ଜୟପୁର:  ଗତକାଲି ନନ୍ଦପୁରର ମିନୀ ଭୈରବୀ ମହିଳା ସ୍ବୟଂ ସହାୟକ ଦଳର ଛତୁଆ ବାବଦର ୯ଲକ୍ଷ ୪୭ହଜାର ଟଙ୍କାର ବିଲ୍ ପାସ୍ କରିବା ପାଇଁ୧ଲକ୍ଷ ୭୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରା ପଡ଼ିଥିଲେ ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର। ଆଜି ଅଭିଯୁକ୍ତା ସିଡିପିଓଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନସ୍ ପକ୍ଷରୁ କରାଯାଇଥିଲା। ଏହା ପରେ ମାନ୍ୟବର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଶ୍ରୀକାନ୍ତ ମିଶ୍ରଙ୍କ ନିକଟରେ ତାଙ୍କୁ ଉପସ୍ଥାପନ କରାଯାଇଥିଲା। ମାନ୍ୟବର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଜୟପୁର ଉପଖଣ୍ଡ କାରାଗାରରେ ୭ତାରିଖ ପଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରହିବାକୁ ନିର୍ଦେଶ ଦେଇଥିବା କହିଛନ୍ତି ସରକାରୀ ଓକିଲ ତଥା ସ୍ବତନ୍ତ୍ର ଭିଜିଲାନସ୍ ପିପି ଏମ. ବାଲାଜୀ ରାଓ ।

Advertisment

ଅଭିଯୁକ୍ତାଙ୍କ ଓକିଲ ପ୍ରମୋଦ ଦାଶ ଜାମିନ ଆବେଦନ ଦାଖଲ କରିଥିଲେ। ଏହାର ଶୁଣାଣି ଆସନ୍ତା ୪ତାରିଖ ଦିନ ହେବ ବୋଲି ସ୍ବତନ୍ତ୍ର ଭିଜିଲାନସ୍ ପିପି ଶ୍ରୀ ରାଓ କହିଛନ୍ତି। ପ୍ରକାଶଯୋଗ୍ୟ, ଏହା ପୂର୍ବରୁ ଅଭିଯୁକ୍ତା ସିଡିପିଓଙ୍କ ନାଁରେ ଗତ ୨୦୧୬ମସିହାରେ ଆୟ ବର୍ହିଭୁତ ମାମଲା ବି ରୁଜୁ ହୋଇଛି। ଏହି ମାମଲାକୁ ପୁର୍ନବାର ଭିଜିଲାନସ୍ ଖୋଳତାଡ୍ କରିବ ବୋଲି ସୂଚନା ମିଳିଛି। ଏହି ମାମଲା ସମୟରେ ଭିଜିଲାନସ୍ ନିକଟରେ  ଅଭିଯୁକ୍ତା ସିଡିପିଓ ଦାଖଲ କରିଥିବା ସ୍ଥାବର, ଅସ୍ଥାବର ସଂପତ୍ତି, ବ୍ୟାଙ୍କ ଓ ବୀମା  ଆଦିର ପୁନଃ ଯାଂଚ କରାଯିବ। ସେମିଳିଗୁଡାର ସତ୍ୟନଗରରେ ୨ମହଲାର କୋଠା, ପୁରୀର ପ୍ଲାଟ୍ ସହ ନୂଆରେ ଏବେ ସେମିଳିଗୁଡା ମୁଖ୍ୟ ରାସ୍ତାରେ ୬୦ଲକ୍ଷରେ ଘର ନିର୍ମାଣାଧୀନ ଥିବା ଭିଜିଲାନସ୍ ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ସୂଚନା ମିଳିଛି। ଭିଜିଲାନସ୍ ପକ୍ଷରୁ ତଦନ୍ତ ଚାଳିଥିବାରୁ ଆକଳନ ସବୁ ସରିବା ପରେ ହିଁ ସୂଚନା ଦିଆଯିବ ବୋଲି କହିଛନ୍ତି ଏସପି ଶଶିଶେଖର ମହାପାତ୍ର।

ସେ ଆଜି ଅପରାହ୍ନ ସାଢ଼େ ୩ଟା ବେଳେ ଛତୁଆ ଯୋଗାଣ କରୁଥିବା ଏକ ମହିଳା ସ୍ବୟଂ ସହାୟକ ଦଳର ବିଲ୍ ପାସ୍ କରିବା ପାଇଁ ନେଉଥିଲେ ଲାଂଚ। ୧ଲକ୍ଷ ୭୫ହଜାର ଟଙ୍କା ଲାଂଚ ନେଉଥିଲେ। ପୂର୍ବରୁ ଯୋଜନା ମୁତାବକ ଜୟପୁରରୁ ଭିଜିଲାନସ୍ ଏସପି ଶଶି ଶେଖର ମହାପାତ୍ରଙ୍କ ନିର୍ଦେଶକ୍ରମେ ଭିଜିଲାନସ୍ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ଇନିସପେକ୍ଟର ସୂର୍ଯ୍ୟକାନ୍ତି ଟାକିରୀ ପ୍ରମୁଖ ଛପି ରହିଥିଲେ। ଅଭିଯୁକ୍ତା ସିଡିପିଓ ଏହି ଲାଂଚ ଟଙ୍କା ନେବା ମାତ୍ରକେ ଏମାନେ ଚଢ଼ାଉ କରି ତାଙ୍କ ନିକଟରୁ ଏହି ଟଙ୍କା ଉଦ୍ଧାର କରିଥିଲେ। ଏହି ମାମଲାରେ ଭିଜିଲାନସର ଆଉ ଗୋଟିଏ ଦଳ ତାଙ୍କ ସେମିଳିଗୁଡାସ୍ଥ ଘର ଉପରେ ବି ଚଢ଼ାଉ କରିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ଏଥି ପୂର୍ବରୁ ବି ଅଭିଯୁକ୍ତା ସିଡିପିଓଙ୍କ ନାଁରେ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଭିଜିଲାନସ୍ ଚଢ଼ାଉ ବି କରିଥିଲେ। ଦ୍ବିତୀୟ ଥର ଲାଂଚ ନେଉଥିବା ବେଳେ ଅଭିଯୁକ୍ତା ସିଡିପିଓ ମିଶ୍ର ଧରା ପଡ଼ିଛନ୍ତି।