ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା କମାଣ୍ଡୋଙ୍କ ପରାକ୍ରମ : ଧ୍ବଂସ କଲେ ନକ୍ସଲଙ୍କ ସହିଦ ସ୍ତମ୍ଭ

ମାଲକାନଗିରି : ଅନ୍ତର୍ଜାତୀୟ ମହିଳା ଦିବସରେ ନିଜର ଦମ ଦେଖାଇଛନ୍ତି ମହିଳା କମାଣ୍ଡୋ । ସେମାନେ ନକ୍ସଲଙ୍କର ଏକ ସହିଦସ୍ତମ୍ଭକୁ ଧ୍ବଂସ କରିବାରେ ସାହସ ଦେଖାଇଛନ୍ତି ।

ଘଟଣାଟି  ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲା ଅନ୍ତର୍ଗତ ଆରନପୁର ଥାନା ଅଂଚଳର ଜାଭେଲି ଗ୍ରାମରେ । ମାଓ ନେତା ଭୀମାଙ୍କ ଦ୍ବାରା ଏକ ସ୍ମାରକ ଏଠାରେ ନିର୍ମାଣ କରାଯାଇଥିଲା। ନକ୍ସଲମାନେ ଜବରଦସ୍ତ ଗ୍ରାମବାସୀଙ୍କୁ ଚାପ ପକାଇ ଏଠାରେ ସହିଦସ୍ତମ୍ଭ ନିର୍ମାଣ କରିଥିଲେ। ମାତ୍ର ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ତେବେ ଏହି ଅଂଚଳକୁ ଏବେ ସୁରକ୍ଷାକର୍ମୀ ଘେରି ରହିଥିବାରୁ ଗ୍ରାମବାସୀ ଏହାକୁ ତୁରନ୍ତ ନଷ୍ଟ କରିବା ପାଇଁ ଦାବି କରିଥିଲେ। ଆଜି ମହିଳା ଦିବସ ଅବସରରେ ମହିଳା ଦନ୍ତେଶ୍ବରୀ ମହିଳା କମାଣ୍ଡୋମାନେ ଏହି ସହିଦସ୍ତମ୍ଭକୁ ସଂପୂର୍ଣ୍ଣ ଧ୍ବଂସ କରିଥିଲେ । ନକ୍ସଲ ଗଡରେ ପଶି ମହିଳା କମାଣ୍ଡୋମାନେ ନକ୍ସଲଙ୍କୁ ଚ୍ୟାଲେଞ୍ଜ କରି ଏଭଳି ସାହସିକତା ଦେଖାଇଥିବାରୁ ସବୁ ମହଲରେ ପ୍ରଶଂସା କରାଯାଉଛି।ମହିଳା କମାଣ୍ଡୋ ମାନେ କିପରି ଏହି ସହିଦସ୍ତମ୍ଭକୁ ଭାଙ୍ଗୁଛନ୍ତି ଏହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି । ଏହାକୁ ନେଇ ମହିଳା ପୁଲିସଙ୍କର ମଧ୍ୟ ମନବଳ ବଢିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର