ଜାତୀୟ ଉପକନିଷ୍ଠ ମହିଳା ହକି: ମହାରାଷ୍ଟ୍ର, କର୍ଣ୍ଣାଟକର ବୃହତ୍‌ ବିଜୟ

ଶନିବାର ଓଡ଼ିଶା-ରାଜସ୍ଥାନ ମୁକାବିଲା

 

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତାର ଦ୍ବିତୀୟ ଦିନରେ ବି ଗୋଲ୍‌ ବର୍ଷା ଜାରି ରହିଛି। ଉଦ୍‌ଘାଟନୀ ଦିବସରେ ଖେଳାଯାଇଥିବା ୪ଟି ମ୍ୟାଚ୍‌ରେ ୫୧ଟି ଗୋଲ୍‌ ଦେଖିବାକୁ ମିଳିଥିବାବେଳେ ଆଜି ୪ଟି ମ୍ୟାଚ୍‌ରେ ୨୬ଟି ଗୋଲ୍‌ ହୋଇଛି।

ଶୁକ୍ରବାର ପ୍ରଥମ ମ୍ୟାଚ୍‌ ବିହାର ଓ ତେଲେଙ୍ଗାନା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ବିହାର ସହଜରେ ୪-୧ ଗୋଲରେ ଜିତିନେଇଛି। ମହାରାଷ୍ଟ୍ର ଏବଂ ଦାଦ୍ରା ନାଗର ହାବେଳୀ ଓ ଡାମନ ଡିଉ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ମହାରାଷ୍ଟ୍ର ଦଳ ମ୍ୟାଚ୍‌ ସାରା ଆଧିପତ୍ୟ ବିସ୍ତାର କରି ୧୧-୦ ଗୋଲ୍‌ରେ ବିଜୟୀ ହୋଇଛି। ମ୍ୟାଚ୍‌ର ୧୦ ମିନିଟ୍‌ରେ ସାବିତ୍ରୀ ବୋରଗଲ୍ଲୀ ଦଳ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ। ଏହାପରେ ସଞ୍ଜନା ରାଇକୱାର ସର୍ବାଧିକ ୬ ଗୋଲ୍‌(୧୨, ୧୪, ୧୫, ୨୦, ୨୬, ୨୭) ଦେଇଥିବାବେଳେ ୟଶସ୍ବୀ ପ୍ରକାଶ କୁବଡ଼େ ଦୁଇ ଗୋଲ୍‌(୫୨, ୫୬), ତନିସ୍କା ସଞ୍ଜୟ ସିନ୍ଦେ(୪୯) ଓ ଆକାଂକ୍ଷା ପାଲ(୩୪) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ସେହିଭଳି କର୍ଣ୍ଣାଟକ ବଡ଼ ବ୍ୟବଧାନ ୮-୦ ଗୋଲ୍‌ରେ ପୁଡ଼ୁଚେରୀକୁ ପରାସ୍ତ କରିଛି। ଦଳ ପକ୍ଷରୁ ବୈଷ୍ଣବୀ ଆରୁଲ(୩,୧୫) ଓ ମନୀଷ ପୋନମ୍ମା ସି ଡି(୧୯,୩୯) ଦୁଇଟି ଲେଖାଏ ଗୋଲ୍‌ ଦେଇଥିବାବେଳେ ପୂଣ୍ୟା ଏସ୍‌.ଆର.(୪୭), ଦୀପିକା ଆର୍‌.(୪୩), ଲକ୍ଷ୍ମୀ(୩୭) ଓ ତନୀଷା ଆର୍‌.(୫୮) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ଆଜିର ଶେଷ ମ୍ୟାଚ୍‌ ମିଜୋରାମ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମିଜୋରା ୨-୦ ଗୋଲରେ ଜିତିନେଇଛି। ଶନିବାର ମୋଟ୍‌ ୬ଟି ମ୍ୟାଚ୍‌ ଖେଳାଯିବ। ଓଡ଼ିଶା ତା’ର ଦ୍ବିତୀୟ ମ୍ୟାଚ୍‌ରେ ରାଜସ୍ଥାନକୁ ଭେଟିବ।

ସମ୍ବନ୍ଧିତ ଖବର