ସରଣ୍ଡାରେ ହିଂସା ମୁହାଁ ନକ୍ସଲ: ୨୨ ଦିନରେ ନେଲେଣି ୪ ଜୀବନ

ଉଡାଉଛନ୍ତି ସରକାରୀ କାର୍ଯ୍ୟାଳୟ, ଜାଳୁଛନ୍ତି ଗାଡି

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ପୁଣି ମାତିଛନ୍ତି ନକ୍ସଲ। ନିଜର ଉପସ୍ଥିତି ଜାହିର କରିବାକୁ ଭିଆଉଛନ୍ତି ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ। ସ୍ଥାନୀୟ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କୁ ଖୋଲା‌ଖୋଲି ଚାଲେଞ୍ଜ ଦେବାକୁ ବି ଏମାନେ ପଛାଉ ନାହାନ୍ତି। ସଙ୍ଗଠନର ନେତୃତ୍ବ ନେଉଛନ୍ତି ସୁନ୍ଦରଗଡ଼, ଦେବଗଡ ଓ ସମ୍ବଲପୁର ଜୋନ୍‌ ତଥା ଝାଡ଼ଖଣ୍ଡର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିବା ମିସିର ବେସ୍‌ରା ଓ କିସନ ଦା। ଏମାନଙ୍କ ମୁଣ୍ଡଜାମିନ ପାଇଁ ଝାଡ଼ଖଣ୍ଡ ସରକାର କୋଟିଏ ଲେଖାଏଁ ଟଙ୍କା ଘୋଷଣା କରିଛନ୍ତି।

କେବଳ ମିସିର ବେସ୍‌ରା ନୁହେଁ ନକ୍ସଲ ସଙ୍ଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ପତିରାମ ମାଝି ଓରଫ୍‌ ଅନଲ ଦା। ଯାହାର ମୁଣ୍ଡ ଜାମିନ୍‌ ପାଇଁ ୨୫ ଲକ୍ଷ ଟଙ୍କା ସରକାର ରଖିଛନ୍ତି। ଗତ ପ୍ରାୟ ୨୨ ଦିନ ଭିତରେ ସୀମାନ୍ତରେ ଲାଣ୍ଡମାଇନ୍‌ ବିସ୍ଫୋରଣରେ ୪ ନିରୀହ ଗ୍ରାମବାସୀଙ୍କ ଜୀବନ ନେଇଛନ୍ତି। ସରଣ୍ଡା ଜଙ୍ଗଲ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା, ଜରାଇକେଲା, ଭାଲୁଲତା, ମନ୍‌କୋ, ରାମଲୋଇ, ଚାନ୍ଦିପୋଷ, ଲଙ୍ଗଳକଟା, ଟୋପାଡିହି, ରେଞ୍ଜଡାକୁ ଲାଗିଥିବାରୁ ଏସବୁ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ବଢ଼ିଛି। ସେମିତି ଓଡ଼ିଶା ସୀମାନ୍ତ ଝାରଖଣ୍ଡ ଟଣ୍ଟୋ, ଜେଟେୟା, ଗୁଆ, ମନୋହରପୁର, ଗୋଏଲକେରା, ସୋନୁଆ ଆଦି ଅଞ୍ଚଳରେ ମଧ୍ୟ ହିଂସାକାଣ୍ଡମାନ ଘଟାଇ ପୂର୍ବପରି ନିଜର ଉପସ୍ଥିତି କରୁଛନ୍ତି। ସୁନ୍ଦରଗଡ଼ ଏବଂ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଲୁହାପଥର କାରବାର, କେନ୍ଦୁପତ୍ର, ବେଆଇନ ବାଲି ଚାଲାଣ, ସରକାରୀ କୋଠା, ରାସ୍ତାଘାଟ ନିର୍ମାଣକରୁଥିବା ଠିକା ସଂସ୍ଥା ଓ ଶିଳ୍ପପତିଙ୍କ ଠାରୁ ମୋଟା ଅଙ୍କର ଲେଭି (ଚାନ୍ଦା) ନେଉଥିବା ଅନେକ ସମୟରେ ଅଭିଯୋଗ ହେଉଛି। ଏସବୁ କାରଣରୁ ନକ୍ସଲ ସଙ୍ଗଠନ ସରଣ୍ଡା ଜଙ୍ଗଲକୁ ନିଜର ସୁରକ୍ଷିତ ଆଡ୍ଡାସ୍ଥଳ ଭାବେ ବାଚ୍ଛିନେଇଛନ୍ତି। କାରଣ ସରଣ୍ଡାରେ ଏମାନଙ୍କୁ ଧରିବା ସିଆର୍‌ପିଏଫ୍‌ ଯବାନ ଓ ସ୍ଥାନୀୟ ପୁଲିସ ପାଇଁ ଚାଲେଞ୍ଜ ହୋଇଛି।

ସରଣ୍ଡା ଜଙ୍ଗଲରେ ଶିବିରଗୁଡ଼ିକ କରି ହିଂସାକାଣ୍ଡର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ସଙ୍ଗଠନ ଚଳାଇବାକୁ ଆବଶ୍ୟକ ଅର୍ଥ ଓ ମାରଣାସ୍ତ୍ର ପାଇଁ ଯୋଜନା ହେଉଛି। ମିସିର ବେସ୍‌ରା ସହ ନକ୍ସଲ ନେତା ପ୍ରଶାନ୍ତ ବୋଷ ଓରଫ୍‌ କିସନ ଦା ଓ ତାଙ୍କ ପତ୍ନୀ ଶୀଳା ମଧ୍ୟ ସରଣ୍ଡା ଜଙ୍ଗଲରେ ନକ୍ସଲ ସଙ୍ଗଠନର ନେତୃତ୍ବ ନେଉଛନ୍ତି। ଏମାନଙ୍କ ନାଁରେ ରାଉରକେଲା ପୁଲିସ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ଉଲ୍ଲେଖଯୋଗ୍ୟ, ଗତ ୧୬ ଫେବ୍ରୁଆରିରେ ଗୋଏଲକେରା କଦମଡିହି ପଞ୍ଚାୟତ ଅଫିସକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ଏହାର କିଛି ଦିନ ପୂର୍ବରୁ ନକ୍ସଲମାନେ ରାସ୍ତା ନିର୍ମାଣରେ ନିୟୋଜିତ ୫ ଗାଡିକୁ ଜାଳି ଦେଇଛନ୍ତି। ସେମିତି ଗୋଏଲକେରା ମୁଖ୍ୟ ରାସ୍ତା ବରକେରା ଓ ସୋଏତବା ମଧ୍ୟରେ ଥିବା କଲର୍ଭଟକୁ ମଧ୍ୟ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ଗତ ୨୫ ‌‌ଫେବ୍ରୁଆରିରେ ସିଆର୍‌ପିଏଫ୍‌ ଯବାନ ଓ ସ୍ଥାନୀୟ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ ନକ୍ସଲ ସହଯୋଗୀକୁ ଗିରଫ କରିଥିଲେ। ଏମାନଙ୍କ ନିକଟରୁ ୫ ଡେଟୋନେଟର ଓ ୫ଟି ଜିଲେଟିନ୍‌ ଜବତ କରାଯାଇଥିଲା। ଏମାନେ ନକ୍ସଲ ସଙ୍ଗଠନକୁ ବିସ୍ଫୋଟକ ସାମଗ୍ରୀ ପହଞ୍ଚାଉଥିଲେ।

ସମ୍ବନ୍ଧିତ ଖବର