ରାଉରକେଲା: ଶନିବାର ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ୬ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ରେ ଝାଡ଼ଖଣ୍ଡ ୮-୧ ଗୋଲ୍‌ରେ ତାମିଲନାଡ଼ୁକୁ ପରାସ୍ତ କରିଛି। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ଝାଡ଼ଖଣ୍ଡର ନବୀନ କେର୍କେଟା ଏକ ଆକର୍ଷଣୀୟ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ପ୍ରଥମ ଗୋଲ୍‌ ସ୍କୋର୍‌ ହେବାର ମାତ୍ରା ୩ ମିନିଟ୍‌ପରେ, ଅର୍ଥାତ୍‌ ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ନବୀନ ଆଉ ଏକ ଗୋଲ୍‌ ଦେଇ ବ୍ୟବଧାନକୁ ୨-୦କୁ ବୃଦ୍ଧି କରିଥିଲେ।

Advertisment

ତେବେ ପ୍ରଥମ କ୍ବାର୍ଟର୍‌ର ଶେଷ ମୁହୂର୍ତ୍ତରେ ତାମିଲନାଡ଼ୁର ଆନନ୍ଦ ୱାଇ. ଗୋଟିଏ ଗୋଲ୍‌ ପରିଶୋଧ କରି ବ୍ୟବଧାନକୁ୧-୨କୁ ହ୍ରାସ କରିଥିଲେ। ତେବେ ଦ୍ବିତୀୟ କ୍ବାର୍ଟରରେ ଝାଡ଼ଖଣ୍ଡ ଆକ୍ରମଣକୁ ବ୍ୟାପକକରି ଗୋଟିଏ ପରେ ଗୋଟିଏ ଗୋଲ ଦେଇଥିଲା। ଦଳ ପକ୍ଷରୁ ଅଭିଶେକ ଟିଗ୍ଗା(୧୮), ଅତିଶ ଡୋଡରାଇ(୨୩), ଦୀପକ ସୋରେଙ୍ଗ(୨୪), ସୁକନାଥ ଗୁରିଆ(୪୯), ସେଟ୍‌ ଟପ୍ନୋ(୫୩) ଓ ଫାବିଅସ୍‌ ତିର୍କୀ(୫୫) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ତାମିଲନାଡ଼ୁ କିନ୍ତୁ ଆଉ କୌଣସି ଗୋଲ୍‌ ପରିଶୋଧ କରିନପାରି ବୃହତ୍‌ ପରାଜୟ ବରଣ କରିଛି। ସେହିଭଳି ପୁଡ଼ୁଚେରୀ ୫-୨ ଗୋଲ୍‌ରେ ଗୋଆକୁ ପରାସ୍ତ କରିଥିବାବେଳେ ପଞ୍ଜାବ ୬-୨ ଗୋଲରେ ଦିଲ୍ଲୀକୁ, ଆସାମ ୪-୨ ଗୋଲରେ ମିଜୋରାମକୁ ଓ ମହାରାଷ୍ଟ୍ର ୭-୦ ଗୋଲରେ ବିହାରକୁ ପରାସ୍ତ କରିଛି।