ମାଲକାନଗିରି: କାଲିମେଳା ସହରର ଉପକଣ୍ଠରେ ଥିବା ବୃହତ ଜାତୀୟ ପତାକାକୁ ଅସମ୍ମାନ କରିଛି କି ବ୍ଲକ ପ୍ରଶାସନ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ଲଗାଯାଇଥିବା ଏହି ବିଶାଳ ଉଚ୍ଚତମ ଜାତୀୟ ପତାକା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଖରା ବର୍ଷା ଏବଂ ପବନରେ ଚିରି ଫାଟି ଖଣ୍ଡ ବିଖଣ୍ଡିତ ହୋଇଥିବା ବେଳେ ବ୍ଲକ ପ୍ରଶାସନର ଏହା ଉପରେ ନଜର ନାହିଁ, ନା ଦେଖି ଅଣଦେଖା କରୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

କାଲିମେଳା ସହରର ଦୁର୍ଗା ମନ୍ଦିର ପରିସରରେ ପତାକାଟି ଲଗାଯାଇଥିବା ବେଳେ ନିକଟରେ ଲାଗି ଫରେଷ୍ଟ ଅଫିସ, କାଲିମେଳା ଥାନା ଏପରିକି ପାର୍ଶ୍ବରେ ସରକାରୀ ଉଚ୍ଚବିଦ୍ୟାଳୟ ମଧ୍ୟ ରହିଛି ତଥାପି ଏଦିଗରେ କାହାରିକି ନଜିର ନାହିଁ। ମାସ ମାସ ଧରି ଜାତୀୟ ପତାକାଟି ଏଭଳି ଅବ୍ୟବସ୍ଥାରେ ରହିଥିବା ବେଳେ ବ୍ଲକ ପ୍ରଶାସନର ଏଭଳି ଅବହେଳା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ତଥାପି ବ୍ଲକ ପ୍ରଶାସନର ନିଦ ଭାଙ୍ଗୁନି।

ତେବେ ସ୍ଥାନୀୟ ଲୋକେ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନର ନିଦ ଭାଙ୍ଗୁଛି ନାଁ ନାହିଁ ତାହା ଦେଖିବାକୁ ବାକି ରହିଲା। ଏତେ ବଡ଼ ଅବହେଳାକୁ ଜିଲ୍ଲା ପ୍ରଶାସନ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର।