ହୁସିଆର! ଚାଷ ନ କରି ନାଁ ପଞ୍ଜୀକରଣ କଲେ…

କେନ୍ଦ୍ରାପଡ଼ା: ହୁସିଆର। ଆପଣ ଏଥର ଖରିଫ ସିଜିନ୍‌ ବିଲରେ ଧାନ ଚାଷ କରିଛନ୍ତି କି? ଯଦି ନା’ ତା’ହେଲେ ହେଇଯାଆନ୍ତୁ ସାବଧାନ। ଚାଷ ନ କରି ଜମି ପଟ୍ଟା ଦେଖାଇ ଯଦି ଏଥର ମଣ୍ତିରେ ଧାନ ବିକ୍ରି କରିବାକୁ ପ୍ରୟାସ କରନ୍ତି, ତେବେ ଧରାପଡ଼ିଯିବେ। ନକଲି ଚାଷୀଙ୍କୁ ଧରିବା ପାଇଁ ସରକାର ଏଥର ‘ସାଟେଲାଇଟ୍‌ ସର୍ଭେ’ର ସାହାରା ନେଇଛନ୍ତି। ସର୍ଭେ ଜରିଆରେ ପୂରା ଅ˚ଚଳର ଜମିର ସ୍ଥିତି ଏବ˚ ଧାନ ଚାଷ ହେଇଛି କି ନାହିଁ, ତାହା ଜଣାପଡ଼ିଯିବ। ଏହି ବଳରେ ହିଁ ନକଲି ଚାଷୀଙ୍କୁ ଧରିବାକୁ ପ୍ରଶାସନ ଯୋଜନା କରିଛି। ଗତ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ଚାଷୀ ପଞ୍ଜୀକରଣ କାର୍ଯ୍ୟ ଆସନ୍ତା ଅଗଷ୍ଟ ୧୫ତାରିଖରେ ଶେଷ ହେବା ପରେ ସର୍ଭେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ସୂଚନା ଦେଇଛନ୍ତି। ତେବେ ଯୋଗାଣ ଅଧିକାରୀଙ୍କ ସୂଚନାନୁଯାୟୀ ଏହି ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ ହେଲେ ଚାଷ ନ କରି କେବଳ ଜମି ପଟ୍ଟା ଦେଖାଇ ମଣ୍ତିରେ ଧାନ ବିକ୍ରି କରିବାକୁ ଏକ ବେପାରରେ ପରିଣତ କରିଦେଇଥିବା ଦଲାଲ ମାନଙ୍କ ଚେହେରା ପଦାକୁ ଆସିବ ବୋଲି କୁହାଯାଉଛି। ଗତବର୍ଷ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଖାପାଖି ମୋଟ୍‌ ୪୦ହଜାର ୬୦୦ଚାଷୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧୢରୁ ୨୬ହଜାର ୪୦୦ଚାଷୀ ମୋଟ୍‌ ୯ଲକ୍ଷ ୪୯ହଜାର ୨୦୪ କୁଇଣ୍ଟାଲ୍‌ ଧାନ ମଣ୍ତି ଜରିଆରେ ବିକ୍ରି କରିଥିଲେ। ଏଥର ଖରିଫ ସିଜିନରେ ଧାନ ମଣ୍ତି ବିକ୍ରି ପାଇଁ ଗତ ଜୁଲାଇରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଚାଷୀ ମାନେ ସେମାନଙ୍କ ଜମି କାଗଜାତ ନିକଟସ୍ଥ ସୋସାଇଟିରେ ଦାଖଲ କରି ନାଁ ପଞ୍ଜୀକରଣ କରୁଛନ୍ତି। ହେଲେ ନକଲି ଚାଷୀଙ୍କୁ ଧରିବା ପାଇଁ ଏଥର ଯେଉଁ ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି, ତାହା ହେଉଛି ଆକାଶମାର୍ଗରୁ ସାଟେଲାଇଟ୍‌ ସର୍ଭେ। ପୂର୍ବ ବ୍ୟବସ୍ଥାରେ କ୍ଷେତରେ ଧାନ ଚାଷ ନ କରି ବି ଜମି ପଟ୍ଟା ଥିଲେ ବେପାରୀମାନେ ଚାଷୀଙ୍କୁ ହାତ କରି ସେମାନଙ୍କ ଟୋକନ୍‌ରେ ଧାନ ବିକ୍ରି କରି ଦେଉଥିଲେ। ଏହି ଗଳାବାଟ ଯୋଗୁଁ ଅନେକ ଧାନ ଚାଷ ନ କରି ବି କେବଳ ଜମି ପଟ୍ଟା ଦେଖାଇ ଧାନ ବିକ୍ରିକୁ ଏକ ବେପାରରେ ପରିଣତ କରି ଦେଇଥିଲେ। ଅଥଚ, ବିଲରେ ହାଡ଼ଭ˚ଗା ପରିଶ୍ରମ କରି ଫସଲ ଫଳାଇଥିବା ପ୍ରକୃତ ଚାଷୀ ଟୋକନ୍‌ ନମ୍ବରକୁ ଚାହିଁ ଚାହିଁ ତାର ନମ୍ବର ପଡ଼ୁନଥିଲା। ଯୋଗାଣ ବିଭାଗ ଟାର୍ଗେଟ୍‌ ସରିଯାଇଥିବାର ଆଳ ଦେଖାଇ ହାତବାନ୍ଧି ଚୁପ୍‌ ବସିଯାଇଥିବାରୁ ଅନେକ ପ୍ରକୃତ ଚାଷୀ ଧାନ ବିକ୍ରିରୁ ବ˚ଚିତ ହେଇଯାଉଥିଲେ। ମାତ୍ର ଏଥର ଅଗଷ୍ଟ ୧୫ରେ ଚାଷୀଙ୍କ ନାଁ ପଞ୍ଜୀକରଣ ଶେଷ ହେବା ପରେ ରାଜସ୍ବ, କୃଷି ଏବ˚ ସମବାୟ ବିଭାଗର ମିଳିତ ଟିମ୍‌ ଜମିର ସ୍ଥିତି ଯାଞ୍ଚ କରିବେ। ଏହାପରେ ସାଟେଲାଇଟ୍‌ ସର୍ଭେ କରାଯିବ। ଜିଲ୍ଲାର କେତୋଟି ଭାଗରେ ବିଭକ୍ତ କରାଯାଇ ଓଡ଼ିଶା ରିମୋଟ ସେନସେଟି˚ ଆପ୍ଲିକେସନ୍‌ ସେଣ୍ଟର‌୍‌ ପକ୍ଷରୁ ଏହି ସର୍ଭେ କରାଯିବ। ଉଲ୍ଲେଖନୀୟ କଥା ହେଉଛି, ଏହି ସର୍ଭେରେ ଯେଉଁ ଜମିରେ ଧାନ ଚାଷ ହୋଇନାହିଁ, ତାହା ଜଣାପଡ଼ିଯିବ।

ଯୋଗାଣ ଅଧିକାରୀ ଶ୍ରୀ ଗନ୍ତାୟତଙ୍କ କହିବା କଥା ହେଉଛି, ଗତ ରବି ଫସଲରେ ରାଜ୍ୟର ୧୩ଟି ଜିଲ୍ଳାରେ ଏହି ସର୍ଭେ ହୋଇଥିଲା। ମାତ୍ର ଖରିଫ୍‌ ସିଜିନ୍‌ରେ ସାରା ରାଜ୍ୟରେ ଆସନ୍ତା ସେପ୍ଟେମ୍ବରରୁ ସର୍ଭେ ଆରମ୍ଭ ହେବ। ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାରେ ତଳିପକା କାମ ଆରମ୍ଭ ହୋଇଛି। ରୁଆପୋତା କାମ ସରିବା ପରେ ଧାନ ଗଛ କିଛି ବଢ଼ିଯିବା ପରେ ଏହି ସର୍ଭେ ହେବ। ଏଥିରେ ପ୍ଲଟ୍‌ଵାରୀ କେଉଁଠି ଧାନ ଚାଷ ହୋଇନାହିଁ, ତାହା ଜଣାପଡ଼ିଯିବ। ଏହା ଜଣାପଡ଼ିଯିବା ପରେ ପ˚ଜୀକୃତ ଚାଷୀଙ୍କ ଜମି କାଗଜାତପତ୍ର ଯାଞ୍ଚରେ ଯେଉଁ ପ୍ଲଟ୍‌ରେ ଧାନ ଚାଷ ହୋଇନାହିଁ, ତାହାକୁ ବାଦ୍‌ ଦେଇ ଦିଆଯିବ। ଏହାପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ଏବ˚ ଏହାଦ୍ବାରା ପ୍ରକୃତ ଚାଷୀ ଧାନ ବିକ୍ରି କରିବାରେ ବିଶେଷ ସମସ୍ୟା ସମ୍ମୁଖୀନ ହେବେ ନାହିଁ। ଏଣୁ ଯେଉଁମାନେ ଧାନ ଚାଷ କରିନାହାନ୍ତି, ଅଥଚ ନାଁ ପ˚ଜୀକରଣ କରି ମଣ୍ତିରେ ଧାନ ବିକ୍ରି କରିବାର ଯୋଜନା ଏଥର ରଖିଛନ୍ତି, ସେମାନେ ସାବଧାନ ହେଇଯାଆନ୍ତୁ। ବିଶେଷ କରି ବେପାରୀମାନେ ଚାଷୀଙ୍କୁ ହାତ କରି ସେମାନଙ୍କ ଟୋକନ୍‌ରେ ଧାନ ଚାଷ ନ ହୋଇ ବି ମଣ୍ତିରେ ଶହ ଶହ କୁଇଣ୍ଟାଲ୍‌ ଧାନ ବିକ୍ରି କରି ଯେଉଁ ମାଲେମାଲ୍‌ ହେଉଥିଲେ, ତାହା ଏଥର ଫଳପ୍ରଦ ହୋଇ ନପାରେ। କାରଣ, ବିଲରେ ଧାନ ଚାଷ ହୋଇ ନଥିଲେ ବି ଚାଷୀ ସେହି ପ୍ଲଟ୍‌ ନମ୍ବର ଦେଖାଇ ଅଧିକ କୁଇଣ୍ଟାଲ୍‌ର ଟୋକନ୍‌ ହାତେଇଥାଏ। ଏହାପରେ ସେହି ଟୋକନ୍‌କୁ ବେପାରୀକୁ ଦେଇ ତା’ଠୁ ବେଶ୍‌ କିଛି ପଇସା ଫାଇଦା ପାଇଥାଏ। ବେପାରୀ ବି ଚାଷୀ ଟୋକନ୍‌ରେ ଧାନ ବିକି ମୁନାଫା କମାଇଥାଏ। ଏଥିରେ ପ୍ୟାକ୍ସ୍ ସ˚ପାଦକଙ୍କ ପ୍ରଚ୍ଛନ୍ନ ହାତ ରହିଥାଏ ବୋଲି ଅଭିଯୋଗ ହୁଏ। ତେଣୁ ଗଳାବାଟରେ ଆରମ୍ଭରୁ ବ୍ରେକ୍‌ ଦେବା ପାଇଁ ଫସଲ ହେବା ପରେ ପରେ ଆକାଶ ମାର୍ଗରୁ ସାଟେଲାଇଟ୍‌ ସର୍ଭେ ନିରୀକ୍ଷଣ କରାଯାଇ ଧାନ ଚାଷ ହେଇଛି କି’ ନାହିଁ, ତାର ଟିକିନିଖି ତଥ୍ୟ ହାତେଇବା ପରେ ପଞ୍ଜିକୃତ ଚାଷୀଙ୍କ ଜମି କାଗଜାତ ଯାଞ୍ଚ୍‌ କରିବାକୁ ଯୋଜନା କରିଛି ଯୋଗାଣ ବିଭାଗ। ତେବେ ଏହି ଯୋଜନାରେ କେତେ ସଫଳ ହେଉଛି, ତାହା ହୁଏତ ଡିସେମ୍ବର ଶେଷ ଆଡ଼ୁ ଆରମ୍ଭ ହେବାକୁ ଯାଉଥିବା ଧାନ କିଣା ବେଳକୁ ଜଣାପଡ଼ିଯିବ।

ସମ୍ବନ୍ଧିତ ଖବର