ରାଉରକେଲା: ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ରେ ପ୍ରତିପକ୍ଷ ଝାଡ଼ଖଣ୍ଡକୁ ୧-୦ ଗୋଲ୍ରେ ପରାସ୍ତକରି ମଧ୍ୟପ୍ରଦେଶ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର ବିଜେତା ହୋଇଛି। ଝାଡ଼ଖଣ୍ଡ ଖେଳାଳି କଡ଼ା ଟକ୍କର ଦେଇଥିଲେ ମଧ୍ୟ ଗୋଲ୍ ପରିଶୋଧ କରିନପାରି ଉପବିଜେତାରେ ସନ୍ତୁଷ୍ଟ ହୋଇଛନ୍ତି। ଅପରପକ୍ଷରେ ହରିୟାଣା ଏକତରଫାଭାବେ ୧୨-୨ ଗୋଲ୍ରେ ଛତିଶଗଡ଼କୁ ପରାସ୍ତକରି ତୃତୀୟ ସ୍ଥାନରେ ରହିଛି।
/sambad/media/post_attachments/wp-content/uploads/2023/07/ho2-750x430.jpg)
ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ତୀବ୍ର ଲଢ଼େଇ ଦେଖିବାକୁ ମିଳିଥିଲା। ମ୍ୟାଚ୍ର ପ୍ରଥମରୁ ଉଭୟ ଦଳ ଆକ୍ରାମଣାତ୍ମକ ଶୈଳୀ ଆପଣେଇଥିଲେ; କିନ୍ତୁ କେହି କାହାରିକୁ ଗୋଲ୍ ଦେଇପାରିନଥିବାରୁ ପ୍ରଥମ କ୍ବାର୍ଟର ଗୋଲ୍ଶୂନ୍ୟ ରହିଥିଲା। ତେବେ ଦ୍ବିତୀୟ କ୍ବାର୍ଟରରେ ହରିୟାଣା ବାଜି ମାରିନେଇଥିଲା। ମ୍ୟାଚ୍ର ୨୨ତମ ମିନିଟ୍ରେ ମଧ୍ୟପ୍ରଦେଶର ଗୁରମେଲ୍ କୌର ଏକ ଆର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ଦଳକୁ ବହୁପ୍ରତିକ୍ଷୀତ ୧-୦ ଗୋଲର ଅଗ୍ରଣୀ ଦେଇଥିଲେ। ଗୋଲ୍ ପରିଶୋଧ କରିବାକୁ ଝାଡ଼ଖଣ୍ଡ ଏକାଧିକ ପ୍ରୟାସ କରିଥିଲା; କିନ୍ତୁ ମଧ୍ୟପ୍ରଦେଶର ରକ୍ଷଣଭାଗ ଖେଳାଳି ସବୁ ପ୍ରୟାସକୁ ବିଫଳ କରିଦେଇଥିଲେ। ଫଳରେ ମ୍ୟାଚ୍ ସୁଦ୍ଧା ସ୍କୋର୍ ୧-୦ ରହିବାରୁ ମଧ୍ୟପ୍ରଦେଶ ବିଜୟୀ ହୋଇଛି।
/sambad/media/post_attachments/wp-content/uploads/2023/07/ho3-750x430.jpg)
ଅପରପକ୍ଷରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ହରିୟାଣା ଓ ଛତିଶଗଡ଼ ମ୍ୟାଚ୍ ସଂପୂର୍ଣ୍ଣ ଏକତରଫା ହୋଇଛି। ଏଥିରେ ହରିୟାଣା ୧୨-୨ ଗୋଲ୍ରେ ବିଜୟୀ ହୋଇଛି। ହରିୟାଣାର ସୁଖପ୍ରୀତ କୌକର ସର୍ବାଧିକ ୪ଟି(୩,୯,୧୨,୫୧)ଗୋଲ୍ ଦେଇଥିବାବେଳେ କନିକା ସ୍ବିୱାଚ୍ ୩ଟି(୮,୨୨,୩୪), ସାଭୀ ୨ଟି(୧୬,୨୩) ଏବଂ ଭେତ୍ରୀ(୬), ମନୀଷା(୧୫) ଓ ସେଜଲ(୪୧) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଜବାବରେ ଛତିଶଗଡ଼ର ଗୀତା ୟାଦବ ଦୁଇଟି ଗୋଲ୍(୧୦,୪୬) ଦେଇ ବ୍ୟବଧାନ ହ୍ରାସ କରିଥିଲେ।