ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲର ମୃତ୍ୟୁ, ୮ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ଦୁର୍ଦାନ୍ତ ନକ୍ସଲର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଇନ୍ଦ୍ରାବତୀ ଏରିଆ କମିଟିର ନକ୍ସଲ ମାନେ  କୌଣସି ଏକ ବଡ଼ ଅଘଟଣ ଘଟାଇବା ନେଇ ଯୋଜନା କରୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ଦୁର୍ଦାନ୍ତ ନକ୍ସଲର ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ନକ୍ସଲ ଜଣକ ହେଲା ରାମସୁ। ସେ ଜଣେ କୋମାଣ୍ଡର ଏବଂ ମଲେଶ ର ଅଙ୍ଗରକ୍ଷୀ ବୋଲି ଜଣାପଡିଛି। ରାମସୁ ନାମରେ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପିସ୍ତଲ ସହ ୫ କିଲୋର ବୋମା ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଏବେବି ଯବାନ ସର୍ଚ୍ଚ ଅପରେସନ କରୁଛନ୍ତି।

ସୁକମା ପୁଲିସକୁ ମିଳିଛି ବଡ ସଫଳତା। ଯବାନ ସର୍ଚ୍ଚ ଅପରେସନ ବେଳେ ୭୮ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ୨୦୧ କୋବ୍ରା ବାଟାଲିୟନ ଏବଂ ଜିଲ୍ଲା ପୁଲିସ ଚିନ୍ତାଳନାର ଅଂଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ଜବନଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯବାନ ନକ୍ସଲଙ୍କ ସମସ୍ତ ଚାଲ ଜାଣିପାରି ନକ୍ସଲଙ୍କ କିପରି କାବୁ କରିବେ ସେନେଇ ଯୋଜନା କରି ସମସ୍ତ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲେ। ଏସପି ସୁନୀଲ ଶର୍ମାଙ୍କ କହିବା ହେଲା ଗତ ୨ ତାରିଖରୁ ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ।ଏହି ସମୟରେ ନକ୍ସଲ ବୋମା ଖଞ୍ଜୁ ଥିବା ଯବାନ ଦେଖିଥିଲେ।ଏମାନଙ୍କ ମଧ୍ୟରୁ କବସି ରାଜୁକୁ କାବୁ କରିବା ପରେ ସେ ସମସ୍ତ ବିଷୟ ବଖାଣି ଥିଲା। ରାଜୁ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ସେହିପରି ଏହି ୮ ଜଣଙ୍କ ମଧ୍ୟରୁ କଲମୁ ନାମରେ ୫ ଲକ୍ଷ ଏବଂ କମରାଜ, ମାଡ଼କାମ ସମେତ ସମସ୍ତଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବା ପୁଲିସ କହିଛି। ପୁଲିସ ଏମାନଙ୍କୁ ଧରି ପଚାର ଉଚରା କରୁଛି।ଏମାନଙ୍କ ଠାରୁ ୫ ଓ ୧୦ କିଲୋ ଓଜନର ବୋମା ସହ ନକ୍ସଲ ସାମଗ୍ରୀ ଜବତ କରିଛି।

ସମ୍ବନ୍ଧିତ ଖବର