ଜାତୀୟ ରାଜପଥ ପୁଲିସ ପାଟ୍ରୋଲିଂ ସେବା ଆରମ୍ଭ 

ଖୋର୍ଦ୍ଧା: ଜାତୀୟ ରାଜପଥ ୧୬ର ଜଟଣୀ ଠାରୁ ବାଣପୁର ପର୍ଯ୍ୟନ୍ତ ରାସ୍ତାରେ ସର୍ବାଧିକ ଦୁର୍ଘଟଣା, ରାହାଜାନୀ, ଡକାୟତି ଆଦି ବୃଦ୍ଧି ପାଇଛି । ଯଦିଓ ଏହି ସୀମା ମଧ୍ୟରେ ୮ରୁ ଊର୍ଧ୍ବ ଥାନା ଓ ଫାଣ୍ଡି ରହିଛି ତଥାପି ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସଠିକ୍ ଭାବେ ପାଟ୍ରୋଲିଂ ଆଦି କରାଯାଇପାରୁନାହିଁ । ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରାସ୍ତାରେ ରାଜପଥ ପାଟ୍ରୋଲିଂ ସେବା ଆରମ୍ଭ ହୋଇଛି ।

ଏହି ସେବାକୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେସିଂ ଜରିଆରେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥର ଜଟଣୀ ଓଭର ବ୍ରିଜ ଠାରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ସ୍ଥାନୀୟ ବିଧାୟକ ଜ୍ୟୋତିରିନନ୍ଦ୍ର ନାଥ ମିତ୍ର, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗବେଦବ, ଡିଆଇଜି ଆଶିଷ ସିଂ, ଜିଲ୍ଲାପାଳ ସନତ କୁମାର ମହାନ୍ତି ପ୍ରମୁଖ ପତାକା ଦେଖାଇ ପାଟ୍ରୋଲିଂ ସେବାର ଶୁଭାରମ୍ଭ କରିଥିଲେ । ପିତାପଲ୍ଲୀରୁ-ଗୋଡ଼ିପଡ଼ା ଟୋଲଗେଟ ସେଠାରୁ ଟାଙ୍ଗୀ ଥାନା ଅଧିନସ୍ଥ କୁହୁଡ଼ି, କୁହୁଡ଼ି ଠାରୁ ବାଲୁଗାଁ ଚିଲିକା ଆଇଏନଏସ୍ ପର୍ଯ୍ୟନ୍ତ ତିନିଗୋଟି ଗାଡ଼ିକୁ ପାଟ୍ରୋଲିଂରେ ନିୟୋଜିତ କରାଯାଇଛି । ରାଜପଥରେ ଘଟୁଥିବା ଦୁର୍ଘଟଣାରେ ଆହାତ ବ୍ୟକ୍ତିଙ୍କୁ ଚିକିତ୍ସାଳୟରେ ପହଂଚାଇବା, ଅମାନିଆ ଓ ନିଶାସେବନକାରୀ ଚାଳକ ଏବଂ ଅସାମାଜିକ ତତ୍ତ୍ବଙ୍କ ଉପରେ ନଜର ରଖିବା ଏହି ପାଟ୍ରୋଲିଂ ଯୋଜନାର ପ୍ରମୁଖ ଲକ୍ଷ୍ୟ ।

ପ୍ରତି ଗାଡ଼ିରେ ଜଣେ ସବଇନ୍ସପେକ୍ଟରଙ୍କ ସମେତ ୩ରୁ ୪ ପୁଲିସ କର୍ମଚାରୀ ନିୟୋଜିତ ରହିବେ । ଆଜି ଅପରାହ୍ନରେ ଉଦଘାଟନୀ ଉତ୍ସବରେ ତିନିଗୋଟି ଗାଡ଼ି ଖୋର୍ଦ୍ଧା-ଜଟଣୀ ଓଭରବ୍ରିଜ ଠାରୁ ବାହାରି ଆଇଏନଏସ୍ ଅଭିମୁଖେ ଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧାର ଭାରପ୍ରାପ୍ତ ଏସ୍ପି କୃତ୍ତିବାସ ଜେନା, ଏସ୍ଡିପିଓ ସସୁଶୀଲ କୁମାର ମିଶ୍ର, ଡିଏସ୍ପି ସତୀଶ ପାଢୀଙ୍କ ସମେତ ଜିଲ୍ଲାର ବହୁ ପୁଲିସ ପଦାଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର