ପ଼ଡୋଶୀ ରାଜ୍ୟ ଏବେ ବି ନକ୍ସଲ କବଳରେ; ଲୋକଙ୍କ ଶାନ୍ତି ଆଉ ବିକାଶ ପାଇଁ ଯବାନ ଏବେ ବି ଜଗି ରହିଛନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ପଡୋଶୀ ରାଜ୍ୟ ଛତିଶଗଡକୁ ଏବେ ବି କଳା ବାଦଲ ଘେରି ରହିଛି। ସବୁବେଳେ ହିଂସା,ମାରପିଟ,ହତ୍ୟା,ଲୁଟପାଟ ଭଳି ହିଂସା ଜାରି ରହିଛି। ନକ୍ସଲ ଏବେ ବି ଛତିଶଗଡକୁ ନିଜ କବଳରେ ରଖିଛନ୍ତି। ଅନ୍ୟଦିଗରେ ନକ୍ସଲଙ୍କ ଠାରୁ ଛତିଶଗଡକୁ ରକ୍ଷା କରିବା ପାଇଁ ଯବାନ ଲଗାତାର ଦିନରାତି ପଇଁତରା ମାରୁଛନ୍ତି। ଏଠାରେ ଶାନ୍ତି ସ୍ଥାପନ କରିବା ପାଇଁ ଦିନରାତି ଯବାନ ଏକ କରି  ଦେଇଛନ୍ତି।ତେଣୁ ନକ୍ସଲଙ୍କର ଦାଦାଗିରି ଏବେ ଧିରେ ଧିରେ କମିବାରେ ମଧ୍ୟ ଲାଗିଛି।ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳରେ ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି।

ଆଜି ସୁଦ୍ଧା ବସ୍ତର ଅଂଚଳରେ ୧୨୩୭ ଜଣ ଯବାନ ସହିଦ ହୋଇ ସାରିଲେଣି। ୨୦୦୭ରେ ରାଣୀ ବୋଦଲି ଠାରେ ରହିଥିବା ଯବାନଙ୍କ କ୍ୟାମ୍ପ ଉପରେ ନକ୍ସଲ ହମଲା କରିଥିଲେ। ଏହି ଗୁଳିବିନିମୟରେ କ୍ୟାମ୍ପରେ ଥିବା ଯବାନଙ୍କର ଗୁଳି ସରିଯାଇଥିଲା। ଯାହାଫଳରେ ନକ୍ସଲ କ୍ୟାମ୍ପରେ ପଶି ପେଟ୍ରୋଲ ବୋମାରେ ଯବାନଙ୍କୁ ହତ୍ୟା କରିଚାଲିଲେ। ଏହି ଘଟଣାରେ ୫୫ ଜଣ ଯବାନ ସହିଦ ହୋଇଥିଲେ। ଘଟଣାସ୍ଥଳ ଶ୍ମଶାନ ପାଲଟିଯାଇଥିଲା। ଚାରିଆଡେ ଶବ ବିଛେଇ ହୋଇ ପଡିଥିଲା।

ଛତିଶଗଡ ରାଜ୍ୟ ହେବା ପରେ ବସ୍ତରରେ ଏହା ଥିଲା ସବୁଠାରୁ ବଡ ଘଟଣା। ସେହିପରି ୨୦୧୦ ମସିହାରେ ତାଟମେଟଲା ଠାରେ ଦେଶର ସବୁଠାରୁ ବଡ ହମଲା ନକ୍ସଲ କରିଥିଲେ। ଏଠାରେ ନକ୍ସଲ ଯବାନଙ୍କୁ ଆମ୍ବୁସରେ ଫସାଇ ୭୬ ଜଣକୁ ହତ୍ୟା କରିଥିଲେ। ଏହି ବର୍ଷ ହିଁ ଚିଙ୍ଗାବରମ ଠାରେ ଗୋଟିଏ ବସକୁ ଉଡାଇ ଦେଇଥିଲେ। ଯେଉଁଥିରେ ୨୦ ଜଣ ଯବାନ ମୃତ୍ୟୁବରଣ କରିଥିଲେ।

୨୦୧୪ ମାର୍ଚ୍ଚ ମାସରେ ତାହକବାଡା ଠାରେ ୧୬ ଜଣ ଯବାନଙ୍କୁ ନକ୍ସଲ ଟାର୍ଗେଟ କରି ହତ୍ୟା କରିଥିଲେ। ସେହିପରି ୨୦୧୭ ମସିହାରେ ବୁର୍କାପାଲ ଠାରେ ୨୫ ଜଣ ଯବାନଙ୍କୁ ହତ୍ୟା କରିଥିଲେ। ୨୦୨୦ ମସିହାରେ ଚିନ୍ତାଗୁମ୍ଫା ଠାରେ ଯବାନଙ୍କ ଉପରେ ଅତର୍କିତ ଗୁଳି ଚଳାଇ ୧୭ ଜଣ ଯବାନଙ୍କୁ ହତ୍ୟା କରିବା ବଳେ ୨୦୨୧ରେ ଟେକଲଗୁଡା ଠାରେ ଆମ୍ବୁସରେ ଫଶାଇ ୨୨ ଜଣ ଯବାନଙ୍କୁ ହତ୍ୟା କରିଥିଲେ।

ଛତିଶଗଡରେ ବିକାଶ କାର୍ଯ୍ୟ କରିବା ଏକ ପ୍ରକାର ଚ୍ୟାଲେଞ୍ଜ କହିଲେ ଅତ୍ୟୁକ୍ତି ହେବ ନାହିଁ।ବସ୍ତର ଅଂଚଳର କମାରଗୁଡା,ଟେଟମ,ପୋଟାଲୀ,ଛିଦନାର,ବଡେ କରକା,ଚିକପାଲ,ବୋଦଲି ଭଳି ଅଂଚଳରେ ଯବାନ ଏବେ ବି ଦନରାତି ପଇଁତରା ମାରୁଛନ୍ତି।ଲୋକଙ୍କୁ ଶାନ୍ତିରେ ଶୋଇବା ପାଇଁ ଦିନରାତି ଏକ କରି ନକ୍ସଲଙ୍କୁ ଜଗି ରହିଛନ୍ତି।ଏବେ ଲୋକେ ଏହି ଅଂଚଳରେ ସ୍ବାଧୀନତାର ଉତ୍ସବ ପାଳନ କରିଥିଲେ। ଯବାନ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ଶାନ୍ତି ପାଇଁ କାମ କରୁଛନ୍ତି।

 

ସମ୍ବନ୍ଧିତ ଖବର