ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କ ଅଭିଯୋଗ ଶୁଣାଣି

କେନ୍ଦୁଝର: ଗାଁକୁ ରାସ୍ତା ନାହିଁ କି ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁନାହିଁ। କେବଳ ଏତିକି ନୁହେଁ, ନିକଟସ୍ଥ ଚୂନପଥର ଖଣିରେ କାମ କରୁଥିବା ସଂଖ୍ୟାଧିକ ଲୋକଙ୍କ ଅକାଳ ମୃତ୍ୟୁ ନେଇ ବି ପ୍ରଶାସନ ଚିନ୍ତିତ ନୁ‌ହେଁ। କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ମଦରଙ୍ଗାଯୋଡ଼ିରେ ଜାତୀୟ ଅନୁସୂଚିତ ଜନଜାତି କମିସନ ସଦସ୍ୟଙ୍କ ଅଭିଯୋଗ ଶୁଣାଣି ବେଳେ ଏଭଳି ମାଳମାଳ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ସମସ୍ତ ଅଭିଯୋଗକୁ ଗୁରତ୍ବର ସହ ନେଇ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ଜାତୀୟ ଅନୁସୂଚିତ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ ଶୁଣାଣିରେ ଶ୍ରୀ ନାୟକଙ୍କ ସମେତ ସରପଞ୍ଚ ରମେଶ ମୁଣ୍ଡା ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରାମର ମୀନାକ୍ଷୀ ମୁଣ୍ଡା ଅଭି‌ଯୋଗ କରିଥିଲେ ଯେ, ଗାଁରେ ଥିବା ଚୂନପଥର ଖଣିରେ ତାଙ୍କ ସ୍ବାମୀ ରମାକାନ୍ତ ମୁଣ୍ଡା ଶ୍ରମିକ ଭାବେ କାମ କରୁଥିଲେ। ଏହି ସମୟରେ ରମାକାନ୍ତ ରୋଗାକ୍ରାନ୍ତ ହୋଇପଡ଼ିଥିଲେ। ଧୀରେଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ଶେଷରେ ତାଙ୍କର ମୃତ୍ୟୁ ଘଟିଲା। ସ୍ବାମୀ ଅସୁସ୍ଥ ଥିବାବେଳେ ଚିକିତ୍ସା ସହାୟତା ମଳିଲା ନାହିଁ କି ମୃତ୍ୟୁ ପରେ କ୍ଷତିପୂରଣ ଦେଲା ନାହିଁ ଖଣି କମ୍ପାନି।

ସେହିପରି ଦଶମୀ ବାରିକଙ୍କ ଅଭିଯୋଗ ମଧ୍ୟ ସମାନ ଥିଲା। ତାଙ୍କ ସ୍ବାମୀ ଘାଷିନାଥ ବାରିକ ଏହି ଚୂନପଥର ଖଣିରେ କାମ କରିବାବେଳେ ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ବି ତାଙ୍କୁ କ୍ଷତିପୂରଣ ମିଳିନାହିଁ। ସ୍ବାମୀ ଅସୁସ୍ଥ ଥିବାବେଳେ ଯେଉଁ ଧାରକରଜ କରିଥିଲେ ତାହା ମଧ୍ୟ ସେ ପରିଶୋଧ କରିପାରି ନାହାନ୍ତି ବୋଲି ଦଶମୀ ଅଭିଯୋଗ କରିଛନ୍ତି। ସେହିପରି କଇଁଫୁଲ ପଲେଇଙ୍କ ସ୍ବାମୀ ଫିଟୁ ପଲେଇ, ଗୁର ବେ‌ହେରାଙ୍କ ସ୍ବାମୀ ଦୁଃଖବନ୍ଧୁ ବେହେରାଙ୍କ ମଧ୍ୟ ସମାନ କାରଣରୁ ମୃତ୍ୟୁ ଘଟଇଥିବା ଅଭିଯୋଗ ପାଇବା ପରେ ଶ୍ରୀ ନାୟକ ବିବ୍ରତ ହୋଇଥିଲେ। ତୁରନ୍ତ ଏକ ଡାକ୍ତରୀ ଦଳ ପଠାଇ କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ରୋଗ ବ୍ୟାପୁଛି ତାହା ଜଣାଇବାକୁ ଡାକ୍ତର ସୁଦର୍ଶନ ମହାନ୍ତଙ୍କୁ ନିର୍ଦେଶ ଦେଇଥିଲେ। ବିରଞ୍ଚି ମହାକୁଡ଼ ଗାଁର ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ଗାଁକୁ ରାସ୍ତା ନାହିଁ। ମହାନ୍ତିସାହି ଛକରୁ କୁମ୍ପୁଡିହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ସେ ଦାବି ଜଣାଇଥିଲେ। ସେହିପରି ଗାଁ ସ୍କୁଲ୍‌ରେ ଶିକ୍ଷକ ନାହାନ୍ତି। ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏହାଛଡ଼ା ଗ୍ରାମରେ ପାନୀୟଜଳ ସୁବିଧା ନଥିବା ବରଞ୍ଚି ଅଭିଯୋଗ କରିଥିଲେ।

ଗାଁ ଗୌରଚନ୍ଦ୍ର ବାରିକ ପୁଲିସ ବିରୋଧରେ ଅଭିଯୋଗ କରିଥିଲେ। ସ୍ଥାନୀୟ ପୁଲିସ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଛି। ଏହାର ଉପଯୁକ୍ତ ତଦନ୍ତ କରିବାକୁ ସେ କହିଥିଲେ। କ୍ଷେତ୍ରବାସୀ ଖୁଣ୍ଟିଆଙ୍କ ପୁଅ ଶିବ ଖୁଣ୍ଟିଆଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ପୁଲିସ ତାହାକୁ ଏଡ଼ାଇ ଯାଇ ଦୁର୍ଘଟଣାର ରୂପ ଦେଉଛି। ସଠିକ୍‌ ତଦନ୍ତ କରିବାକୁ କ୍ଷେତ୍ରବାସୀ ନିବେଦନ କରିଛନ୍ତି। ଗ୍ରାମର ୬୦ ବର୍ଷୀୟା ବୃଦ୍ଧା ରାସାଇ ମୁଣ୍ଡାଙ୍କ ଅସୁସ୍ଥ ହୋଇ ଘରେ ପଡ଼ିଥିବା ‌ବେଳେ ତାଙ୍କୁ ଚିକିତ୍ସାସେବା ମିଳିପାରୁ ନାହିଁ। ତୁରନ୍ତ ତାଙ୍କୁ ଚିକିତ୍ସାସେବା ଯୋଗାଇଦେବାକୁ ଉପସ୍ଥିତ ଡାକ୍ତରଙ୍କୁ କମିସନ ସଦସ୍ୟ ଶ୍ରୀ ନାୟକ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର