ମାଲକାନଗିରି: ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର, ଛତିଶଗଡ ଏବଂ ତେଲେଙ୍ଗାନାରେ ନକ୍ସଲଙ୍କ ପତିଆରା ବେଶୀ ରହିଛି। ନକ୍ସଲ ଗୋଟିଏ ସ୍ଥାନରେ ଅଘଟଣ ଘଟାଇ ଅନ୍ୟ ସ୍ଥାନକୁ ଲୁଚି ଚାଲିଯିବାରେ ସଫଳ ହେଉଛନ୍ତି। ନକ୍ସଲ ମହିଳାଙ୍କୁ ନିର୍ଯାତନା ଦେବା ଘଟଣା ପୂର୍ବରୁ ବହୁ ବାର ଗଣମାଧ୍ୟମରେ ପ୍ରକାଶ ପାଇସାରିଛି। ନକ୍ସଲଙ୍କ ଆଉ ଏକ ଗୁପ୍ତ ରହସ୍ୟ ପଦାକୁ ଆସିଛି। ଏବେ ପୁଣି ନାବାଳିକାମାନଙ୍କୁ ନିର୍ଯାତନା ଦେବା ସହ ସେମାନଙ୍କୁ ପୁଲିସ ଇନଫର୍ମର କରିବା ପାଇଁ ନକ୍ସଲଙ୍କର ଯୋଜନାର ପର୍ଦାଫାସ ହୋଇଛି।

Advertisment

ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ତିନି ଜଣ ନାବାଳିକା ଆତ୍ମସମର୍ପଣ କରି ନିଜର ଦୁଃଖଦ କାହାଣୀ ବଖାଣିଛନ୍ତି। ଆବୁଝମାଡା ଅଞ୍ଚଳରେ ନକ୍ସଲ କିଛି ଯୁବତୀଙ୍କୁ ଅପହରଣ କରିନେଇ ନକ୍ସଲ ସଂଗଠନରେ ସଦସ୍ୟ ହେବାକୁ ବାଧ୍ୟ କରିଥିଲେ। ସେମାନଙ୍କୁ ନିର୍ଯାତନା ଦେବା ସହ ନକ୍ସଲ ତାଲିମ ପ୍ରଦାନ କରିଥିଲେ। ଏପରିକି ସେମାନଙ୍କୁ ପ୍ରଥମେ ପୁଲିସ ଇନଫର୍ମର ଭାବେ ଗାଁରେ ରହି ପୁଲିସର ଗତିବିଧି ସଂପର୍କରେ ସୂଚନା ଦେବାକୁ ବାଧ୍ୟ କରାଯାଉଥିଲା।

ପୁଲିସ କେଉଁଆଡେ ଯାଉଛି। ବିଭିନ୍ନ ବଜାରକୁ ଯାଇ ପୁଲିସ କଣ କରୁଛି ଗୁଇନ୍ଦା ରିପୋର୍ଟ ଦେବାକୁ କୁହାଯାଉଛି। ତେବେ ଜଣେ ନାବାଳିକା ଝିଅକୁ ନିର୍ଯାତନା ଦେବା ସହ ତାକୁ ଦିନ ତମାମ ହାତଗୋଡ ବାନ୍ଧି ପକାଇ ରଖିବା ସହ ଖାଇବା ପିଇବାକୁ ଦିଆଯାଇନଥିଲା। ଏହାପରେ ନକ୍ସଲ ସଂଗଠନରେ ଥିବା ତିନି ଜଣ ଝିଅ ଜଂଗଲରୁ ଖସି ଆସି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ପୁଲିସ ନିକଟରେ ଏହି ନକ୍ସଲଙ୍କର ଏହି କ୍ରୁରତା ବିଷୟରେ କହିଛନ୍ତି। ଏସପି ଉଦୟ କିରଣ ନକ୍ସଲଙ୍କର ଏହି କାର୍ୟ୍ୟକୁ ନିନ୍ଦା କରିବା ସହ ନକ୍ସଲ ପିଲା ଏବଂ ନାବାଳିକଙ୍କୁ ଟାର୍ଗେଟ କରିବା ବନ୍ଦ କରନ୍ତୁ ବୋଲି କହିଛନ୍ତି।