ରାଉରକେଲା: ଜାତୀୟ ଟ୍ରାକ୍‌ ସାଇକ୍ଲିଂ ପ୍ରତିଯୋଗିତା ପାଇଁ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାଇକ୍ଲିଂ ସଂଘ ପକ୍ଷରୁ ଆର୍‌ଏସ୍‌ପି କ୍ରୀଡ଼ା ବିଭାଗ ସହଯୋଗରେ ସ୍ଥାନୀୟ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଚୟନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ସଂଘ ସହବନ୍ଧିତ ବିଭିନ୍ନ ଜିଲ୍ଲାର ୪୦ ଜଣ ପ୍ରତିଯୋଗୀ ଭାଗନେଇଥିଲେ। ବିଭିନ୍ନ ବର୍ଗ, ଯଥା-ୟୁଥ୍‌ ବାଳକ ଓ ବାଳିକା, କନିଷ୍ଠ ବାଳକ ଓ ବାଳିକା, ଉପକନିଷ୍ଠ ବାଳକ ଓ ବାଳିକା, ପୁରୁଷ ଏଲିଟ୍‌ ଓ ମହିଳା ଏଲିଟ୍‌ରେ ଖେଲାଳି ଅଂଶଗ୍ରହଣ କରି ନିଜ ନିଜ କଳାକୌଶଳ ପ୍ରଦର୍ଶନ କରିଥିଲେ। ଶ୍ରେଷ୍ଠ ପ୍ରଦର୍ଶନକାରୀ ଆସନ୍ତା ୩୦ ତାରିଖରୁ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ। ଶିବିର ପରିଚାଳନାରେ ରାଜ୍ୟ ସଂଘର ଗୋପୀନାଥ ପଣ୍ଡା, ସମ୍ବିତ ମହାନ୍ତି, ମନୋରଞ୍ଜନ ବାରିକ, ପ୍ରଦୀପ ଦାସ, ନିହାର ଦାସ, ପର୍ଶୁରାମ ଚୌଧୁରୀ ପ୍ରମୁଖ ଭୂମିକା ତୁଲାଇଥିଲେ। ଓଡ଼ିଶା ସାଇକ୍ଲିଂ ଆସୋସିଏସନର ଯୁଗ୍ମ ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ସୁଶୀଳ ଦାସ, ଆର୍‌ଏସ୍‌ପି କ୍ରୀଡ଼ା ବିଭାଗର ରଘୁନନ୍ଦନ ପାଢ଼ୀ, ସାଇକ୍ଲିଂ ସଂଘର ରାଜ୍ୟ ସମ୍ପାଦକ ପ୍ରସନ୍ନ ରାଉତ, ବରିଷ୍ଠ ଉପସଭାପତି ନୃସିଂହ ଚରଣ ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିର ଆୟୋଜିତ ହୋଇଥିଲା।