ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କରୁ ସୁନା ଚୋରି ଘଟଣା: ନାରାୟଣପାଟଣା ଆଇଆଇସି ନିଳମ୍ବିତ, ଲାଞ୍ଚ ନେଇଥିଲେ ୪ଲକ୍ଷ ଟଙ୍କା? 

ଲକ୍ଷ୍ମୀପୁର: ବହୁଚର୍ଚ୍ଚିତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କରୁ ସୁନା ଚୋରି ଘଟଣାରେ ତଦନ୍ତ ଦାୟିତ୍ବରେ ଥିବା ନାରାୟଣପାଟଣା ଆଇଆଇସି ରଣଜିତ କୁମାର ସାହୁ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଚାକିରିରୁ ନିଲମ୍ବନ କରିଛନ୍ତି।

ଗତ ନଭେମ୍ବର ମାସ ୩୦ ତାରିଖ ଦିନ ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କରୁ ୧୬୧୦ ଗ୍ରାମ ସୁନା ଚୋରିହୋଇଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିବା ସହ ଜାନୁଆରି ୧୬ ତାରିଖ ଦିନ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଶେଖର କୁଳଦିପିଆଙ୍କ ବିକ୍ରମପୁରସ୍ଥିତ ବାସଭବନରୁ ୧୧୮୯ ଗ୍ରାମ ସୁନା ଜବତ କରାଯାଇଥିଲା। ବଳକା ୪୨୧ ଗ୍ରାମ ସୁନା ମିଳିପାରିନଥିବା କାରଣରୁ ପୁଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ପରେ ଲକ୍ଷ୍ମୀପୁର ଏସଡିପିଓଙ୍କ ନେତୃତ୍ବରେ ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର ଆଇଆଇସି ଓ କାକିରିଗୁମା ଓଆଇସିଙ୍କୁ ନେଇ ୫ଜଣିଆ ଟିମ୍ ଗଠନ କରାଯାଇ ଶେଖରକୁ ୩ ଦିନିଆ ରିମାଣ୍ଡରେ ଅଣାଯାଇଥିଲା।

ଶେଖରକୁ ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ନାରାୟଣପାଟଣାର ଏମ୍‌. ମୌଳି ନାମକ ବ୍ୟବାସୟୀଙ୍କୁ କିଛି ସୁନା ବିକ୍ରି କରିଥିବା ଜଣାପଡିଥିଲା। ପ୍ରକୃତ ଘଟଣା କିନ୍ତୁ ଏହା ଥିଲାକି ଯେଉଁ ଦିନ ଶେଖର ଗିରଫ ହୋଇଥିଲା ସେହି ଦିନ ହିଁ ସୁନା କିଣିଥିବା ସୁନାରି ଏମ୍ ମୌଳି କିଣିଥିବା ସୁନାକୁ କିଛି ଲୋକଙ୍କ ପରାମର୍ଶ ନେବା ପରେ ଥାନାରେ ପହଞ୍ଚି ସୁନା ଗହଣା କିଣିଥିବା ବିଷୟରେ ଆଇଆଇସି ଶ୍ରୀ ସାହୁଙ୍କୁ ଅବଗତ କରାଇଥିଲେ। ଆଇଆଇସି ଏ ବିଷୟରେ ଜାଣିବା ପରେ ସୁନାରିଙ୍କ ସହ କଥାବାର୍ତ୍ତା ହୋଇ ତାଙ୍କୁ ଫେରାର୍ କରିବାରେ ସାହାଯ୍ୟ କରି ୪ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ଲାଞ୍ଚ ଟଙ୍କା ଥାନାର ହୋମଗାର୍ଡ ଗୋପାଳ ରେଡ୍ଡୀ (ଶିବା)ଙ୍କ ସହାୟତାରେ ସେ ଗ୍ରହଣ କରିଥିବା ଜଣାପଡିଥିଲା। ଲାଞ୍ଚ ଟଙ୍କା ପାଇବା ପରେ ଆଇଆଇସିଙ୍କ ନିର୍ଦେଶ ପ୍ରକାରେ ସୁନାରି ମୌଳି ତାଙ୍କ କାରରେ ପୋଡାପଦର ଦାମନଯୋଡି ରାସ୍ତା ଦେଇ ବିଶାଖାପାଟଣା ଅଭିମୁଖେ ଫେରାର୍ ହୋଇଯାଇଥିଲେ।

ତଦନ୍ତ ସମୟରେ ୫ଜଣିଆ ଟିମ୍ ଉପରେ ସନ୍ଦେହ ହେବା ପରେ ଏସପିଙ୍କ ନିର୍ଦେଶରେ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାଶ ନିଜେ ୫ଜଣିଆ ଟିମ୍‌ରେ ସାମିଲ୍ ହୋଇ ତଦନ୍ତକୁ ଆଗେଇଥିଲେ। ତଦନ୍ତ ସମୟରେ ଚୋର ମନ ଗଣ୍ଠିରେ ଭଳି ଅତିରିକ୍ତ ଏସପି ଆଇଆଇସିଙ୍କ ଗତିବିଧି ଉପରେ ସନ୍ଦେହ କରିବା ସହ ଲକ୍ଷ୍ମୀପୁର ଆଇଆଇସିଙ୍କୁ ଆଣି ପଚରାଉଚରା କରିବା ପରେ ଆଇଆଇସି ଲାଞ୍ଚ ଗ୍ରହଣ କରିଥିବା ୪ ଲକ୍ଷ ଟଙ୍କାକୁ ଜବତ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ପୁଲିସ୍ ମୁଖ୍ୟାଳୟ ଡିଜିପିଙ୍କୁ ଅବଗତ କରାଯାଇଥିଲା।

ନିର୍ବାଚନ ଆଚରନ ବିଧି ନିୟମ ଲାଗିଥିବା କାରଣରୁ ୩ ରୁ ୪ ଦିନ ବିଳମ୍ବ ହୋଇଥିଲେ ମଧ୍ୟ ଶେଷରେ ନାରାୟଣପାଟଣା ଆଇଆଇସିଙ୍କୁ କାର୍ଯ୍ୟରେ ନିଳମ୍ବିତ କରାଯିବା ସହ କୋରାପୁଟ ପୁଲିସ ମୁଖ୍ୟାଳୟରେ ଯୋଗଦେବାକୁ ନିର୍ଦେଶ ଜାରି କରାଯାଇଛି। ଲାଞ୍ଚ ଟଙ୍କା କାରବାରରେ ସହଯୋଗ କରିଥିବା ଓ ୪ଲକ୍ଷ ଟଙ୍କାର ୫ପ୍ରତିଶତ ଗ୍ରହଣ କରିଥିବା ହୋମ୍ ଗାର୍ଡ ଶିବା ରେଡ୍ଡୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ଅତିରିକ୍ତ ଏସପି ଶ୍ରୀ ଦାଶ ସୁଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର