ରାୟଗଡା: ସ୍ଥାନୀୟ ଲାୟନ୍ସ କ୍ଲବ ସମ୍ମିଳନୀ କକ୍ଷରେ ଶୁକ୍ରବାର କ୍ଲବ ଦି ୟଙ୍ଗ ଇଣ୍ଡିଆ ରାୟଗଡ଼ା ପକ୍ଷରୁ ନନ୍ଦ ଉତ୍ସବ ପାଳନ ଅବସରରେ କୁନି କୁନି ସ୍କୁଲ ପିଲାମାନଙ୍କ ମଧ୍ୟରେ କୃଷ୍ଣବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ୨୮ଟି ଶିକ୍ଷାନୁଷ୍ଠାନର ତୃତୀୟ ଓ ଚତୁର୍ଥ ଶ୍ରେଣୀର ୩୭ଜଣ ଛାତ୍ରଛାତ୍ରୀ କୃଷ୍ଣବେଶ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନୃତ୍ୟ କରିବା ସହ ବିଚାରକମାନଙ୍କ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ରଖିଥିଲେ। ବିଚାରକ ଭାବେ ହାସ୍ୟ ଅଭିନେତା ଟୁନା ଟନ୍ ଟନ୍ ଓରଫ ପ୍ରଭାକର ମିଶ୍ର, କ୍ୟାପଟେନ ରିତାରାଣୀ ମିଶ୍ର ଓ ବିଦିଶା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
କ୍ଲବର ଉପସଭାପତି ତଥା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡାକ୍ତର ୱାଇ.ଆର. ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ କ୍ଲବ ସଭାପତି ସୁରେନ୍ଦ୍ର ପ୍ରସାଦ ସାହୁ, ସମ୍ପାଦକ ଦୀପକ କୁମାର ପୃଷ୍ଟି ପ୍ରମୁଖ ମଂଚାସୀନ ହୋଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଭାରତୀୟ କଳା, ସଂସ୍କୃତିକୁ ଉଦ୍ଜୀବିତ ରଖିବା ପାଇଁ କ୍ଲବ ଦି ଇଣ୍ଡିଆର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଦୀର୍ଘ ୧୭ବର୍ଷ ଧରି କ୍ଲବ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ଲବ ତରଫରୁ କୁନି କୁନି ପିଲାଙ୍କ ମଧ୍ୟରେ କୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ସମସ୍ତଙ୍କୁ ଭଲ ପାଇବା, ସ୍ନେହ ଦେବା ଓ ଗୁରୁଜନଙ୍କୁ ଭକ୍ତି କରିବା ଭଳି ଶିକ୍ଷା ସଂସ୍କାର ଦେବା କ୍ଲବର ଆଭିମୁଖ୍ୟ ରହିଥିବା ନେଇ ସଭାପତି ଶ୍ରୀ ସାହୁ ପ୍ରକାଶ କରିଥିଲେ।
ଏହି ପ୍ରତିଯୋଗିତାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୃତୀୟ ଶ୍ରେଣୀ ଛାତ୍ରୀ ପ୍ରୀତିପ୍ରଜ୍ଞା ଗଉଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ଦେବାଂଶି ଚକ୍ରବର୍ତ୍ତୀ ଦ୍ଵିତୀୟ ସ୍ଥାନ ଏବଂ ନିୟୁ କଲୋନିସ୍ଥିତ ସେଣ୍ଟ ଜାଭିଅର ସ୍କୁଲ ଛାତ୍ର ଶ୍ରୀକାନ୍ତ ରଥ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦଶ ଜଣ ପ୍ରତିଯୋଗୀଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ବିତରଣ କରାଯାଇଥିଲା। କ୍ଲବ ସଦସ୍ୟ ସିଏଚ.ବିଜୟ କୁମାର, ରାକେଶ କୁମାର ହାମଦେବ, ସିଏଚ. ଚନ୍ଦ୍ରଶେଖର, ସୁରେଶ କୁମାର, ଭେଙ୍କଟ ରାମଣା ନାଇଡୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସମ୍ପାଦକ ଦୀପକ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।