ଏନକାଉଣ୍ଟରରେ ଦୁର୍ଦାନ୍ତ ନକ୍ସଲ ସଂତୋଷର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଆଜି ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ଦୁର୍ଦାନ୍ତ ନକ୍ସଲର ମୃତ୍ୟୁ ହୋଇଥିବା ଏସପି ଅଭିଷେକ ପଲ୍ଲବ କହିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ପୋରଦେମ ଜଂଗଲରେ ଚଢାଉ କରିଥିଲେ। ଏହି ଜଂଗଲରେ ପୂର୍ବରୁ ନକ୍ସଲ କ୍ୟାମ୍ପ କରି ରହିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।

ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗୁଳିବିନିମୟ ହୋଇଥିଲା। ନକ୍ସଲ ପରେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ମୃତ ଦେହକୁ ଉଦ୍ଧାର କରିବା ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି। ମୃତ ମାଓବାଦୀ ଜଣକ ମଲଙ୍ଗର ଏରିଆ କମିଟିର ସଦସ୍ୟ ସଂତୋଷ ମାରକାମ ବୋଲି ଜଣାପଡିଛି। ସଂତୋଷ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ସଂତୋଷ ନାମରେ ଅରନପୁର ଥାନାରେ ୨୫ରୁ ଉର୍ଦ୍ଧ୍ବ ମାମଲା ଦର୍ଜ ହୋଇଛି। ତେବେ ଘଟଣାସ୍ଥଳରୁ ପୁଲିସ ଗୋଟିଏ ପିସ୍ତଲ,ବିସ୍ଫୋରକ ସାମଗ୍ରୀ ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି। ବର୍ତ୍ତମାନ ମଧ୍ୟ ଜଂଗଲରେ ଯବାନ ସର୍ଚ୍ଚ ଅପରେସନ ଜୋରଦାର କରୁଥିବା ଏସପି ଶ୍ରୀ ପଲ୍ଲବ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର