ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଓ ଓଡ଼ିଶା ଫୁଟବଲ ସଂଘ (ଫାଓ)ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ ଷ୍ଟାଡ଼ିୟମରେ ଚାଲିଥିବା ୨୮ତମ ଜାତୀୟ ମହିଳା ଫୁଟବଲ ଚାମ୍ପିଅନସିପ୍ ଉଦଯାପିତ ହୋଇଯାଇଛି। ସର୍ବାଧିକ ୧୨ ପଏଣ୍ଟ ପାଇ ଓଡ଼ିଶା ଗ୍ରୁପ-ଇ ଚାମ୍ପିଅନ ହୋଇଛି। ଗୋଆ ୭ ପଏଣ୍ଟ, ଅରୁଣାଚଳପ୍ରଦେଶ ୬, ଗୁଜରାଟ ୪ ପଏଣ୍ଟ ଓ ମେଘାଳୟ ଶୂନରେ ବିଦାୟ ନେଇଛି। ପଞ୍ଚମ ଦିବସରେ ପୂର୍ବାହ୍ନ ୧୦ଟାରେ ଅରୁଣାଚଳପ୍ରଦେଶ ଓ ଗୁଜରାଟ ମଧ୍ୟରେ ହୋଇଥିବା ମ୍ୟାଚରେ ଅରୁଣାଚଳପ୍ରଦେଶ ୩-୧ ଗୋଲରେ ବିଜୟୀ ହେଲା। ଦଳର ୟୁମଲମ ଲମି ୨ ଗୋଲ (୫୧ ଓ ୯୦ ମିନିଟରେ) ରୋଶନୀ ମନ୍ୟୁ ୭୫ ମିନିଟରେ ୧ ଗୋଲ ଦେଇଥିବାବେଳେ ଗୁଜରାତର ଭୂମିସା ଦ୍ରାବିଡ଼ (୬୫ ମିନିଟରେ) ଗୋଟିଏ ଗୋଲ୍ ଦେବାରେ ସକ୍ଷମ ହୋଇଥିଲେ।

Advertisment

ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ଓଡ଼ିଶା ଓ ଗୋଆ ମଧ୍ୟରେ ମ୍ୟାଚ୍ ହୋଇଥିଲା। ଓଡ଼ିଶା ଗୋଆକୁ ଖେଳର ପୂରା ସମୟ ଚାପରେ ରଖି ୨-୦ ଗୋଲରେ ବିଜୟୀ ହୋଇ ସର୍ବାଧିକ ୧୨ ପଏଣ୍ଟରେ ଗ୍ରୁପ ଚାମ୍ପିଅନ ଘୋଷିତ ହେଲା । ଓଡ଼ିଶାର ଯଶୋଦା ମୁଣ୍ଡା ଖେଳର ୨ ମିନିଟରେ ଓ ମାଲତି ମୁଣ୍ଡା ୧୨ ମିନିଟରେ ଗୋଟିଏ ଲେଖାଏଁ ଗୋଲ୍ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ମୁଖ୍ୟ ଅତିଥି ଭାବେ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲ, ସମ୍ମାନିତ ଅତିଥି ରୂପେ ସେଣ୍ଟ ଟେରେସା ଇଂରାଜି ବିଦ୍ୟାଳୟ ଅଧ୍ୟକ୍ଷା ସିଷ୍ଟର ପି.ସେଲଭି, ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲଳିତରଂଜନ ସାହୁ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

publive-image

ଜାତୀୟ ମହିଳା ଫୁଟବଲ ମ୍ୟାଚ ଦେଖିବାକୁ ଷ୍ଟାଡ଼ିୟମ ଗ୍ୟାଲେରିରେ ଫୁଟବଲପ୍ରେମୀ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି ମେରିଜନ ବାଗେ, ପୌଷଚନ୍ଦ୍ର ପଟେଲ, ବିମଳ ବୋଷ, ଜୟଦେବ ପାତ୍ର, ରାଜେନ୍ଦ୍ର ପାଣ୍ଡେ, ନିତ୍ୟକୁମାର ବଳ, ରୋମାଞ୍ଚ ଭୈଷାଲ, ବିଶ୍ବରଂଜନ ହୋତା, ସୁଶୀଳ ପଟେଲ, ରବି ମହାପାତ୍ର, ଆଶିଷ ଦେ, ବୀରମିତ୍ର କାଲୋ, ଶିଶିର ପଟେଲ, ଶ୍ୟାମନନ୍ଦନ ସହାୟ, ପ୍ରସାଦ ନାଏକ ପ୍ରମୁଖଙ୍କ ତତ୍ତ୍ବାବଧାନରେ ମ୍ୟାଚ ପରିଚାଳିତ ହୋଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ସେଣ୍ଟ ଟେରେସା ବିଦ୍ୟାଳୟର ଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ବାହାର ରାଜ୍ୟର ଖେଳାଳି ଓ ସ୍ଥାନୀୟ ଦର୍ଶକଙ୍କ ମନ ମୋହିଥିଲେ। ସୁନ୍ଦରଗଡ଼ ଷ୍ଟାଡ଼ିୟମରେ ପ୍ରଥମ ଥର ପାଇଁ ଏକ ଜାତୀୟ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ଜିଲ୍ଲାର ଫୁଟବଲ ଖେଳାଳି ଓ ଫୁଟବଲପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏଥିପାଇଁ କ୍ରୀଡ଼ା ସଂସଦ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଓ ଯୁଗ୍ମସମ୍ପାଦକ ଅଭିଜିତ ପାଲଙ୍କୁ କୃତଜ୍ଞତା ଜଣାଇଥିଲା।