ଖୋର୍ଦ୍ଧା: ୧୬ଶ ଶତାବ୍ଦୀର ମଧ୍ୟଭାଗ ଠାରୁ ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ, ପ୍ରାୟ ୩୫୦ ବର୍ଷ ଧରି ଓଡ଼ିଶାର ରାଜନୈତିକ ଚଳଚଞ୍ଚଳତା କଟକରୁ ଆଧୁନିକ ଖୋର୍ଦ୍ଧା ସହରକୁ ସ୍ଥାନାନ୍ତରିତ ହୋଇଥିଲା। ମରାଠା ଓ ବ୍ରିଟିଶ ରାଜତ୍ୱ କାଳରେ ଏହା ପୁରୀ ଜିଲ୍ଲାରେ ମିଶିଲା। ପୁଣି ୧୯୯୫ରେ ଏହା ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଲାଭ କଲା। ଏହା ମଧ୍ୟରେ ପ୍ରାୟ ୩ ଦଶନ୍ଧୀ ବିତିଗଲାଣି କିନ୍ତୁ ଖୋର୍ଦ୍ଧାର ପ୍ରକୃତ ନାମ କ'ଣ ସେନେଇ ବର୍ତ୍ତମାନର ପିଢ଼ିର ଐତିହାସିକଙ୍କ ଠାରୁ ପ୍ରଶାସନ ନିଶ୍ଚିତ ନୁହେଁ। ଅନେକ ସରକାରୀ ବିଭାଗ ଏହାକୁ ‘ଖୋର୍ଦ୍ଧା’ ଲେଖୁଥିବା ବେଳେ କେତେକ ଏହାକୁ ‘ଖୁର୍ଦ୍ଧା’ ଓ କେତେକ ଏହାକୁ ‘ଖୁର୍ଦା’ ଲେଖୁଛନ୍ତି। ଏନେଇ ବୁଦ୍ଧିଜୀବୀଙ୍କ ମଧ୍ୟ ଭିନ୍ନ ଭିନ୍ନ ମତ ରହିଛି।
ଚକଡ଼ା ପୋଥି ବା ଚୟନୀ ଚକଡ଼ା ଅନୁସାରେ ଖୋର୍ଦ୍ଧା ଗଡ଼ ୧୫୭୦-୭୫ ମଧ୍ୟରେ ଜନାର୍ଦ୍ଦନ ବିଦ୍ୟାଧରଙ୍କ ପୁତ୍ର ପ୍ରଥମ ରାମଚନ୍ଦ୍ରଦେବଙ୍କ ସମୟରେ ପ୍ରତିଷ୍ଠା ହୋଇଥିଲା। ଏହି ସମୟରେ ଏହା ଜଗନ୍ନାଥପୁର କଟକ ବୋଲି ନାମିତ କରାଯାଇଥିଲା। ଏଥିରେ କୁହାଯାଇଛି ଯେ କଟକ ପୁରୁଷୋତ୍ତମ ମଧ୍ୟସ୍ଥ ଖୋଲାଗଲା ଶୁଦ୍ଧ ସୌରି ବଳୀ ବିକ୍ରମ ସିଂହର "ଖୋରଧା' ବୋଲି ଗୋଟିଏ ପଲ୍ଲୀ ଥିଲା। ତାହା ରାଜା ବିକ୍ରମ ସିଂହକୁ ମାଗି ତାହା ନାମେ ଜଗନ୍ନାଥପୁର କଟକ ବୋଲି ଶୁଭଦେଲେ। ସେହିଭଳି, ୧୫୯୫ରେ ଲିଖିତ ଶ୍ରୀଜଙ୍ଗ ଶିଳାଲିପିରେ, (କଟକ ପଚ୍ଛୀମେ ପରଙ୍ଗ "ଖୂରୀଦାଥୀତ' କଟେକ ସୁଦ୍ର ଗଜପତି ରାଜା ରାମଚନ୍ଦ୍ର ଦେବ ୩୪ ଅଙ୍କ ଶ୍ରାହୀ)। ଖୂରୀଦା ବୋଲି ଉଲ୍ଲେଖ ରହିଛି। ମୋଗଲ, ଆଫଗାନୀ ପଠାଣ ଓ ମରାଠା ରାଜତ୍ୱ ସମୟରେ ଆକବରନାମା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାଶାସନିକ ସନନ୍ଦରେ ଏହାକୁ ‘ଖୁରୁଧା’ ବୋଲି ଉଲ୍ଲେଖ କରାଯାଇଛି। ୧୭ଶ ଶତାବ୍ଦୀର ନୀଳସୁନ୍ଦର ଗୀତାରେ, (କଳାସିଘଂ ଡରେ ତହୁଂ ପଳାଇବ ଖୋରଧା କରିବ ସ୍ଥିତି) ଖୋରଧା ବୋଲି ଲେଖାଯାଇଥିବା ବେଳେ ୧୭ଶ ଶତାବ୍ଦୀର ଦୀନକୃଷ୍ଣ ଦାସଙ୍କ ରସ ବିନୋଦରେ (ଖୋରଧା କଟକ ନଗର ରହିଣ ଥିଲେ ନୃପବର) ଖୋରଧା ବୋଲି ଲେଖାଯାଇଛି।
୧୮ଶ ଶତାବ୍ଦୀର ଗଂଜାମର ବିଶିଷ୍ଟ କବି ରାମ ଦାସ ନିଜର ଦାର୍ଢ୍ୟତାଭକ୍ତିରସାମୃତରେ (ବିଜେ ଖୋରଧା ରଥିପୁରେ, ପ୍ରତାପରୁଦ୍ରର ମନ୍ଦିରେ) ଖୋରଧା ବୋଲି ଉଲ୍ଲେଖ କରିଛନ୍ତି। ୧୯୭୭ରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ପୁରୀ ଗେଜେଟିୟରରେ ଖୋର୍ଦ୍ଧାକୁ ଖୁର୍ଦା ବୋଲି ଲେଖାଯାଇଛି। ଗବେଷକ ଡଃ. ଯଶୋବନ୍ତ ନାରାୟଣ ଧର ନିଜର ‘ଓଡ଼ିଶାର ସ୍ଥାନନାମ ଏକ ଭାଷାତାତ୍ୱିକ ଓ ସାଂସ୍କୃତିକ ଅଧ୍ୟୟନ’ ପୁସ୍ତକରେ ଖୋରଧା, ଖୋର୍ଦ୍ଧା, ଖୁର୍ଦ୍ଧାଗଡ଼, ଖୁରୁଧା ନାମ ଗ୍ରହଣୀୟ ବୋଲି କହିଛନ୍ତି। ସେ ଦୁଇଟି ମତବାଦ ଉପସ୍ଥାପିତ କରି କହିଛନ୍ତି ଯେ ଜଟଣୀ ଷ୍ଟେସନ ନିକଟରେ ଖରଗଡ଼ (ଅରାଗଡ଼) ଏହାର ସାମଂଜସ୍ୟ ରଖୁଛି। ସେହିଭଳି କେତେକ ପ୍ରାଚୀନ ମାଇଲଖୁଂଟିର ଉଦ୍ଧାରଣ କରି ଶ୍ରୀ ଧର କହିଛନ୍ତି, ‘ଖୋରଧାକୁ କୋରଡ଼ା ବୋଲି ଲେଖାଯାଇଥିବା ଦେଖାଯାଏ... ଗଂଜାମର ସୋରଡ଼ା=ସୁରଡ଼ା/ସୁରଡ଼ (ସୁସ୍ୱର)ର ବିପରୀତ କୋରଡ଼ା=କୁରଡ଼ା/କୁରଡ଼ (କୁସ୍ୱର)ରୁ ଖୁରୁଦା ନାମକରଣ ହୋଇଛି ବୋଲି କେହି କେହି ମତ ଦିଅନ୍ତି’। କେତେକ ଗବେଷଣା ନିବନ୍ଧରେ, ଏକ ଉକ୍ରୃଷ୍ଟ ପ୍ରଜାତିର ଘୋଡ଼ା "ଖୁରଷାଣୀ' ନାମରେ ଏହା ନାମିତ ହୋଇଥାଇପାରେ ବୋଲି ଦର୍ଶାଯାଇଛି। ଅନ୍ୟତମ ସ୍ୱନାମଧନ୍ୟ ଐତିହାସିକ କେଦାରନାଥ ମହାପାତ୍ର ନିଜର ଐତିହାସିକ ପୁସ୍ତକକୁ ‘ଖୁରୁଧା ଇତିହାସ’ ବୋଲି ନାମିତ କରିଛନ୍ତି। କିନ୍ତୁ ବର୍ତ୍ତମାନ ଏହାର ନାମକରଣକୁ ନେଇ ବୁଦ୍ଧିଜୀବୀଙ୍କ ଭିନ୍ନ ମତ ରହିଛି। ଖୋର୍ଦ୍ଧାର ଜଣାଶୁଣା ବୁଦ୍ଧିଜୀବୀ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି କହନ୍ତି ଖୋର୍ଦ୍ଧା ହିଁ ଠିକ୍। ସେହିଭଳି ଐତିହାସିକ ନାରାୟଣ ରାଓ କହିଛନ୍ତି ଯେ ‘ଖୋର୍ଦ୍ଧା’ର ବ୍ୟୁତ୍ପତିଗତ ଅର୍ଥ କ'ଣ ତାହା ଏଯାଏଁ ସ୍ପଷ୍ଟ ନଥିଲେ ମଧ୍ୟ ଖୋର୍ଦ୍ଧାକୁ ଗ୍ରହଣ କରିବା ଉଚିତ ବୋଲି ମତ ଦେଇଛନ୍ତି।
ଐତିହାସିକ ସତ୍ୟବାଦୀ ବଳିଆରସିଂହ କହିଛନ୍ତି ଯେ କ୍ଷୁରଧାର ଶବ୍ଦରୁ ଖୁରଧା ହୋଇଛି ବୋଲି ଦର୍ଶାଇ ଖୋର୍ଦ୍ଧା ନାମକୁ ହିଁ ମାନ୍ୟତା ଦେବା ଉଚିତ ବୋଲି କହିଛନ୍ତି। ବରିଷ୍ଠ ନାଗରିକ ତଥା ଖୋର୍ଦ୍ଧାର ପ୍ରଥମ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଖୋର୍ଦ୍ଧାର ସମସ୍ତ ନାମ ବିଭିନ୍ନ ସମୟରେ ବ୍ୟବହାର ହେଉଥିଲା। ଯେ କୌଣସି ନାମରେ ଏହାକୁ ସମ୍ବୋଧନ କରିବାରେ କୌଣସି ସମସ୍ୟା ନାହିଁ। ଖୋର୍ଦ୍ଧା ଓକିଲ ସଂଘର ପୂର୍ବତନ ସଭାପତି ଶିଶିର ପରିଡ଼ା କହିଛନ୍ତି ଖୋର୍ଦ୍ଧାର ବିଚାରବିଭାଗୀୟ କ୍ଷେତ୍ରରେ ଖୋର୍ଦ୍ଧା ହିଁ ବ୍ୟବହାର ହେଉଛି। ଅନ୍ୟ ସମସ୍ତ କ୍ଷେତ୍ରରେ ଏହି ନାମକୁ ହିଁ ଗ୍ରହଣ କଲେ ଭଲ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Barunei-hill-forest.jpg)