୨୦ ବର୍ଷରେ ୧୪୪ ଯବାନ, ୩୫ ଜଣ ରାଜନେତା ଓ ୨୫୦ ଜଣସାଧାରଣ ଜନତାକୁ ହତ୍ୟା କରିଛନ୍ତି ନକ୍ସଲ

ନକ୍ସଲଙ୍କ ପିଏଲଜିଏକୁ ୨୦ ବର୍ଷ: ପ୍ରେସନୋଟ ଜାରି କଲେ ଦରଭା ଡିଭିଜନର ସଚିବ ସାଇନାଥ

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ନକ୍ସଲଙ୍କ ପିଏଲଜିଏ ସପ୍ତାହ ପାଳନର ଆଜି ଦ୍ବିତୀୟ ଦିନ। ମାଲକାନଗିରି ଜିଲ୍ଲାରେ ଏହି ପିଏଲଜିଏ ସପ୍ତାହକୁ ନେଇ ପୁଲିସ ଜୋରାଦାର କୁମ୍ବିଂ କରୁଥିବା ବେଳେ ସୀମାକୁ ସିଲ କରିଛି। ଯାନବାହାନ ଯାଞ୍ଚ କରାଯାଉଥିବା ବେଳେ ନକ୍ସଲଙ୍କ ଗତିବିଧି ଉପରେ ଗୁଇନ୍ଦା ନଜର ରଖିଛି।

ଜିଲ୍ଲାରେ ସରକାରୀ ବସ ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ ଉନ୍ନୟନ କାମ ମଧ୍ୟ ଠପ୍ ହୋଇଯାଇଛି। ସପ୍ତାହ ଧରି ନକ୍ସଲ ଏହି ଦିବସରେ ଯୁବକ ଓ ଯୁବତୀମାନଙ୍କୁ ନକ୍ସଲ ସଂଗଠନରେ ସାମିଲ କରିବା ପାଇଁ ଜୋରଦାର ଉଦ୍ୟମ କରିବେ। ଜିଲ୍ଲାର ଦୁର୍ଗମ ଅଞ୍ଚଳର ଯୁବକଯୁବତୀମାନଙ୍କୁ ଜବରଦସ୍ତ ହେଉ ବା ପ୍ରଲୋଭନ ଦେଖାଇ ସଂଗଠନ ସହ ଜଡିତ କରିଥାନ୍ତି। ତେବେ ପିଏଲଜିଏ ସପ୍ତାହ ଆରମ୍ଭରୁ ଦରଭା ଡିଭିଜନର ସଚିବ ସାଇନାଥ ଏକ ପ୍ରେସ ନୋଟ ଜାରି କରିଛନ୍ତି।

ପ୍ରେସ ନୋଟରେ ଉଲ୍ଲେଖ କରାଯାଇଛି ଯେ ଚଳିତ ବର୍ଷ ପିଏଲଜିଏକୁ ୨୦ ବର୍ଷ ପୁରିଲା।ଏହି ୨୦ ବର୍ଷ ମଧ୍ୟରେ ନକ୍ସଲ ୧୪୪ ଜଣ ଯବାନଙ୍କୁ ହତ୍ୟା କରିଥିବା ବେଳେ ୩୫ ଜଣ ରାଜନେତା ଏବଂ ୨୫୦ ଜଣ ସାଧାରଣ ଜନତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏହି ପିଏଲଜିଏକୁ ଜନତାଙ୍କ ନିକଟରେ ପହଞ୍ଚାଇବା ସହ ଅଧିକରୁ ଅଧିକ ଯୁବକଯୁବତୀ ଏଥିରେ ସାମିଲ ହେବାକୁ ମାଓନେତା ଆହ୍ବାନ କରିଛନ୍ତି। ଗତ ୨୦୦୬ ମସିହାରେ ଦରଭା ଡିଭିଜନର ବିସ୍ତାର କରାଯାଇଥିଲା। ଗତ ୧୩ ବର୍ଷ ମଧ୍ୟରେ ପିଏଲଜିଏଲ ସୈନିକମାନେ ଏହି ଡିଭିଜନରେ ୨୩ଟି ଗରିଲା ଯୁଦ୍ଧ କରିଥିବା ବେଳେ ୫ଟି ସବୁଠାରୁ ବଡ ହମଲା,୮ଟି ମଧ୍ୟମ ଧରଣର ହମଲା ଏବଂ ୧୦ଟି ଛୋଟ ଛୋଟ ହମଲା କରାଯାଇଛି।

ଦରଭା ଡିଭିଜନରେ ପିଏଲଜିଏର ସ୍ଥାପନ ପରେ ୧୪୪ ଜଣ ଯବାନଙ୍କୁ ହତ୍ୟା କରାଯାଇସାରିଛି।ଏପରିକି ୧୧୮ ଜଣ ପୁଲିସ କର୍ମଚାରୀଙ୍କୁ ଆହତ ମଧ୍ୟ କରିବାରେ ସଫଳ ହୋଇଛି।ସେହିପରି ୧୩ ଜଣ ଗୋପନୀୟ ସୈନିକଙ୍କୁ ହତ୍ୟା କରିବା ସହ ୫୪ ଜଣ ପୁଲିସ ଇନଫର୍ମର,୩୫ ଜଣ ଜନ ବିରୋଧୀ ରାଜନେତା,୫ ଜଣ ଗଦ୍ଦାର ଏବଂ ୨ ଜଣ କୋରପୋରେଟରଙ୍କୁ ହତ୍ୟା କରାଯାଇଛି।ସେହିପରି ସୁରକ୍ଷାକର୍ମୀଙ୍କ ୮୫ ବନ୍ଧୁକ ମଧ୍ୟ ଲୁଟ କରିବାରେ ଆମେ ସଫଳ ହୋଇଛୁ ବୋଲି ମାଓନେତା ସାଇନାଥ ପ୍ରେସ ନୋଟରେ ପ୍ରକାଶ କରିଛି।

ଗତ ୨୦୧୩ ମସିହାରେ ଝିରମ ଘାଟିରେ ସରଵା ଜୁଡିମ ନେତା ମହେନ୍ଦ୍ର କରମାକୁ ହତ୍ୟା  

ସଂଗଠନ ଜଳ, ଜଂଗଲ ଓ ଜମି ପାଇଁ ଲଢେଇ କରିଆସୁଛି।ଏଠାରେ ନିର୍ମାଣ ହେବାକୁ ଥିବା ବହୁ ଖଣି ଖଦାନକୁ ରୋକ ଲଗାଇ ପାରିଛି। ଶତ୍ରୁ ନିକଟରେ ଆତ୍ମସମର୍ପଣ ନକରିବାକୁ ଆହ୍ବାନ ଦିଆଯାଇଛି। ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାର ମାଥିଲି ଅଂଚଳରେ ଦରଭା ଡିଭିଜନ କାମ କରୁଛି। ଏହି ଅଂଚଳରେ ଦରଭା ଡିଭିଜନର ବଡ ବଡ ନେତା ଆସି ଲୋକଙ୍କ ନିକଟରେ ପହଞ୍ଚି ସଂଗଠନରେ ଜଡିତ ହେବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି।ତେବେ ପୁଲିସ ଏନେଇ ସତର୍କ ରହିଥିବା ଜଣାପଡିଛି। ଗତ ୨୦୧୩ ମସିହାରେ ଝିରମ ଘାଟିରେ ସରଵା ଜୁଡିମ ନେତା ମହେନ୍ଦ୍ର କରମାକୁ ହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର