ପୁଣି ତେଜିଲା ନାଲକୋ ଜମିହରାଙ୍କ ଆ‌ନ୍ଦୋଳନ, ବକ୍ସାଇଟ ଖଣିକୁ ୧୨ଘଣ୍ଟା ଗାଡିଚଳାଚଳ ବନ୍ଦ  

କୋରାପୁଟ/ଦାମନଯୋଡି : କିଛି ମାସର ବ୍ୟବଧାନ ପରେ ପୁଣି ତେଜିଛି ନାଲକୋ ଜମିହରାଙ୍କ ଆନ୍ଦ‌ୋଳନ। ଆଜି ବକ୍ସାଇଟ ଖଣିକୁ ୧୨ଘଣ୍ଟା ଧରି ଗାଡିଚଳାଚଳ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ। ଏହାସହ ଭୁବନେଶ୍ବରସ୍ଥିତ କରପୋରେଟ୍‌ କାର୍ଯ୍ୟାଳୟରେ ମଧ୍ୟ ଧାରଣା ଦେଇଛନ୍ତି ଆନ୍ଦୋଳନକାରୀ। ସେଠାରେ ଆନ୍ଦୋଳନକାରୀ ଓ ନାଲକୋ କତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରହିଥିବା ଜଣାପଡିଛି। ଅନ୍ୟପକ୍ଷରେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କଅଁର ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।

କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡିସ୍ଥିତ ନାଲକୋ କାରଖାନା ଯୋଗୁଁ ବିସ୍ଥାପିତ ଜମିହରା ପରିବାରଙ୍କ ସ୍ଥାୟୀ ନିଯୁକ୍ତି ଓ ନାଲକୋ କାରଖାନା ଚାଲିଥିବା ପର୍ଯ୍ୟନ୍ତ ବିସ୍ଥାପିତ ପରିବାରଙ୍କ ଚାକିରୀ ସଂରକ୍ଷଣ ଦାବୀରେ ଆଜି ପୁଣି ଜମିହରାଙ୍କ ପକ୍ଷରୁ ଧାରଣା ଦେଇଥିଲେ। ପ୍ରାୟ ପାଞ୍ଚ ମାସ ହେବ ଦାବି ପୂରଣ ହେଉ ନ ଥିବାରୁ ଆଜି ଧାରଣାରେ ବସିଥିଲେ ଆନ୍ଦୋଳନକାରୀ। ଦାମନଯୋଡିସ୍ଥିତ ବିସ୍ଥାପିତ ପରିବାରର ଏକ ପ୍ରତିନିଧି ଦଳ ଭୂବନେଶ୍ୱର ଯାଇ ନାଲକୋ ପ୍ରଶାସନ ସହ ଆଲୋଚନା କରିଥିବା ବେଳେ ଆଲୋଚନାରେ ସେମାନେ ସନ୍ତୋଷ ହୋଇନଥିବା ଯୋଗୁଁ ଅଁଳାବାଡି କୋଲନୀ ଛକ ଧାରଣାସ୍ଥଳ ଠାରେ ସକାଳ ୭ଟାରୁ ସଂଧ୍ୟା ୭ଟାଏ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ପରେ ଗାଡ଼ି ଚଳାଚଳ ସୁଗମ ହୋଇଥିଲା।

ଖଣି ଅଞ୍ଚଳକୁ କୌଣସି  ସିଫ୍ଟକୁ ବସ୍ ଗୁଡିକୁ ଯିବାକୁ ଦିଆଯାଇ ନଥିବା ଯୋଗୁଁ  କର୍ମଚାରୀ ମାନେ ଖଣିକୁ ଯାଇପାରିନଥିବା ସୂଚନା ମିଳିଛି।ଲୋକେ ଧାରଣା ଦେବାର ପ୍ରାୟ ପାଞ୍ଚ ମାସ ବିତିଯାଇଥିଲେ ମଧ୍ୟ ନାଲକୋ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ସେମାନଙ୍କ ଦାବୀ ପୂରଣ ପ୍ରତି କୌଣସି ତତ୍ପରତା ଦେଖାଉନଥିବା ଯୋଗୁଁ ବାରମ୍ବାର ସ୍ମାରକ ପତ୍ର  ନାଲକୋ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା। କୌଣସି ନିଷ୍ପତି ଫଳପ୍ରଦ ନହେବା ଏବଂ ଭୂବନେଶ୍ୱର ଠାରେ ଆଲୋଚନା ବିଫଳ ହେବା ଯୋଗୁଁ ଲୋକେ ନାଲକୋ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣିକୁ ଗାଡି ଚଳାଚଳ କରିବାକୁ ଦେଇ ନାହାନ୍ତି। ଘଟଣା ସ୍ଥଳରେ ଦାମନଯୋଡି   ଦାମନଯୋଡି ପୋଲିସ ମୂତୟନ ହୋଇଥିବା ସୁଚନା ମିଳିଛି । ସୂଚନାଯୋଗ୍ୟ ଯେ ସ୍ଥାୟୀ ନିଯୁକ୍ତି ଏବଂ ନାଲକୋ କାରଖାନା ଚାଲିଥିବା ପର୍ଯ୍ୟନ୍ତ ବିସ୍ଥାପିତ ପରିବାରଙ୍କ ଚାକିରୀ ସଂରକ୍ଷଣ ଦାବୀ ରେ ଗତ ମାର୍ଚ୍ଚ ମାସ ୧୭ ତାରୀଖ ଠାରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଧାରଣା ଦିଆଯାଇଥିଲା। ଆନ୍ଦୋଳନ ଆରମ୍ଭ ହେବାର ପରବର୍ତ୍ତି ସମୟରେ ଆନ୍ଦୋଳନ ତୀବ୍ର ହେବା ଫଳରେ ଏକ ତ୍ରିପାକ୍ଷିକ ବୈଠକ ବସି ସେଠାରେ ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ ତିନିମାସ ମଗାଯାଇଥିଲା। ବିଧବା ମାନଙ୍କ ନିଯୁକ୍ତି ପ୍ରକ୍ରିୟା ର ୨୩ବର୍ଷ ପରେ ମଧ୍ୟ ନିଯୁକ୍ତି ନମିଳିବା ନେଇ ଆନ୍ଦୋଳନକାରୀ କ୍ଷୋଭ ପ୍ରକାଶ କରିଥିବା ବେଳେ ୬୮ଜଣ ବିଧବା ମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଆଦି ମଧ୍ୟ ଦାବି ରହିଛି।

ସମ୍ବନ୍ଧିତ ଖବର