ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନର୍ଲା ଅଗ୍ନିଶମ ଅଧିକାରୀ ଅନୁପମ ବାଗ ଫାୟାର ସାର୍ଟିଫିକେଟ କରିଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ସେପ୍ଟେମ୍ବର ୧୬ ତାରିଖ ରାତିରେ ନର୍ଲା ବ୍ଲକ ଅନ୍ତର୍ଗତ ଛତିକୁଡ଼ା ଗ୍ରାମର ବରୁଣ ସାହୁ ନିଜ ଘରେ ରଖିଥିବା କାର ଗାଡି ରେ ଦୁର୍ବୁତ୍ତମାନେ ନିଆଁ ଲଗାଇଦେଇ ପୋଡ଼ିଦେଇ ଥିଲେ । ନର୍ଲା ଅଗ୍ନିଶ୍ରମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁ ଲାଗିଥିବା ଗାଡିକୁ ଲିଭେଇ ଥିଲେ । ପରବର୍ତ୍ତୀ ସମୟରେ ଇନ୍ସୁରାନ୍ସ ର ସହାୟତା, ଫାୟାର ସାର୍ଟିଫିକେଟ ତଥା କାଗଜପତ୍ର କରିବାପାଇଁ ବରୁଣ ସାହୁ ଅଗ୍ନିଶ୍ରମ ବିଭାଗ ର ଦ୍ୱାରସ୍ଥ ହୋଇଥିଲେ । ଏହି କାଗଜ ପତ୍ର କରିବା ପାଇଁ ଅଗ୍ନିଶମ ଅଧିକାରୀ ଲାଞ୍ଚ ମାଗିଥିଲେ । ଏନେଇ ବରୁଣ ସାହୁ ଭିଜିଲାନ୍ସ ବିଭାଗ କୁ ଜଣାଇଥିଲେ ।
ଆଜି ଅଗ୍ନିଶମ ଅଧିକାରୀ ଅନୁପମ ବାଗ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ପକ୍ଷରୁ ଅଗ୍ନିଶମ ଅଫିସରେ ତଦନ୍ତ ଆରମ୍ଭ କରିଥିବା ବେଳେ ଅନୁପମ ବାଗଙ୍କୁ ଭବାନୀପାଟଣା ସ୍ଥିତ ଭିଜିଲାନ୍ସ ଅଫିସ କୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ଭିଜିଲାନ୍ସ ଜାଲରେ ପଡିଥିବା ଅଗ୍ନିଶମ ଅଧିକାରୀ ଅନୁପମ ବାଗ ଦୁଇମାସ ତଳେ ନର୍ଲା ଅଗ୍ନିଶମ କାର୍ଯ୍ୟାଳୟରେ ଯୋଗଦାନ କରିଥିଲେ ।