ଝାରସୁଗୁଡ଼ା: ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ସହରର ବେହେରାମାଲରେ ଏମ୍‌ସିଏଲ୍‌ର ସିଏସ୍ଆର୍‌ ପାଣ୍ଠିରେ ନିର୍ମାଣ ହୋଇଥିବା ନବ ଦାସ ପ୍ରେକ୍ଷାଳୟ ଉଦ୍‌ଘାଟିତ ହୋଇଯାଇଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଓ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପ୍ରେକ୍ଷାଳୟର ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ଏସ୍‌ପି ସ୍ମିତ୍‌ ପରମାର ପି, ମ୍ୟୁନିସିପାଲିଟି ଅଧ୍ୟକ୍ଷା ରାନୀ ହାତୀ, ପିଡି ଡିଆର୍‌ଡିଏ ତପିରାମ ମାଝୀ, ପିଡି ଆର୍‌ ଆଣ୍ଡ ଆର୍‌ ଆଲୋମଣୀ ସେଠୀ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

‘ଯାହାଙ୍କ ପ୍ରୟାସରେ ଏତେ ବଡ଼ ପ୍ରେକ୍ଷାଳୟ ନିର୍ମାଣ ହେଲା, ତାଙ୍କ ଅବର୍ତ୍ତମାନରେ ଆଜି ତାହା ଉଦ୍‌ଘାଟିତ ହେଲା। ଯଦି ଜାନୁଆରି ୨୯ର ଅଘଟଣ ନ ଘଟିଥା’ନ୍ତା, ତେବେ ଆଜି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହାତରେ ଏହି ପ୍ରେକ୍ଷାଳୟ‌ର ଉଦ୍‌ଘାଟନ ହୋଇଥାନ୍ତା। ଏହି ପ୍ରକଳ୍ପ ତାଙ୍କର ମାନସ ସନ୍ତାନ ଥିଲା। ମୋର କଳ୍ପନା ନ ଥିଲା ନବ ବାବୁଙ୍କ ନାଁରେ ଏହା ନାମିତ ହେବ’ ବୋଲି ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୂଜାରୀ କହିଥିଲେ। ସେପଟେ, ସମ୍ମାନିତ ଅତିଥି ତଥା ବିଧାୟିକା ସୁଶ୍ରୀ ଦାସ ବକ୍ତବ୍ୟ ଦେବା ବେଳେ କୋହଭରା କଣ୍ଠରେ ଏହି ପ୍ରେକ୍ଷାଳୟର ନିର୍ମାଣ ଦିଗରେ ସ୍ବର୍ଗତ ନବ ଦାସଙ୍କର ଅବଦାନ ବଖାଣିଥିଲେ। ଆଜି ସେ ନ ଥ‌ିଲେ ସୁଦ୍ଧା ତାଙ୍କର ଗୋଟିଏ ସ୍ବପ୍ନ ପୂରଣ ହୋଇପାରିଛି ଓ ବିକାଶର ଧାରା ଏଭଳି ଜାରି ରହିବ ବୋଲି ବିଧାୟିକା ସୁଶ୍ରୀ ଦାସ କହିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ଅତିଥିମ‌ାନେ ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ସଭାପରେ ଅଞ୍ଚଳର ସାମାଜିକ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା।

୧୪୦୦ ଆସନ ବିଶିଷ୍ଠ ଏହି ପ୍ରେକ୍ଷାଳୟ ପାଇଁ ୨୦୧୩ ମସିହା ଅଗଷ୍ଟ ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଥିଲା। ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବା ବିଳମ୍ବ ହୋଇଥିଲେ ହେଁ ଗତବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏମ୍‌ସିଏଲ୍‌ର ସିଏସ୍‌ଆର ପାଣ୍ଠି ଓ ଜିଲ୍ଲା ଖଣିଜ ପାଣ୍ଠିରୁ ମୋଟ ୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ବୃହତ୍‌ ପ୍ରେକ୍ଷାଳୟ ନିର୍ମାଣ ହୋଇଛି। ଏଥିରେ ଏକାବେଳକେ ୧୪୦୦ ଲୋକ ବସିପାରିବାର ବ୍ୟବସ୍ଥା ରହିଥିବା ବେଳେ ଶୀତତାପ ନିୟନ୍ତ୍ରଣ, ଅତ୍ୟାଧୁନିକ ଶବ୍ଦ ଓ ଲାଇଟ୍‌ ସଂଯୋଗୀକରଣ ରହିଛି। ଶିଳ୍ପ ଓ ଖଣିଖାଦାନ ଭରା ଜିଲ୍ଲାରେ ଏକ ଉତ୍ତମ ପ୍ରେକ୍ଷାଳୟ ନ ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେବେ ଏହି ପ୍ରେକ୍ଷାଳୟ କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କୁ ଆଉ ଅସୁବିଧା ହେବନି ବୋଲି ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି।

କେଉଁ ନାମରେ ଜାଣିବେ‌ ଲୋକେ?

publive-image

ଏହି ପ୍ରେକ୍ଷାଳୟକୁ ନେଇ ଗତ ୧୫ ଦିନ ହେବ ବିବାଦ ଲାଗି ରହିଛି। ପୂର୍ବରୁ ଏହି ପ୍ରେକ୍ଷାଳୟର ନାଁ ଥିଲା ବେହେରାମାଲ କମ୍ୟୁନିଟି ହଲ୍‌। ତେବେ ନବ ଦାସଙ୍କ ଦେହାନ୍ତ ପରେ ଗତ ଫେବ୍ରୁଆରି ୩ ତାରିଖ ହୋଇଥିବା ପୌର ପରିଷଦ ବୈଠକରେ ଏହାକୁ ନବ ଦାସଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା‌। ଏହାପରେ ଗତ ମାସ ଶେଷ ସପ୍ତାହରେ ଏହି ପ୍ରେକ୍ଷାଳୟରେ ନବ ଦାସ ପ୍ରେକ୍ଷାଳୟ ଷ୍ଟିକରିଂ କରାଯାଇ ଥିଲା। ଯାହାକୁ ନେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ବିରୋଧ କରାଯାଇ ଥିଲା। ତେବେ ଶନିବାର ଉଦ୍‌ଘାଟନର ଅବ୍ୟବହିତ ପୂର୍ବରୁ ନବ ଦାସ ପ୍ରେକ୍ଷାଳୟ ଲେଖାଥିବା ସ୍ଥାନର ଉପରେ ‘ଏମ୍‌ସିଏଲ୍‌’ ଲୋଗୋ ସହ କମ୍ୟୁନିଟି ହଲ୍‌, ଝାରସୁଗୁଡ଼ା ବୋଲି ଷ୍ଟିକରିଂ କରାଯାଇଥିଲା। ଫଳରେ ‌ଲୋକେ ଏବେ କେଉଁ ନାମରେ ଏହି ପ୍ରେକ୍ଷାଳୟକୁ ଜାଣିବେ ତା’କୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି।