ଭଦ୍ରକ: ପ୍ରବାସୀ ଶ୍ରମିକଙ୍କୁ ଖାଇବାକୁ ନଦେବାରୁ ରାସ୍ତା ରୋକ

ଭଦ୍ରକ: ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଖାଇବାକୁ ମୁଠାଏ ଦେଇ ପାରୁନି ପ୍ରଶାସନ। ଭୋକ ଉପବାସରେ ରହି ବିକଳ ହେଉଥିବା ଶ୍ରମିକ ବାଧ୍ୟ ହୋଇ ଆଜି ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗଛକ ନିକଟରେ ରାସ୍ତା ରୋକ କରିଥିଲେ। କିଛି ପ୍ରବାସୀ କହୁଥିଲେ ଆମକୁ ଖାଇବାକୁ ଦିଅ ନହେଲେ ମାରି ଦିଅ। କେତେଦିନ ଏମିତି ଉପାସଭୋକେ ପଡି ରହିବୁ ।

ଆଜି ସକାଳୁ ସକାଳୁ ଭଦ୍ରକରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ। ପେଟ ପାଇଁ ବିକଳ ହୋଇ ଏଇ ଶ୍ରମିକମାନେ ରାସ୍ତା ରୋକ କରିଥିଲେ। ପରେ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ସେମାନେ ଗତ ରାତିରେ ରହିଥିବେି ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିସରକୁ ଫେରାଇ ନେଇଥିଲେ।

ସୂଚନାରୁ ପ୍ରକାଶ ଯେ, ବରଗଡ ଜିଲ୍ଲାର ୭୦ ଜଣ ପ୍ରବାସୀ ଓଡିଆ ଶ୍ରମିକ କୁଏମ୍ବାଟୁରୁ ଆସି ଭଦ୍ରକ ରେଳ ଷ୍ଟେସନରେ ଓହ୍ଲାଇ ଥିଲେ। ସେଠାରୁ ସେମାନଙ୍କୁ ଅଣାଯାଇ ଭଦ୍ରକର ନଳାଙ୍ଗଛକ ନିକଟରେ ଥିବା ଏକ ଘରୋଇ କଲେଜରେ ରଖିଥିଲେ। ରାତିରେ କେବଳ ପାଉରୁଟି ଓ କଦଳି ଖାଇବାକୁ ଦିଆଯାଇଥିଲା। ରାତିରେ ଭାତ ମୁଠାଏ ଏଇ ଅସହାୟ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ଯୋଗାଇଦେଇ ପାରିଲା ନାହିଁ। ରାତି ସାରା ଭୋକରେ ଆଉଟ ପାଉଟ ହୋଇ ରହିଲେ। ସକାଳୁ ମଧ୍ୟ କିଛି ଖାଇବାକୁ ଦିଆଗଲା ନାହିଁ। ସେମାନଙ୍କୁ ମଧ୍ୟ ସ୍ବତନ୍ତ୍ର ବସ୍ କରି ବରଗଡକୁ ପଠାଇବା ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କଲା କାହିଁ।

ଶେଷରେ ଭୋକ ବିକଳରେ ଏଇ ଶ୍ରମିକମାନେ ବାଧ୍ୟ ହୋଇ ୧୬ ନମ୍ବର ଜାତୀୟ ରାଜପଥ ଉପରକୁ ଆସି ରାସ୍ତା ରୋକ କଲେ। ଏଭଳି ଚିତ୍ର ଆଜି ଭଦ୍ରକରେ ଦେଖିବାକୁ ମିଳିଥିବା ବେଳେ ରାସ୍ତାରେ ଶହ ଶହ ଶ୍ରମିକଙ୍କର ବିକଳ ଚିତ୍ର ପ୍ରତିଦିନ ଦେଖିବାକୁ ମଳୁଛି। ପ୍ରଶାସନ କହୁଛି, ଖାଇବାକୁ ଦିଆଯାଉଛି। କିନ୍ତୁ ଲୋକମାନେ ଭୋକ ବିକଳରେ ରାସ୍ତାକୁ ଓହ୍ଲାଉଛନ୍ତି କାହିଁକି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର