ସୀମାନ୍ତ ଜଙ୍ଗଲରେ ମହିଳା ନକ୍ସଲ ପାଳିଲେ ବିଶ୍ବ ମହିଳା ଦିବସ

କମ୍ରେଡ ନିର୍ମଳାଙ୍କ ସହ ଅନ୍ୟ ମହିଳାଙ୍କୁ ତୁରନ୍ତ ମୁକ୍ତ ପାଇଁ ଦାବି ହେଲା

ମାଲକାନଗିରି: ଆନ୍ତର୍ଜାତୀୟ ମହିଳା ଦିବସକୁ ସାରା ବିଶ୍ବ ପାଳନ କରୁଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ମହିଳା ନକ୍ସଲ। ମାଲକାନଗିରି ଜିଲ୍ଲାର ସୀମାନ୍ତ ସୁକମା ଜଙ୍ଗଲରେ ନକ୍ସଲ ପାଳିଲେ ବିଶ୍ବ ମହିଳା ଦିବସ। ସୁକମା ଅଞ୍ଚଳରେ ଭେରମଗଡ ଏରିଆ କମିଟି ପକ୍ଷରୁ କେରଲାପାଲ ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲରେ ମହିଳା ନକ୍ସଲ ପାଳିଲେ ବିଶ୍ବ ମହିଳା ଦିବସ। ହଜାର ହଜାର ମହିଳାଙ୍କୁ ନେଇ ଜଙ୍ଗଲରେ  ଏକ ବିରାଟ ରାଲିର ଆୟୋଜନ କରାଯାଇଥିଲା।

ସମସ୍ତେ ଆଦିବାସୀ ସଂପ୍ରଦାୟର ମହିଳା ଉପସ୍ଥିତ ଥିଲେ। ଏମାନେ ମହିଳା ଦିବସର ତାତ୍ପର୍ଯ୍ୟ ଜାଣି ନଥିଲେ ମଧ୍ୟ ମହିଳା ନକ୍ସଲମାନେ ସଭା କରି ଏହାର ତାତ୍ପର୍ଯ୍ୟ ବିଷୟରେ ମହିଳାମାନଙ୍କୁ ବୁଝାଇଥିଲେ। ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର, ନିର୍ଯାତନା, ଦୁଷ୍କର୍ମ ଇତ୍ୟାଦି ସଂପର୍କରେ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ ବୋଲି ମହିଳା ନକ୍ସଲମାନେ ଆହ୍ବାନ ଦେଇଥିଲେ। ପୁଲିସ ଏବଂ ଯବାନମାନଙ୍କ ଦ୍ବାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ହତ୍ୟାକୁ ନେଇ ବିରୋଧ କରାଯାଇଥିଲା। ଏପରିକି ମହିଳା ଦିବସ ଉପଲକ୍ଷେ ସୁକମା ଅଞ୍ଚଳର ବହୁ ସ୍ଥାନରେ ପୋଷ୍ଟର ଫିଙ୍ଗି ଏହି ଦିବସକୁ ପାଳନ କରିବାକୁ ଆହ୍ବାନ କରାଯାଇଥିଲା।

କ୍ରାନ୍ତିକାରୀ ଆଦିବାସୀ ମହିଳା ସଂଗଠନ ନାମରେ ଏହି ପୋଷ୍ଟର ଫିଙ୍ଗା ଯାଇଥିଲା। ଏଥିସହ କମ୍ରେଡ ନିର୍ମଳାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରାଯାଇଥିଲା। କେବଳ ନିର୍ମଳା ନୁହନ୍ତି,ପୁଲିସ ଦ୍ବାରା ମିଥ୍ୟା କେଶରେ ଫସାଇ ବହୁ ମହିଳାଙ୍କୁ ବନ୍ଦୀ କରାଯାଇଛି। ସେମାନଙ୍କୁ ମଧ୍ୟ ତୁରନ୍ତ ମୁକ୍ତି ଦିଆଯାଉ ବୋଲି ସଭାରେ ନକ୍ସଲମାନେ ଦାବି କରିଥିଲେ। ଭେରମଗଡ ଏରିଆ କମିଟି ତରଫରୁ ଆୟୋଜିତ ମହିଳା ଦିବସରେ ଶଥାଧିକ ମହିଳା ନକ୍ସଲ ଉପସ୍ଥିତ ରହି ସରକାର ଏବଂ ପୁଲିସ ବିରୋଧରେ ଗର୍ଜିଥିଲେ। ଏହି ସରକାରଙ୍କର ଶାସନରେ ମହିଳାଙ୍କୁ ମିଳୁନାହିଁ ସେମାନଙ୍କର ଅଧିକାର ବୋଲି କୁହାଯାଇଥିଲା। ମହିଳା ଦିବସ ଜିନ୍ଦାବାଦରେ ଜଙ୍ଗଲ ଫାଟି ପଡୁଥିଲା। ପ୍ରତିବର୍ଷ ନକ୍ସଲ ବିଭିନ୍ନ ଅଞ୍ଚଳରେ ମହିଳାମାନଙ୍କୁ ନେଇ ମହିଳା ଦିବସ ପାଳନ କରିଆସୁଛନ୍ତି। ତେବେ ଏନେଇ ପୁଲିସ ନିକଟରେ କୌଣସି ଖବର ନାହିଁ। ମହିଳା ଦିବସ ପାଳନ ପାଇଁ ସାମ୍ବାଦିକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଏହାର ପ୍ରଚାର ପ୍ରସାର ପାଇଁ ଅନୁରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର