ମାଲିକ ନିର୍ଦ୍ଦେଶରେ ବିପଦଜନକ କାମ କରି ଦଶବର୍ଷ ହେଲା ଯନ୍ତ୍ରଣା ଭୋଗୁଛନ୍ତି ନବୀନ 

ଝାରସୁଗୁଡ଼ା: ମାଲିକର କଡ଼ା ନିର୍ଦ୍ଦେଶରେ ବିପଦପୂର୍ଣ୍ଣ ଭାବରେ ଖୁଣ୍ଟରେ ଚଢ଼ି ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇ ଦୀର୍ଘ ଦଶବର୍ଷ ହେଲା ଅକର୍ମଣ୍ୟ ହୋଇ ପଡ଼ି ରହିଛନ୍ତି ନବୀନ। ଦିନ ମଜୁରିଆ ଭାବରେ ଠିକାଦାର ପାଖରେ ବିଦ୍ୟୁତ ଖୁଣ୍ଟ ପୋତିବା କାମରେ ନିୟୋଜିତ ନବୀନ ଭୋଏ (୫୨) ଏବେ ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି। ନବୀନଙ୍କ ଘର ଝାରସୁଗୁଡ଼ା ମାଲିଡିହି ନିକଟ ଗହ୍ମାପାଲି ଗ୍ରାମରେ।

ଏନ୍‌ଟିପିସି ଦ୍ବାରା ୧୧ କେଭି ବିଦ୍ୟୁତ ତାର ଟଣା ଯାଉଥିବା ବେଳେ ନବୀନ ବଡ଼ବାହାଲର ଜନୈକ ଠିକ‌ାଦାର ବିନୋଦ ପଟେଲଙ୍କ ଦ୍ବାରା ଖୁଣ୍ଟ ପୋତା କାମରେ ନିୟୋଜିତ ହୋଇ ଦୈନିକ ମଜୁରିରେ ପ୍ରାୟ ଏକ ବର୍ଷ ଧରି କାମ କରୁଥିଲେ। ଖୁଣ୍ଟ ପୋତୁଥିବା ଶ୍ରମିକଙ୍କ ଠିକାଦାର ବିଦ୍ୟୁତ ତାର ଟଣା କମରେ ବାଧ୍ୟ କରି ଲଗାଉଥିଲେ। ତେଣୁ ନବୀନ ଏଥିରେ ଅମଙ୍ଗ ହୋଇଥିଲେ। ମାତ୍ର ଠିକାଦାର ତାଙ୍କୁ ବାଧ୍ୟ କରି ଖୁଣ୍ଟକୁ ଚଢ଼ି ବିଦ୍ୟୁତ ତାର ସଂଯୋଗ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଫଳରେ ବାଧ୍ୟ ହୋଇ ନବୀନ ଖୁଣ୍ଟକୁ ଚଢ଼ି ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ଗତ ୨୦୧୦ ମସିହା ମଇ ୨ ତାରିଖ ଦିନ ନବୀନ ଦୁର୍ଘଟଣାର ଶିକାର ହୋଇଥିଲେ।

ଖୁଣ୍ଟରେ ଚଢ଼ି ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ତାରରେ ହଠାତ୍‌ ୧୧ କେଭି ବିଦ୍ୟୁତ ପ୍ରବାହିତ ହୋଇଯିବାରୁ ସେ ବିଦ୍ୟୁତ ଆଘାତରେ ଗୁରୁତର ଆହାତ ହୋଇଥିଲେ । ତାଙ୍କ ପିଠି ଓ ଉଭୟ ହାତ ଜଳି ଯାଇ ତଳେ ପଡ଼ି ଯାଇଥିଲେ। ଘର ପାଖରେ ଏହି ଅଘଟଣ ହୋଇଥିବାରୁ ନବୀନଙ୍କ ପରିବାର ଲୋକ‌େ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ବୁର୍ଲା ବଡ଼ ଡାକ୍ତରଖାନାରେ ଦୀର୍ଘ ଏକ ମାସ ଧରି ଜୀବନ ସହ ସଂଗ୍ରାମ କରି ନବୀନ ବଞ୍ଚି ଯାଇଥିଲେ ସତ ମାତ୍ର ସବୁ ଦିନ ପାଇଁ ସେ ଅକର୍ମଣ୍ୟ ହୋଇ ଯାଇଥିଲେ । ବିଦ୍ୟୁତ ଆଘାତରେ ତାଙ୍କ ହାତ ଆଉକାମ କଲାନାହିଁ।

ଆଜିକୁ ଦଶ ବର୍ଷ ହେଲା ସେ ତାଙ୍କ ନିଜ ହାତରେ କୌଣସି କାମ କରି ପାରୁ ନାହାନ୍ତି। ଏପରି କି ସେ ନିଜେ ଖାଇବି ପାରୁ ନାହାନ୍ତି। ଘରେ ବୁଢ଼ୀ ମା, ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ଅଭାବ ଅନଟନରେ ଦୀର୍ଘ ଦଶ ବର୍ଷ ହେଲା ସେ ଜୀବନ ଅତିବାହିତ କରି ଆସିଲେଣି। ଦୁର୍ଘଟଣା ପରେ ଠିକାଦାର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ତାଙ୍କୁ ନ୍ୟାୟ ଦେଇ କିଛି କ୍ଷତି ପୂରଣ ଦେବାକୁ ନବୀନ ଅନେକ ଥର ଥାନାକୁ ଯାଇ ପୁଲିସର ଦ୍ବାରସ୍ତ ହୋଇଛନ୍ତି ମାତ୍ର ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲେ। ପୁଲିସ ତାଙ୍କୁ ଫୋନ୍‌ ନମ୍ବର ଦେବାକୁ କହି ଓ ଠିକାଦାର ସହିତ ଆଲୋଚନା କରି ୬/୭ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ କହି ଆଶ୍ବାସନା ଦେଇ ଘଟଣାକୁ ଏଡ଼ାଇ ଦେଇଯାଇଥିଲେ । ଏ ନେଇ ନବୀନ ଅକେନ ଥର ପ୍ରଶାସନ ପାଖକୁ ଯାଇ ଫେରାଦ କରିଥିଲେ ମଧ୍ୟ କେହି ତାଙ୍କୁ ସହାୟତାର ହାତ ବଢ଼ାଇ ନଥିଲେ। ଠିକାଦାର ତାଙ୍କୁ କ୍ଷତିପୂରଣ ଦେବାତ ଦୂରର କଥା ଥରେ ଦେଖିବାକୁ ମଧ୍ୟ ଆସିନଥିବା ନବୀନ ଅଭିଯୋଗ କରିଛନ୍ତି। ଇତି ମଧ୍ୟରେ ଏହି ଘଟଣାକୁ ଦଶ ବର୍ଷ ବିତିଯାଇଛି ତଥାପି ପ୍ରଶାସନ ହୁଏତ ତାଙ୍କ ଗୁହାରି ଶୁଣିବ ବୋଲି ସେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର