ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତର ଆବୁଝମାଡ ଅଂଚଳର ମାସପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୁଲିସ ଇନଫର୍ମର ସଂଦେହରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ମାସପୁର ଗ୍ରାମକୁ ଘେରିଯାଇଥିଲେ।ଏହି ଗ୍ରାମର ସାଲୁ ପଟାଇ ନାମକ ବ୍ୟକ୍ତି ନିଜ ପରିବାର ସହ ଭୋଜନ କରୁଥିଲେ। ଭୋଜନ କରୁଥିବା ସମୟରେ ଅଚାନକ ଘରେ ନକ୍ସଲ ପଶିଯାଇ ସାଲୁଙ୍କୁ ଟାଣି ଟାଣି ନେଇଯାଇଥିଲେ। ଘରର ପଛପଟେ କାଠ ଫାଳିଆରେ ମାରି ମାରି ହତ୍ୟା କରିଥିଲେ।
ପରିବାର ଲୋକଙ୍କ ସାମ୍ନାରେ ହିଁ ନକ୍ସଲ ଏଭଳି ହତ୍ୟାକାଣ୍ଡ ଘଟାଇଥିଲେ। ପ୍ରକାଶ ଥାଉକି ଗ୍ରାମକୁ ବହୁ ସଂଖ୍ୟାରେ ନକ୍ସଲ ଘେରି ରହିଥିଲେ।ସାଲୁ ନକ୍ସଲ ଆସିଥିବା ଜାଣିପାରିଥିଲେ। କିନ୍ତୁ ଖସି ପଳାଇବାର କୌଣସି ବାଟ ନଥିଲା। ଶବକୁ ଜଂଗଲ ନିକଟରେ ନେଇ ଫିଙ୍ଗି ଦେଇଥିଲେ। ଆଜି ସକାଳେ ସୁରକ୍ଷାକର୍ମୀ ଶବକୁ ଜବତ କରିବା ସହ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।ତେବେ ଶବ ନିକଟରେ ଛାଡିଯାଇଥିବା ପୋଷ୍ଟରରେ ନକ୍ସଲ ପୁଲିସ ସହ ମିଶି ସାଲୁ ନକ୍ସଲଙ୍କୁ ଦମନ କରିବାକୁ ଚେଷ୍ଟା କରୁଥିଲା, ତେଣୁ ତାକୁ ମୃତ୍ୟୁ ଦଣ୍ଡ ଦିଆଗଲା ବୋଲି ଉଲ୍ଲେଖ ରହିଛି।