ଭୁବନେଶ୍ୱର: ଦୀର୍ଘ ୧୮ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ବ୍ୟକ୍ତିଗତ ଭାବରେ ନବୀନ ପଟ୍ଟନାୟକଙ୍କୁ ଅର୍ଥର ଅଭାବ ରହିଛି। ଏଥିରୁ ସେ ନିସ୍ତାର ପାଇବା ପାଇଁ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ ନେଇଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ଦାଖଲ କରିବା ପରେ ତାଙ୍କର ସଂପତ୍ତି ବାବଦରେ ଏହି ତଥ୍ୟ ଲୋକଲୋଚନକୁ ଆସିଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଂଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି।
ନବୀନ ପଟ୍ଟନାୟକ ନାମାଙ୍କନ ବେଳେ ନିଜର ସଂପତ୍ତି ତାଲିକା ଦେଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ପାଖରେ ୨୫ ହଜାର ଟଙ୍କା ନଗଦ ଅଛି। ଜାତୀୟ ରାଜଧାନୀ ଦିଲ୍ଲୀ ସଂସଦ ଭବନସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ୧୭୩୦ ଟଙ୍କା ଅଛି। ବାପୁଜୀ ନଗର ଏସବିଆଇରେ ୧୪ ଲକ୍ଷ ୨୦ ହଜାର ଟଙ୍କା ଥିବା ବେଳେ ହିଞ୍ଜିଳି ଏସବିଆଇରେ ୨ଟି ଆକାଉଣ୍ଟରେ ଯଥାକ୍ରମରେ ୬୪୬୫ ଟଙ୍କା ଓ ୧ ହଜାର ଟଙ୍କା ଅଛି।
/sambad/media/post_attachments/wp-content/uploads/2019/03/naveen-patnaik.jpg)
ନବୀନଙ୍କ ପାଖରେ ଥିବା ୧୯୮୦ ମଡେଲର ଆମ୍ବାସାଡର କାରର ମୂଲ୍ୟ ୮୯୦୫ ଟଙ୍କା। ତାଙ୍କ ପାଖରେ ୨ ଲକ୍ଷ ୧୨ ହଜାର ଟଙ୍କାର ଗହଣା ଓ ରତ୍ନପଥର ଥିବା ବେଳେ ତାଙ୍କର ସ୍ଥାବର ସଂପତ୍ତିର ମୂଲ୍ୟ ହେଉଛି ୨୩ ଲକ୍ଷ ୨୬ ହଜାର ଟଙ୍କା। ନବୀନଙ୍କ ଫରିଦାବାଦରେ ୨୨.୭ ଏକର ଆକାରର ଫାର୍ମ ହାଉସ୍ ଅଛି, ଯାହାର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ଟଙ୍କା। ସେହିପରି ନବୀନ ନିବାସ ୨.୧୩୩ ଏକର ଜମିରେ ନିର୍ମାଣ ହୋଇଛି, ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ୍ୟ ବୋଲି ସେ ପ୍ରାର୍ଥୀପତ୍ରରେ ଦର୍ଶାଇଛନ୍ତି। ଏତଦ୍ ବ୍ୟତୀତ ଦିଲ୍ଲୀ ଘରରେ ନବୀନଙ୍କ ଅଂଶଧନ ୬୩ କୋଟି ୬୪ ଲକ୍ଷ ଟଙ୍କା ହେବ। ନବୀନ ନାମାଙ୍କନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆର୍ଥିକ ବର୍ଷ ୨୦୧୭-୧୮ରେ ସେ ମୋଟ ୨୧ ଲକ୍ଷ ୧୭ ହଜାର ଟଙ୍କା ଆୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/naveen-final.jpg)