ମତଦାନ ହାର ବଢ଼ିଲେ ଗଣତନ୍ତ୍ର ସୁଦୃଢ଼ ହେବ: ଅତିରିକ୍ତ ଜିଲ୍ଲାପାଳ

ଫୁଲବାଣୀରେ ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଆଜି ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ଅନୁଷ୍ଠିତ ହୋଇ ଯାଇଛି। ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲି ବାହାରିଥିଲା। ଜିଲ୍ଲାପାଳ ଡା.ବୃନ୍ଦା ଡି ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ଏହି ରାଲିରେ ବିଭିନ୍ନ ସ୍କୁଲ, କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନରୁ ଶତାଧିକ ଛାତ୍ରଛାତ୍ରୀ ଏବଂ ସଚେତନ ନାଗରିକ ସାମିଲ ହୋଇଥିଲେ।

ପୂର୍ବାହ୍ନରେ ବିଜୁସ୍ମୃତି କଲ୍ୟାଣ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଯୋଗ ଦେଇ ମତଦାନ ହାର ବଢ଼ିଲେ ଗଣତନ୍ତ୍ର ସୁଦୃଢ଼ ହେବ ବୋଲି କହିବା ସହ ଏ ଦିଗରେ ଯୁବଗୋଷ୍ଠୀ ଅଧିକ ସଚେତନ ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଫୁଲବାଣୀ ଉପଜିଲ୍ଲାପାଳ ସୁରେଶଚନ୍ଦ୍ର ପ୍ରଧାନ,ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ କୈଳାସଚନ୍ଦ୍ର ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ସମେତ ବହୁ ସରକାରୀ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଜାତୀୟ ଭୋଟର ଦିବସ ପାଳନର ଉଦ୍ଦେଶ୍ୟ ନେଇ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।

ଜାତୀୟ ଭୋଟର ଦିବସ ପରିପ୍ରେକ୍ଷୀରେ ଆୟୋଜିତ କୁଇଜ ଓ ସ୍ଲୋଗାନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ନିର୍ବାଚନ ଅଧିକାରୀ ତଥା ଡେପୁଟି କଲେକ୍ଟର ଅର୍ଜୁନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ କର୍ମଚାରୀ ପିତାମ୍ବର ବେହେରା, ଆଶିଷ ପ୍ରଧାନ, ପ୍ରଶାନ୍ତ କାଣ୍ଡି, ସୁଜିତ ପତି, ସୂର୍ଯ୍ୟନାରାୟଣ ଦାସ ଏବଂ ପ୍ରଦୀପ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର