକୁଲ, ପ୍ରୋଗ୍ରାମ ଅଫିସର ପବିତ୍ର ମୋହନ ସୁବୁଦ୍ଧି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।