ରାଉରକେଲା: ରାଉରକେଲାରେ ଚାଲିଥିବା ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ତା’ର ବିଜୟ ଅଭିଯାନ ଅବ୍ୟାହତ ରଖିଛି। ଶନିବାର ଖେଳିଥିବା ଲିଗ୍ ପର୍ଯ୍ୟାୟର ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ଦଳ ଏକତରଫା ବିଜୟ ହାସଲ କରିଛି। ମ୍ୟାଚ୍ସାରା ଆଧିପତ୍ୟ ବିସ୍ତାରକରି ଓଡ଼ିଶା ୧୦-୦ ଗୋଲ୍ରେ ଜମ୍ମୁ ଓ କଶ୍ମୀରକୁ ପରାସ୍ତ କରିଛି। ଓଡ଼ିଶା ତା’ର ଶେଷ ଲିଗ୍ ମ୍ୟାଚ୍ ୧୮ ତାରିଖରେ ମଣିପୁର ବିପକ୍ଷରେ ଖେଳିବ।
ଓଡ଼ିଶା ଖେଳାଳିଙ୍କ ଦଳଗତ ପ୍ରଦର୍ଶନ ବଳରେ ଆଜିର ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ମ୍ୟାଚ୍ର ତୃତୀୟ ମିନିଟ୍ରେ ଓଡ଼ିଶା ଏକ ପେନାଲ୍ଟି କର୍ଣ୍ଣର୍ ସୁଯୋଗ ପାଇଥିଲା। ଏହାକୁ ହାତଛଡ଼ା କରିନଥିଲେ ଓଡ଼ିଶାର ଆକାଶ ସୋରେଙ୍ଗ। ଏହି ପେନାଲ୍ଟି କର୍ଣ୍ଣରକୁ ଆକାଶ ଏକ ଚମତ୍କାର ଗୋଲ୍ରେ ପରିଣତକରି ଦଳକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ।
ଏହାପରେ ଓଡ଼ିଆ ଖେଳାଳି ଗୋଲ୍ବର୍ଷା କରିଥିଲେ। ଆକାଶଙ୍କ ଆଉ ଦୁଇ ଗୋଲ୍(୧୯, ୩୬), ରିତିକ କୁଜୁର ୨ ଗୋଲ୍(୪୬,୬୦) ଦେଇଥିବାବେଳେ ସିଲ୍ହୈବା ଲିସାମ(୪), ଦୀପକ ମିଞ୍ଜ(୨୨), ପୌଲୁସ ଲାକ୍ରା(୪୮), ଅରବିନ ଟପ୍ପୋ(୨୬) ଓ ଅନମୋଲ ଏକ୍କା(୫୭) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ଜମ୍ମୁ ଓ କଶ୍ମୀର ଗୋଟିଏ ବି ଗୋଲ୍ ଦେବାରେ ସକ୍ଷମ ନ ହୋଇ ଶୋଚନୀୟ ପରାଜୟ ବରଣ କରିଛି। ସେହିଭଳି ଆଜି ଖେଳାଯାଇଥିବା ଅନ୍ୟ ମ୍ୟାଚ୍ରେ ମଧ୍ୟପ୍ରଦେଶ ୧୪-୦ ଗୋଲ୍ରେ କେରଳକୁ ପରାସ୍ତ କରିଥିବାବେଳେ ଛତିଶଗଡ଼ ୧୩-୩ ଗୋଲ୍ରେ ଆନ୍ଧପ୍ରଦେଶକୁ, ଉତ୍ତରାଖଣ୍ଡ ୧୦-୨ ଗୋଲ୍ରେ ହିମାଚଳ ପ୍ରଦେଶକୁ ଓ ମଣିପୁର ୧୯-୦ ଗୋଲ୍ରେ ଗୁଜୁରାଟକୁ ପରାସ୍ତ କରିଛି।