ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସବିତା କଚିମ। ବୟସ ପାଖାପାଖି ୨୨ ବର୍ଷ ହେବ। ମାଲକାନଗିରି ପୌରପରିଷଦ ଅଧିନରେ ରହିଥିବା ନୂଆଗୁଡାରେ ଘର। ସବିତା ଛୋଟ ଥିବା ବେଳେ ହିଁ ବାପା ମାତା କୋଚିମଙ୍କର ଦେହାନ୍ତ ହୋଇଯାଇଛି। ମାତା ହିରାମଣୀ କୋଚିମ ହିଁ ୫ ପିଲାଙ୍କୁ ବହୁ କଷ୍ଟରେ ବଡ କରିଛନ୍ତି। ସବିତାଙ୍କରର ଦୁଇ ଭଉଣୀ ଏବଂ ଦୁଇ ଜଣ ଭାଇ ରହିଛନ୍ତି। ପିଲାଟି ଦିନରୁ ହିଁ ସବିତା ଖେଳ ପ୍ରତି ପ୍ରବଳ ଆଗ୍ରହ ଦେଖାଉଥିଲେ। ଦୌଡିବା ଠାରୁ ଆରମ୍ଭ କରି ସେ ସବୁ ଖେଳରେ ସିଦ୍ଧହସ୍ତ ଥିଲେ। କିନ୍ତୁ ସବିତା ଭଲିବଲ ଖେଳିବା ପ୍ରତି ଆକୃଷ୍ଟ ହୋଇଥିଲେ।

Advertisment

ତାଂକର ସୁନ୍ଦର ଭଲିବଲ ଖେଳ ପ୍ରତି ସ୍କୁଲରେ କ୍ରୀଡା ଶିକ୍ଷକ ପ୍ରଥମେ ଜାଣିପାରିଥିଲେ। ପରେ ଶିକ୍ଷକମାନେ ତାଂକୁ ଭଲିବଲ ଖେଳିବାକୁ ପ୍ରେରଣା ଦେଇଥିଲେ।କ୍ରୀଡା ହଷ୍ଟେଲରେ ରହି ସବିତା ଭଲିବଲର ପ୍ରଶିକ୍ଷଣ ନେବା ସହ ଜିଲ୍ଲା ଭଲିବଲ ଟିମରେ ନିଜର ସ୍ଥାନର ସୁରକ୍ଷିତ ରଖିବାରେ ସଫଳ ହୋଇଥିଲେ। ଜିଲ୍ଲାରେ ଭଲ ପ୍ରଦର୍ଶନ କରିବା ପରେ ତାଙ୍କୁ ରାଜ୍ୟସ୍ତରକୁ ଖେଳିବା ପାଇଁ ବଛାଯାଇଥିଲା। ସେଠାରେ ମଧ୍ୟ ସବିତା ଭଲ ପ୍ରଦର୍ଶନ କରିବାକୁ ତାଂକୁ ରାଜ୍ୟସ୍ତରରେ ଜଣେ ଆଗ ଧାଡିର ଭଲିବଲ ଖେଳାଳୀ ରୂପେ ପରିଚୟ ସୃଷ୍ଟି କରିପାରିଥିଲେ। ପରେ ସେ ଜାତୀୟ ଅଣ୍ଡର-୧୪, ଅଣ୍ଡର-୧୯ ଟୁର୍ଣ୍ଣାମେଣ୍ଟ ଗୁଡିକରେ ଭାଗ ନେଇ ବହୁ ପୁରସ୍କାର ଲାଭ କରିଛନ୍ତି। ଜାତୀୟସ୍ତର ଭଲିବଲ ମ୍ୟାଚ ଖେଳିବା ପାଇଁ ସେ ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ, କେରଳ ଭଳି ରାଜ୍ୟଗୁଡିକକୁ ଯାଇ ଖେଳିଛନ୍ତି।

ତେବେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ବଦଳି ଏବଂ କରୋନା ଯୋଗୁଁ ସେ ଏସବୁ ଖେଳରୁ ବଂଚିତ ହୋଇଯାଇଛନ୍ତି। କରୋନା ଯୋଗୁଁ ପରିବାରରେ ଚଳିବା ଏକ ପ୍ରକାର କଷ୍ଟକର ହୋଇପଡିଥିଲା। ଗତ ଆଠ ମାସ ହେଲା ସେ ଭଲିବଲ ଖେଳ ଛାଡିଦେଇଥିବା କହନ୍ତି। ଗୋଟିଏ ପଟେ ପାଠ ପଢିବାର ପ୍ରବଳ ଆଗ୍ରହ ଅନ୍ୟପଟେ ପରିବାରକୁ ସହଯୋଗ କରିବାର ଚିନ୍ତା ମଧ୍ୟ ତାଙ୍କୁ ଖେଳରୁ ଦୂରେଇ ଦେଉଛି। ଏବେ ସେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ। ପାଠ ପଢିବା ପାଇଁ ଅର୍ଥ ଦରକାର ପଡୁଥିବା ବେଳେ ଘର ଚଳାଇବା ପାଇଁ ମଧ୍ୟ ତାଂକର ସହଯୋଗ ଦରକାର ପଡୁଥିଲା। ତେଣୁ ସେ ମାଲକାନଗିରି ଡିଏନକେସ୍ଥିତ ଏକ ତେଜରାତି ଦୋକାନରେ କାମ କରୁଛନ୍ତି।

ମାତ୍ର ଚାରି ହଜାର ଟଂକାରେ ସେ ଏଠାରେ କାମ କରି ନିଜର ପାଠ ପଢିବା ଖର୍ଚ୍ଚ ଏବଂ ପରିବାର ଚଳିବା ଖର୍ଚ୍ଚ ବାହାର କରୁଛନ୍ତି। କରୋନା ଯୋଗୁଁ ସ୍କୁଲ କଲେଜ ବନ୍ଦ ରହିଥିବାରୁ ସେ ଘରେ ଖାଲିରେ ବସି ରହିଥିଲେ। ଗୋଟିଏ ଦିଗରେ ଖେଳରୁ ଦୂରେଇ ଯାଉଥିବା ବେଳେ ପାଠ ପଢାରେ ମଧ୍ୟ ଅସୁବଧା ହେଉଥିଲା। ସରକାରଙ୍କ ତରଫରୁ ଏଭଳି ଜାତୀୟସ୍ତରର ଖେଳାଳୀଙ୍କୁ ଥଇଥାନ କରାଯିବା ପାଇଁ ଯୋଜନା ରହିଥିଲେ ମଧ୍ୟ ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଂଚଳରେ ଆଗୁଆ ପିଲାଙ୍କୁ କୌଣସି ସୁଯୋଗ ମିଳୁନଥିବାରୁ ସାଧାରଣରେ ଏନେଇ ଅସଂତୋଷ ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲାରେ କରୋନା ଧିରେ ଧିରେ କମୁଥିବାରୁ ସବିତା ପ୍ରତିଦିନ ସକାଳୁ ଫିଟନେସ ପାଇଁ ଦୌଡିବା ଏବଂ କ୍ରିକେଟ ଖେଳିବା ଆରମ୍ଭ କରିଥିବା କହିଥିଲେ।

ଏବେ ମଧ୍ୟ ସେ ଭଲ ଭଲିବଲ ଖେଳିପାରିବେ ବୋଲି କହନ୍ତି। ତାଙ୍କୁ ସୁଯୋଗ ମିଳିଲେ ସେ ଜାତୀୟସ୍ତରର ଜଣେ ଆଗଧାଡିର ଖେଳାଳୀ ହୋଇ ବାହାରିବେ ବୋଲି ଦୃଢକ୍ତି ପ୍ରକାଶ କରନ୍ତି। କିନ୍ତୁ ଆଦିବାସୀ ଅଂଚଳର ଝିଅମାନଙ୍କୁ ଆଗକୁ ବଢିବାକୁ ଦିଆଯାଉନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ସେ ନିଜକୁ ପୁଣି ଜଣେ ଭଲ ଭଲିବଲ ଖେଳାଳୀ ରୂପେ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ। ସେ ନିଜର ଦୁଃଖକୁ କାହା ଆଗରେ ନକହି ନିଜେ ହିଁ ତାକୁ ସାମ୍ନା କରିବାକୁ ଚାହାନ୍ତି ବୋଲି କହିଥିଲେ। ସବିତା ଭଳି ବହୁ ଜାତୀୟସ୍ତରରେ ଖେଳାଳୀ ମାଲକାନଗିରିରେ ଏବେ ବହୁ କଷ୍ଟରେ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ଚିହ୍ନଟକରି ସେମାନଙ୍କୁ ପ୍ରଶାସନ ଓ ସରକାରଙ୍କ ତରଫରୁ ସହଯୋଗର ହାତ ବଢାଇଲେ ଜିଲ୍ଲା ଏବଂ ରାଜ୍ୟର ନାମକୁ ଆଗକୁ ନେଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।