ରାଉରକେଲା: ପ୍ରତିଯୋଗିତାର ସେମିଫାଇନାଲ ଦୌଡ଼ରୁ ଓଡ଼ିଶା ଦୁଃଖଦ ବିଦାୟ ନେଇଛି। ମଙ୍ଗଲବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ କ୍ବାର୍ଟରଫାଇନାଲ ମୁକାବିଲାରେ ଓଡ଼ିଶା ଓ ଛତିଶଗଡ଼ ମ୍ୟାଚ୍ ୩-୩ ଗୋଲ୍ରେ ଅମୀମାଂସିତ ରହିଥିଲା। ତେବେ ସୁଟ୍ଆଉଟ୍ରେ ଛତିଶଗଡ଼ ୪-୨ ଗୋଲ୍ରେ ଓଡ଼ିଶାକୁ ପରାସ୍ତକରି ବାଜି ମାରିନେଇଛି। ସେହିଭଳି ଆଜି ଖେଳାଯାଇଥିବା ନିଜ ନିଜ କ୍ବାର୍ଟର ଫାଇନାଲ ମ୍ୟାଚ୍କୁ ଜିତି ମଧ୍ୟପ୍ରଦେଶ, ହରିୟାଣା ଓ ଝାଡ଼ଖଣ୍ଡ ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। ଗୁରୁବାର ଦୁଇ ସେମିଫାଇନାଲ ମ୍ୟାଚ୍ ଖେଳାଯିବ।
ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଛତିଶଗଡ଼ଠାରୁ ହାରିଲା ଓଡ଼ିଶା
ସେମିରେ ହରିୟାଣା-ଏମ୍ପି ଓ ଝାଡ଼ଖଣ୍ଡ-ଛତିଶଗଡ଼ ମୁହାଁମୁହିଁ
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିବା ଶେଷ କ୍ବାର୍ଟର ଫାଇନାଲରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମ୍ୟାଚ୍ର ପ୍ରଥମ ମିନିଟ୍ରେ ଛତିଶଗଡ଼ର ଗୀତା ୟାଦବ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ଦଳକୁ ଆଗୁଆ କରିଥିଲେ। ଏହାପରେ ଚତୁର୍ଥ ମିନିଟ୍ରେ ଛତିଶଗଡ଼ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲା। ଏହି ସୁଯୋଗକୁ ହାତଛଡ଼ା କରିନଥିଲେ ଗୀତା। ପେନାଲ୍ଟି କର୍ଣ୍ଣର୍ର ସଦୁପଯୋଗକରି ଗୋଲ୍ରେ ପରିଣତ କରିବାସହ ସ୍କୋର୍କୁ ୨-୦କୁ ନେଇଥିଲେ। ମ୍ୟାଚ୍ର ପ୍ରଥମ ଦଶ ମିନିଟ୍ ଛତିଶଗଡ଼ର ଆଧିପତ୍ୟ ଦେଖିବାକୁ ମିଳିଥିଲା।
ଏହାପରେ କିନ୍ତୁ ଓଡ଼ିଶା ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ୧୨ତମ ମିନିଟ୍ରେ ହିଁ ଓଡ଼ିଶା ଲାଗ୍ଲାଗ୍ ଦୁଇଟି ଗୋଲ୍ ଦେଇଥିଲା। ପ୍ରତିଭା ଏକ୍କା ଏକ ଫିଲ୍ଡ ଗୋଲ୍ ଦେଇଥିବାବେଳେ ଦଳ ପାଇଥିବା ଏକ ପେନାଲ୍ଟି କର୍ଣ୍ଣରକୁ ସୁରେଖା ବାହାଲା ଗୋଲ୍ରେ ପରିଣତ କରିଥିଲେ। ଫଳରେ ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ସ୍କୋର୍ ୨-୨ ଗୋଲ୍ରେ ସମାନ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ ଆକ୍ରମଣକୁ ବ୍ୟାପକ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ତେବେ ତୃତୀୟ କ୍ବାର୍ଟର ଆରମ୍ଭରୁ(୩୪) ଛତିଶଗଡ଼କୁ ଏକ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା; ଯାହାକୁ ମୋନିକା ତିର୍କୀ ଗୋଲ୍ରେ ପରିଣତ କରି ବ୍ୟବଧାନକୁ ୩-୨କୁ ବୃଦ୍ଧି କରିଥିଲେ।
ତେବେ ଏହାର ମାତ୍ର ତିନି ମିନିଟ୍ପରେ ଓଡ଼ିଶା ପାଇଥିବା ପେନାଲ୍ଟି କର୍ଣ୍ଣରକୁ ହାତଛଡ଼ା ନ କରି ଅସୀମା ରାଉତ ଗୋଲ୍ରେ ପରିଣତ କରିବାରୁ ସ୍କୋର୍ ୩-୩ ଗୋଲ୍ରେ ବରାବର ରହିଥିଲା। ଶେଷ କ୍ବାର୍ଟରରେ ଉଭୟ ଦଳ ଏକାଧିକ ପ୍ରୟାସ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍ ଦେବାରେ ସକ୍ଷମ ହୋଇନଥିଲେ। ପରେ ସୁଟ୍ଆଉଟ୍ର ସହାୟତା ନିଆଯାଇଥିବାବେଳେ ଏଥିରେ ଓଡ଼ିଶା ବିଫଳ ହୋଇଥିଲା। ସେହିଭଳି ଆଜି ଖେଳାଯାଇଥିବା ଅନ୍ୟ କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ମଧ୍ୟପ୍ରଦେଶ ୯-୦ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରିଥିବାବେଳେ ହରିୟାଣା ୪-୨ ଗୋଲରେ ପଞ୍ଜାବକୁ ଓ ସୁଟ୍ଆଉଟ୍ରେ ଝାଡ଼ଖଣ୍ଡ ୩-୨ ଗୋଲରେ ମିଜୋରାମକୁ ପରାସ୍ତ କରିଛି।