ବିଜେପୁରରେ ନବୀନ କହିଲେ, ମୋ ସରକାର ଆସିଲେ ପ୍ରଥମ ଦିନରେ କାଳିଆ ଯୋଜନାର ଦୁଇଟି କିସ୍ତିର ୧୦ହଜାର ଟଙ୍କା ମିଳିବ

0

ବରଗଡ଼: ଆସନ୍ତା ଏପ୍ରିଲ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଥିବା ବେଳେ ବିଜେଡିର ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ୍‌ ଦଳର ସେନାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ବଲାଙ୍ଗୀରରେ ଦିନ ରାତି ଏକ କରି ପ୍ରଚାର କରିବା ପରେ ଆଜି ସକାଳୁ ପୁଣି ବରଗଡରେ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । ଏହି ଗସ୍ତକାଳରେ ନିଜ ନିର୍ବାଚନୀ ମଣ୍ଡଳୀ ତଥା ବିଜେପୁରରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ଏଥର ହିଞ୍ଜିଳି ସହିତ ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନବୀନ।

ବିଜେପୁରରେ ଦଳ ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ ବିଜେପୁରବାସୀଙ୍କୁ ଉଦବୋଧନ ଦେବା ସହ କବି ଗଙ୍ଗାଧର ମେହେରଙ୍କ ପବିତ୍ର ମାଟିକୁ ମୋର ନମସ୍କାର କହି ଅଭିଭାଷଣ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଭିଭାଷଣରେ ନବୀନ କହିଛନ୍ତି ଯେ, ଗତ ଉପ ନିର୍ବାଚନ ବେଳେ ମୁଁ ବିଜେପୁର ଆସିଥିଲି । ଆପଣଙ୍କର ସ୍ନେହ ଓ ଆଦର ମୋତେ ବହୁତ ଭଲ ଲାଗିଥିଲା । ଆପଣଙ୍କ ଅଂଚଳରୁ ବହୁ ବନ୍ଧୁମାନେ ମୋତେ ବିଜେପୁରରୁ ଲଢିବାକୁ ଅନୁରୋଧ କରିଥିଲେ । ଆଉ ଆପଣଙ୍କ ଅନୁରୋଧ କ୍ରମେ ମୁଁ ଏଠାରୁ ଲଢିବାକୁ ନିଷ୍ପତି ନେଲି ବୋଲି କହିଛନ୍ତି ନବୀନ ।

ତେବେ ବିଜେପୁର ସଭା ମଂଚରୁ ବି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ‘କାଳିଆରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ହେଲେ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ । ବିଜେପୁରର ବିକାଶ ମୋର ଦାୟିତ୍ୱ । ଆପଣମାନେ ମୋର ପରିବାର। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ଏବଂ ଶଂଖ ଚିହ୍ନକୁ ବିପୁଳ ମାତ୍ରାରେ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହାପୂର୍ବରୁ ନବୀନ ବରଗଡ ନିର୍ବାଚନୀ ସଭାରୁ ୨ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ବରଗଡ ଧନୁଯାତ୍ରା ପଡିଆରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ୨ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ସୁପ୍ରିମୋ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଦିଲ୍ଲୀରେ ଓଡିଶା ପାଇଁ ନେତାମାନେ ପାଟି ଖୋଲୁ ନାହାଁନ୍ତି । ନିର୍ବାଚନ ସମୟ ଆସିଲେ ଓଡିଶାରେ ପ୍ରଚାର କରୁଛନ୍ତି । ଏହା ସହିତ କହିଛନ୍ତି କାଳିଆ ଟଙ୍କାକୁ କେହି ବନ୍ଦ୍‌ କରିପାରିବେ ନାହିଁ । ତାଙ୍କ ସରକାର କ୍ଷମତାକୁ ଆସିବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇଟି କିସ୍ତିର ୧୦ହଜାର ଟଙ୍କା ସମସ୍ତ ଚାଷୀଙ୍କ ଅକାଉଂଟକୁ ଯିବ । ଏହା ସହିତ ଦଳୀୟ ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ୍‌ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ ନବୀନ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.