ରାଉରକେଲା: ଏଠାରେ ଚାଲିଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ପଞ୍ଜାବ କ୍ବାର୍ଟର ଫାଇନାଲ ପ୍ରବେଶ କରିଥିଲେ। ସୋମବାର ନିଜର ଶେଷ ଲିଗ୍‌ ମ୍ୟାଚ୍‌ ଜିତି ଓଡ଼ିଶା, ହରିୟାଣା, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର କ୍ବାର୍ଟର ଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। ମଙ୍ଗଲବାର ସମସ୍ତ ଚାରୋଟି ଯାକ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଓଡ଼ିଶା କ୍ବାର୍ଟର ଫାଇନାଲରେ ଛତିଶଗଡ଼କୁ ଭେଟିବ। ସେହିଭଳି କ୍ବାର୍ଟର ଫାଇନାଲରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ, ହରିୟାଣା ଓ ପଞ୍ଜାବ ଏବଂ ଝାଡ଼ଖଣ୍ଡ ଓ ମିଜୋରାମ ମୁହାଁମୁହିଁ ହେବେ।

Advertisment

ପୁଲ୍‌ ସି’ରେ ଥିବା ଓଡ଼ିଶା ସୋମବାର ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ତାମିଲନାଡ଼ୁକୁ ଭେଟିଥିଲା। ଏଥିରେ ଦଳ ୪-୦ ଗୋଲ୍‌ରେ ବିଜୟୀ ହୋଇ କ୍ବାର୍ଟର ଫାଇନାଲ ପ୍ରବେଶ କରିଛି। ମଣିପୁର ବିପକ୍ଷ ଚମତ୍କାର ବିଜୟପରେ ମନୋବଳ ଶୀର୍ଷରେ ଥିବା ଓଡ଼ିଶା ଖେଳାଳି ଆଜି ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ସାରା ଓଡ଼ିଶାର ଦବ୍‌ଦବା ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା। ଓଡ଼ିଶାର ପ୍ରଥମ ଗୋଲ୍‌ ଆସିଥିଲା ମ୍ୟାଚ୍‌ର ୯ମ ମିନିଟ୍‌ରେ। ଦଳର ପ୍ରତିଭା ଏକ୍କା ଏକ ଫିଲ୍‌ଡ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଏହାପରେ ରମ୍ଭା କୁଜୁର(୧୬), ଅସୀମା ରାଉତ(୨୯) ଓ ପୂଜା ସାହୁ(୫୮) ଗୋଟିଏ ଲେଖାଏ ଗୋଲ୍‌ ଦେଇ ସ୍କୋର୍‌କୁ ୪-୦କୁ ନେଇଥିଲେ। ଅପରପକ୍ଷରେ ତାମିଲନାଡ଼ୁ ଖେଳାଳି ଏକାଧିକ ପ୍ରୟାସ କରିଥିଲେ ମଧ୍ୟ ଗୋଲ୍‌ ଦେବାରେ ସକ୍ଷମ ହୋଇନପାରି ପରାଜୟ ସହ ପ୍ରତିଯୋଗିତାରୁ ବିଦାୟ ନେଇଛି। ଆଜିର ଅନ୍ୟ ସବୁ ମ୍ୟାଚ୍‌ରେ ମହାରାଷ୍ଟ୍ର ୬-୨ ଗୋଲରେ ଦିଲ୍ଲୀକୁ ପରାସ୍ତ କରିଥିବାବେଳେ ହରିୟାଣା ୧୦-୪ ଗୋଲରେ ପଶ୍ଚିମବଙ୍ଗକୁ ଓ ଝାଡ଼ଖଣ୍ଡ ୯-୦ ଗୋଲରେ ରାଜସ୍ଥାନକୁ ପରାସ୍ତ କରିଛି।