ମାଲକାନଗିରି: ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆଜି ଶେଷ ହୋଇଛି। ମାଲାକନଗିରି ଜିଲ୍ଲାରେ ନକ୍ସଲ ଏହି ସପ୍ତାହରେ ସେଭଳି କୌଣସି ଅଘଟଣ ଘଟାଇ ନାହାନ୍ତି। କିନ୍ତୁ ପଡୋଶୀ ଛତିଶଗଡରେ ନକ୍ସଲ ହିଂସାତ୍ମକ ହୋଇପଡିଥିଲେ। ଲ୍ୟାଣ୍ଡମାଇନ କରି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କୁ ହତ୍ୟା କରିବା, ଦୁଇ ଗ୍ରାମବାସୀଙ୍କ ଗାଡି ଉଡାଇ ଦେବା, ପୁଲିସ ଉପରେ ଆକ୍ରମଣ କରିବା ଏବଂ ଚାରି ଜଣ ନକ୍ସଲଙ୍କର ମୃତ୍ୟୁ ହେବା ଘଟଣା ଘଟିଥିଲା।
ସୀମାନ୍ତରେ ହିଂସା ଘଟାଇଥିବାରୁ ଜିଲ୍ଲାରେ ସେଭଳି ହିଂସା ହୋଇନଥିଲା। କିନ୍ତୁ ପୁଲିସ, ଏସଓଜି, ଡିଭିଏଫ ଏବଂ ବିଏସ୍ଏଫ୍ର ଜୋରଦାର କୁମ୍ବିଂ ଏବଂ ଆନ୍ଧ୍ର ଗ୍ରେହାଉଣ୍ଡର ସର୍ଚ୍ଚ ଅପରେସନ ଯୋଗୁଁ ସ୍ୱାଭିମାନ ଅଂଚଳରେ ନକ୍ସଲ କିଛି ବି କରିପାରିନଥିଲେ। ଜିଲ୍ଲାରେ ଆନ୍ଧ୍ର ଓଡିଶା ବଡର ଡିଭିଜନ, କୋରାପୁଟ ମାଲକାନଗିରି ସୀମାନ୍ତ ଡିଭିଜନ, କୁଡୁମୁଲୁଗୁମ୍ମା ଡିଭିଜନ, ଦରଭା ଡିଭିଜନ କାମ କରୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଦେଖି ଏହି ସଂଗଠନ କୌଣସି ଅଘଟଣ ଘଟାଇନଥିଲେ।
ସ୍ୱାଭିମାନ ଅଂଚଳରେ ଲୋକେ ସଚେତନ ହେବାକୁ ଲାଗିଲେଣି। ଲୋକେ ଗ୍ରାମରେ ନକ୍ସଲଙ୍କୁ ଆଉ ପୁରାଇ ନଦେବା ପାଇଁ ନିଷ୍ପତ୍ତି ନେଲେଣି। ସେହିପରି ଗୁଇନ୍ଦା ବିଭାଗ ମଧ୍ୟ ସଜାଗ ରହିଥିଲା। ନକ୍ସଲଙ୍କର କୌଣସି ଚାଲକୁ ବି ସଫଳ ହେବାକୁ ଦେଲା ନାହିଁ।
ପିଏଲଜିଏ ସପ୍ତାହ ପୂର୍ବରୁ ଜଣେ କମାଣ୍ଡରକୁ ପୁଲିସ ମାରିଥିବାରୁ ନକ୍ସଲ ସଂଗଠନ ମଧ୍ୟ କୌଣସି ଅଘଟଣ ଘଟାଇବାକୁ ଦଶଥର ଚିନ୍ତା କରିଥିଲା। ସୁରକ୍ଷାକର୍ମୀଙ୍କ ଘନ ଘନ ଚଢାଉ ଏବଂ ପୁଲିସର ଅଧିକମାତ୍ରାରେ ଲୋକଙ୍କ ସହ ସଂପର୍କ ବଢାଇବା ନକ୍ସଲଙ୍କ ପାଇଁ କାଳ ହୋଇଛି।
/sambad/media/post_attachments/wp-content/uploads/2020/12/Mkg-PLGA-sarila-2-1024x780.jpg)
ତେବେ ଜିଲ୍ଲାର ଦୁର୍ଗମ ଅଂଚଳରେ ଏବଂ ସୀମାନ୍ତ ସୁକମା ଅଂଚଳରେ ନକ୍ସଲ ବହୁ ଅଶିକ୍ଷିତ ଯୁବକଯୁବତୀଙ୍କୁ ଏହି ପିଏଲଜିଏ ସପ୍ତାହରେ ସଂଗଠନରେ ସାମିଲ କରିଥିବା ଖବର ମିଳିଛି। କିନ୍ତୁ କେତେ ସଂଖ୍ୟାରେ ସାମିଲ କରାଯାଇଛି ତାହାର କୌଣସି ହିସାବ ନାହିଁ। ଜବରଦସ୍ତ ହେଉ ବା ବୁଝାସୁଝାରେ ହେଉ ବହୁ ଆଦିବାସୀ ଯୁବକଯୁବତୀଙ୍କୁ ନକ୍ସଲ ଟାର୍ଗେଟ କରିଥାନ୍ତି। ଦୁର୍ଗମ ଅଂଚଳରେ ରହିଥିବା ଅଶିକ୍ଷିତ ବେକାର ଯୁବକମାନଙ୍କୁ ନକ୍ସଲ ଟାର୍ଗେଟ କରିଥାନ୍ତ। ସଂଗଠନ ଧିରେ ଧିରେ ଦୁର୍ବଳ ହେଉଥିବାରୁ ଅଧିକାରୁ ଅଧିକା ଯୁବକଯୁବତୀମାନଙ୍କୁ ସଂଗଠନରେ ସାମିଲ କରାଯାଉଥିବା ଜଣାପଡିଛି।
ସେହିପରି ନାବାଳକମାନଙ୍କୁ ମଧ୍ୟ ନକ୍ସଲ ଟାର୍ଗେଟ କରୁଥିବା ସୂଚନା ମିଳିଛି। ଧିରେ ଧିରେ ସଂଗଠନ ଜିଲ୍ଲାରୁ ହଟୁଥିବାରୁ ଏହାକୁ କିପରି ଆହୁରି ସୁଦୃଢ କରାଯିବ ସେନେଇ ନକ୍ସଲ ନେତାଙ୍କ ମଧ୍ୟରେ ଭାଳେଣି ବଡିଛି। ତେବେ ଆଉକିଛି ବର୍ଷ ମଧ୍ୟରେ ଜିଲ୍ଲାରୁ ସଂପୂର୍ଣ୍ଣ ମାଓବାଦୀଙ୍କୁ ତଡିବାରେ ସଫଳ ହେବ ବୋଲି ପୁଲିସ ଦୃଢକ୍ତି ପ୍ରକାଶ କରିଥିବା ବେଳେ ଅନ୍ୟଦିଗରେ ନକ୍ସଲ ସଂଗଠନକୁ ଜିଲ୍ଲାରୁ ନହଟିବା ନେଇ ଯୋଜନା ପ୍ରସ୍ତୁତ କରୁଛି। ତେବେ ଏଥିରେ କିଏ ସଫଳ ହେଉଛି ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Mkg-PLGA-sarila-1.jpg)