ନରଣପୁର ଲ୍ୟାମ୍ପସରେ ତାଲା ପକାଇଲେ ଚାଷୀ,ଧାନର ଅଭାବି ବିକ୍ରି

କେନ୍ଦୁଝର: ମଣ୍ଡିରେ ଚାଷୀଙ୍କ ଧାନ ନିଆଯାଉ ନାହିଁ। ଟୋକନ ଅଛି, ଟାର୍ଗେଟ ନାହିଁ। ଏଥିପାଇଁ ଉତ୍ତ୍ୟକ୍ତ ଚାଷୀ ଆଜି କେନ୍ଦୁଝର ଜିଲ୍ଲା ନରଣପୁର ସଦର ଲ୍ୟାମ୍ପରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତିି। ଆଉ ତାଙ୍କ ଧାନ ନ‌ନେବା ପର୍ଯ୍ୟନ୍ତ ଲ୍ୟାମ୍ପରୁ ତାଲା ଖୋଲିବାକୁ ଦିଆଯିବ ନାହିଁ ବୋଲି ଚାଷୀମାନେ ରୋକଠୋକ ଶୁଣାଇଛନ୍ତି। ଆଉ ଆସନ୍ତାକାଲି ନେଲୁଙ୍ଗ, ଡିମ୍ବୋ, ମଇଦାନକେଲ, ରଘୁନାଥପୁର, କାଠାବାରୀ ଅଞ୍ଚଳର ୭୦ ଜଣ ଚାଷୀ ୭୦ଟି ଟ୍ରାକ୍ଟରରେ ଧାନ ଆଣି ଲ୍ୟାମ୍ପକୁ ଆସିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନରଣପୁର ସଦର ଲ୍ୟାମ୍ପ ଅଧୀନରେ ଥିବା ମଇଦାନକେଲ ମଣ୍ଡିରେ ମଇଦାନକେଲ, କାଠବାରୀ, ଡିମ୍ବୋ, ନେଲୁଙ୍ଗ ଓ ରଘୁନାଥପୁର ପଞ୍ଚାୟତର ଚାଷୀମାନେ ଧାନ ବିକ୍ରି କରିବା କଥା। ଏହି ଅଞ୍ଚଳର ୭୦ ଜଣ ଚାଷୀଙ୍କୁ ମାସେ ହେଲା ଟୋକନ ମିଳିଛି।

ସେମାନଙ୍କର ପାଖପାଖି ୨୪ ଶହ କୁଇଣ୍ଟାଲ ଧାନ ବିକ୍ରି କରିବାର ଅଛି। ଆସନ୍ତାକାଲି ରାତି ୧୨ଟା ପର୍ଯ୍ୟନ୍ତ ସେମାନଙ୍କ ଟୋକନର ସମୟ ଅବଧି ରହିଛି। ଟୋକନ ପାଇବା ପରେ ଚାଷୀମାନେ ପ୍ରତିଦିନ ମଣ୍ଡି ଆଉ ଲ୍ୟାମ୍ପକୁ ଧାଇଛନ୍ତି ସେମାନଙ୍କ ଧାନ ବିକ୍ରି କରିବା ପାଇଁ। ପ୍ରତିଦିନ ତାଙ୍କ ଗୋଟିଏ ଉତ୍ତର ମିଳୁଛି ଟାର୍ଗେଟ ଆସିନାହିଁ। ଖବର ଦିଆଯିବ କହି ଫେରାଇ ଦିଆଯାଉଛି।ଗତକାଲି ମଧ୍ୟ ନରଣପୁର ଲ୍ୟାମ୍ପର ଏମଡି ସୋମନାଥ ପଣ୍ଡା କହିଥିଲେ ଯେ, ଆଲର୍ଟମେଣ୍ଟ ଆସିନାହିଁ । ପାଖାପାଖି ୭୦ରୁ ୮୦ ଜଣ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀ ଦୁଃଖବନ୍ଧୁ ସେଠୀଙ୍କ ନିକଟକୁ ଆସିଥିଲେ। ଶ୍ରୀ ସେଠୀ ଆଲର୍ଟମେଣ୍ଟ ଆସି ନାହିଁ । ଧାନ ନେଇପାରିବୁ ନାହିଁ । ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସରକାରଙ୍କୁ ଏ ବାବଦରେ ଜଣାଇବୁ ବୋଲି ସେ କହିଥିବାର ଚାଷୀମାନେ କହିଛନ୍ତି । ଆଜି ଓ ଆସନ୍ତାକାଲି ଛୁଟି ହୋଇଥିବାରୁ ଚାଷୀ ଆଉ ଧାନ ମଣ୍ଡିରେ ବିକ୍ରି କରିପାରିବେ ନାହିଁ ଜାଣିବା ପରେ ତାଙ୍କ ମୁଣ୍ଡରେ ଚଡକ ପଡିଥିଲା। କିଛି ବାଟ ନପାଇ ଉତ୍ତ୍ୟକ୍ତ ଚାଷୀ ସଦର ଲ୍ୟାମ୍ପରେ ତାଲା ପକାଇ ପ୍ରତିବାଦ ଜଣାଇଥିଲେ। ଧାରଣାରେ ବସିଥିଲେ । ସେମାନଙ୍କର ଗୋଟିଏ ଦାବି ଯେ ତାଙ୍କ ଧାନକୁ ମଣ୍ଡିରେ ନିଆଯାଉ।

ଖବର ପାଇ ସଦର ବିଧାୟକ ତଥା ବିଧାନସଭା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସେଠାରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହିତ ସାମିଲ ହୋଇଥିଲେ। ଟାର୍ଗେଟ ନାମରେ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ସରକାର । ସରକାର ଯାହା କହୁଛନ୍ତି ବାସ୍ତବରେ ତାହା କରୁନାହାନ୍ତି । କିଛିଦିନ ପୂର୍ବେ ସରକାର କହିଲେ ଯେ ସମସ୍ତ ଚାଷୀଙ୍କଠାରୁ ସମସ୍ତ ଧାନ ନିଆଯିବ । ହେଲେ ଚାଷୀ ଟୋକନ ପାଇ ତାର ସମୟ ଅବଧି ସରିଯାଉଥିଲେ ମଧ୍ୟ ଧାନ ନିଆଯାଉ ନାହିଁ। ଚାଷୀ ତାର ଉତ୍ପାଦିତ ଧାନ ବିକ୍ରି ନକରିପାରିଲେ ବର୍ଷତମାମ କିପରି ଚଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଧାନ ବିକ୍ରି ନକରିପାରିଲେ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହେବ । ଫଳରେ କୃଷୀ କ୍ଷେତ୍ରରୁ ଚାଷୀର ମନ ଭାଙ୍ଗିଯିବ। ଆଉ ଯଦି ଧାନ ବିକ୍ରି ନକରିପାରିବେ ତେବେ ଚାଷୀକୁ ଆତ୍ମହତ୍ୟା କରିବାର ବାଟ ସରକାର ଦେଖାଇ ଦେଉଛନ୍ତି ବୋଲି ସେ କହିଥିଲେ।ଅନ୍ୟପଟେ କିଛି ବଡବିଡିଆ, ବିଜେଡି ଦଳର ଚାଷୀ ୫ କୁଇଣ୍ଟାଲ ଧାନ ବିକ୍ରି କରିବା ସାମର୍ଥ୍ୟ ନାହିଁ ସେମାନେ ୨୦/୨୫ କୁଇଣ୍ଟାଲ ଧାନ ବିକ୍ରି କରୁଛନ୍ତି ।

ସେମାନଙ୍କୁ ୨/୩ ଥର ଟୋକନ ଦିଆଯାଉଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ସାଧାରଣ ଚାଷୀ ଭକୁଆ ହୋଇ ଚାହିଁ ବସିଛି । ଚାଷୀଙ୍କୁ ଏହିପରି ହଇରାଣ କରିବା ଅର୍ଥ ପରୋକ୍ଷରେ ସରକାର କହୁଛନ୍ତି ଯେ, ଦଲାଲକୁ ୧୨/୧୩ ଶହ ଟଙ୍କାରେ ଧାନ ବିକ୍ରି କର। ବିଜେଡିର କିଛି ଦଲାଲ ଏବଂ ମିଲରମାନେ ମାଲାମାଲ ହେବାକୁ ସରକାର ଯୋଜନା କରିଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ ଆଣିଛନ୍ତି। ବିଜେପିର ଗୋଟିଏ ଦାବି ସମସ୍ତ ଚାଷୀଙ୍କଠାରୁ ଧାନ ମଣ୍ଡିରେ ନିଆଯାଉ। ଆଉ ସେମାନଙ୍କ ଏମଏସପି ମୂଲ୍ୟ ପ୍ରଦାନ କରାଯାଉ। ନଚେତ ବିଜେପି ରାଜରାସ୍ତାକୁ ଓହ୍ଲେଇବ। ବିଧାନସଭା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପହଞ୍ଚିବ ବୋଲି ବିଧାୟକ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର