ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ: ଭୋଟିଂ ବୁଥ ଭିତରେ ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ଫଟୋ,ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ

ବାରିପଦା: ‘ଭୋଟ ବୁଥ କେନ୍ଦ୍ର ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗିଛି ବିଶାଳ ଫଟୋ ଚିତ୍ର। ଯୁଆଡେ ଦେଖିବେ ସେଆଡ଼େ ଦେଖାଯାଇଛି ଅବ୍ୟବସ୍ଥା। ସରକାରୀ କଳ ଓ ବଳ ଲଗାଇଛନ୍ତି।’  ଏହିଭଳି ଅସନ୍ତୋଷ ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ। ଆଜି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ନିଜ ପୈତୃକ ଗ୍ରାମ ମୟୁରଭଂଜ ଜିଲ୍ଲାର ମୋରୋଡା ବ୍ଲକ ଅନ୍ତର୍ଗତ ୮ନମ୍ବର ବୁଥ ଖୁଣ୍ଟାପାଳ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଦେଇଛନ୍ତି।

ତେବେ କେନ୍ଦ୍ରମନ୍ତ୍ରୀ ଆଜି ନିଜେ ଭୋଟ ଦେଉଥିବା ବୁଥ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରାଟ ଫଟୋ ଚିତ୍ରକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସେ ମୟୁରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଜଣାଇ ଥିବା ମଧ୍ୟ କହିଛନ୍ତି। ଖାଲି ଏତିକି ନୁହେଁ, ବରଂ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଆଜି ବିଭିନ୍ନ ବୁଥମାନଙ୍କରେ ମଧ୍ୟ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ଭୋଟରଙ୍କ ସଂଖ୍ୟା ଅନୁଯାୟୀ ବୁଥଗୁଡ଼ିକରେ ଠିକ ଭାବେ ବ୍ୟବସ୍ଥା କରାଯାଇ ନଥିବା ନେଇ ଅଭିଯୋଗ କରିଛନ୍ତି। ଲୋକେ ଭୋଟ ଦେବା ପାଇଁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ ଭୋଟ ଦେବାକୁ ନେଇ ଉତ୍ସାହ ଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ଜାଣି ଶୁଣି ଅବ୍ୟବସ୍ଥା କରି ଲୋକଙ୍କ ଉତ୍ସାହକୁ ପ୍ରଭାବିତ କରିବା ନେଇ ଚେଷ୍ଟାରତ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ।

କେନ୍ଦ୍ରମନ୍ତ୍ରୀ ଆଜି ମୟୁରଭଂଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲିବା ପରେ ସେ ଫଳାଫଳକୁ ନେଇ ମଧ୍ୟ ବେଶ ଆଶାବାଦୀ ରହିଛନ୍ତି। ପରିବର୍ତ୍ତନ ସ୍ୱର ବିଜେପିକୁ ବେଶ ଫଳପ୍ରଦ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର