ସୀମାନ୍ତ ଛତିଶଗଡ଼ରେ ପୁଲିସ-ନକ୍ସଲ ଗୁଳିବିନିମୟ: ୧୧ ଯବାନ ଆହତ, ଜଣେ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଅନ୍ତର୍ଗତ ମେନପା ଜଙ୍ଗଲରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ୧୧ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଏଥିସହ ଜଣେ ନକ୍ସଲ ମୃତ୍ୟୁ ହୋଇଥିବା ଜଣାପଡିଛି। ସୁକମା ଜିଲ୍ଲାର ମେନପା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଥିବା ନେଇ ଖବର ପାଇବା ପରେ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ମିଳିତ ଭାବେ ଚଢ଼ାଉ କରିଥିଲେ।

ନକ୍ସଲମାନେ ପୁଲିସକୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୧୧ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଚାଲିଥିବା ଜଣାପଡିଛି। ଆହତ ୧୧ ଜଣ ଯବାନକୁ ବୁରକାପଲ କ୍ୟାମ୍ପକୁ ଅଣାଯାଇଛି। ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ଚାଲିଥିବା ଜଣାପଡିଛି। ତେବେ ଜଣେ ନକ୍ସଲ ମଧ୍ୟ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ଛତିଶଗଡର କାଂକେର ଜିଲ୍ଲାରେ ଗତ ୧୬ ତାରିଖରେ ନକ୍ସଲମାନେ ପୁଣି ହିଂସାତ୍ମକ ହୋଇଥିଲେ। ସେମାନେ ବିଏସଏଫ ଯବାନଙ୍କୁ ଟାର୍ଗେଟ କରିଥିଲେ। ନକ୍ସଲମାନେ ପୁଲିସ ପାର୍ଟି ଏବଂ ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରିବା ସହ ଅତର୍କିତ ଗୁଳି ବର୍ଷଣ କରିଥିଲେ। ଏହି ଘଟଣା ଜଣେ ଯବାନ ଆହତ ହୋଇଥିବା ବେଳେ ବହୁ ନକ୍ସଲ ମଧ୍ୟ ଆହତ ହୋଇଥିଲେ। ୧୫୭ ମହଲା କ୍ୟାମ୍ପର ବିଏସଏଫ ବାଟାଲିନୟର ଯବାନ କୁମ୍ବିଂ କରିବାକୁ ଯାଇଥିଲେ। ତେବେ ପୂର୍ବରୁ ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖି ନକ୍ସଲ ପ୍ରଥମେ ବୋମା ବିସ୍ଫୋରଣ କରିଥିଲେ।ଏହି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିଲେ। ଆହତ ଯବାନ କୃପା ଶଂକରଯତାଂକୁ ତୁରନ୍ତ ରାୟପୁର ସ୍ଥାନାନ୍ତରିତ କରାଯାଇଥିଲା।

ସମ୍ବନ୍ଧିତ ଖବର