ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଛି। କମ୍ପାନି ନିଜର କର୍ମଚାରୀ ଓ ଜନସାଧାରଣଙ୍କୁ ଏହି ଦିଗରେ ସଚେତନ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାର ଆୟୋଜନ କରିଛି। ଗଞ୍ଜାମ ଜିଲ୍ଲା ସୁନ୍ଦରପୁରସ୍ଥିତ ସୁନ୍ଦରେଶ୍ୱର ଉଚ୍ଚ ବିଦ୍ୟାଳୟରେ କମ୍ପାନି' କ୍ଲବ ଏନର୍ଜି' କାର୍ଯ୍ୟକ୍ରମ ଅଧୀନରେ ଆଲୋଚନାତ୍ମକ କାର୍ଯ୍ୟକ୍ରମ ସହ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ଶକ୍ତି ସଂରକ୍ଷଣର ଗୁରୁତ୍ୱ ଓ ନବୀକରଣଯୋଗ୍ୟ ଶକ୍ତିକୁ ଆପଣେଇବା ସପକ୍ଷରେ ସଚେତନ କରାଯାଇଛି। ବିଦ୍ୟୁତ ଶକ୍ତି ସଂରକ୍ଷଣ, ବିଦ୍ୟୁତ ଅପଚୟ ନକରିବା ନେଇ ପରାମର୍ଶ, ଶକ୍ତିର ବିଭିନ୍ନ ଉତ୍ସ ଓ ନବୀକରଣଯୋଗ୍ୟ ଶକ୍ତିର ପ୍ରକାରଭେଦ ଓ ଆବଶ୍ୟକତା ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ଟିପିଏସ୍ଓଡିଏଲର ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଶହେରୁ ଅଧିକ ଛାତ୍ରୀଛାତ୍ରମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହାପରେ ' ବସୁମତୀ ବଞ୍ଚାଅ' ବିଷୟବସ୍ତୁ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପିଲାମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କଳାତ୍ମକ ଦକ୍ଷତାର ପରିପ୍ରକାଶ କରିଥିବା ବେଳେ ବିଦ୍ୟୁତ ଶକ୍ତିର ସଦୁପଯୋଗ ନେଇ ପ୍ରେରଣା ପାଇଥିଲେ।
ଚଳିତ ମାସରେ କମ୍ପାନି ପକ୍ଷରୁ ସଫଳତାପୂର୍ବକ ୮, ୧୩ ଓ ୧୪ ତାରିଖରେ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆହୁରି ୫ଟି କାର୍ଯ୍ୟକ୍ରମ ପାଇଁ ଯୋଜନା ରହିଛି। ସେହିଭଳି ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କର୍ମଚାରୀମାନଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାମାନ ମଧ୍ୟ ଆୟୋଜିତ ହୋଇଛି।