ଭୁମକାଲ ଦିବସ ପାଳନ ନେଇ ମାଓବାଦୀଙ୍କ ଆହ୍ବାନ, ରାସ୍ତାରେ ପୋଷ୍ଟର ଏବଂ ବ୍ୟାନର ମାରିଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡର ବସ୍ତର ଜିଲ୍ଲାର ଚେରପାଲ ମାର୍ଗରେ ମାଓବାଦୀ ପୋଷ୍ଟର ଏବଂ ବ୍ୟାନର ମାରିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଉପରେ ମାଓବାଦୀ ପୋଷ୍ଟରଗୁଡିକ ଫିଙ୍ଗିଥିବା ବେଳେ ରାସ୍ତା ଉପରେ ବ୍ୟାନର ମାରିଥିବା ଦେଖିବାକୁ ମିଳିଥିଲା। ଚଳିତ ମାସରେ ନକ୍ସଲ ଭୁମକାଲ ଦିବସ ପାଳନ କରୁଥିବାରୁ ଗାଁ ଗାଁରେ ଏହି ଦିବସକୁ ପାଳନ କରିବାକୁ ମାଓବାଦୀ ଆହ୍ବାନ ଦେଇଛନ୍ତି। ସହିଦସ୍ତମ୍ଭ ନିକଟରେ ସହିଦମାନଙ୍କୁ ମନେ ପକାଇବା ସହ ନାଚଗୀତରେ ନକ୍ସଲ ନିଜର ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ ଲୋକଙ୍କୁ ଅବଗତ କରାଇବେ।ତେବେ ରାସ୍ତା ଉପରେ ପୋଷ୍ଟର ଏବଂ ବ୍ୟାନର ଦେଖି ଲୋକେ ଏହି ରାସ୍ତାରେ ଯାତାୟତ କରିବାକୁ ଭୟ କରୁଥିବା ଦେଖିବାକୁ ମିଳିଥିଲା। ପୋଷ୍ଟର ତଳେ କାଳେ ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜି ଥାଇପାରନ୍ତି ଭୟରେ ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରୁନଥିଲେ।ଆଖ ପାଖ ଅଂଚଳରେ ଲୋକେ ଭୟଭିତ ହୋଇପଡିଛନ୍ତି।

ଦିନ ଦ୍ବିପହରରେ ଏହି ପୋଷ୍ଟର ଏବଂ ବ୍ୟାନର ମରାଯାଇଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି।ପୁଲିସ ଖବର ପାଇ ଏହି ଅଂଚଳକୁ ଘେରିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।ପ୍ରତିବର୍ଷ ଫେବ୍ରୁଆରି ମାସରେ ନକ୍ସଲ ଭୁମକାଲ ଦିବସ ପାଳନ କରିଥାନ୍ତି। ତେବେ ଏହି ଦିବସରେ ନକ୍ସଲ ହିଂସାତ୍ମକ ମଧ୍ୟ ହୋଇଥାନ୍ତି। ତେଣୁ ପୁଲିସ ନକ୍ସଲଙ୍କ ଗତିବିଧି ଉପରେ ତିକ୍ଷଣ୍ ନଜର ରଖିଥିବା କହିଛି। ମାଲକାନଗିରି ଜିଲ୍ଲାରେ ଏହି ଦିବସ ନକ୍ସଲ ପାଳନ କରୁନଥିଲେ ମଧ୍ୟ ସୀମାନ୍ତ ଗ୍ରାମରେ ଏହା ପାଳନ ହେଉଥିବାରୁ ଓଡିଶାର ଲୋକେ ମଧ୍ୟ ଯୋଗ ଦେବେ ବୋଲି ଜଣାପଡିଛି।ସ୍ବାଭିମାନ ଅଂଚଳରେ ନକ୍ସଲଙ୍କ ଗତିବିଧି ଏକ ପ୍ରକାର କମିଥିବା ବେଳେ ମାଥିଲି ବ୍ଲକର ମହୁପଦର ଏବଂ ତୁଲସୀ ପାହାଡ ଅଂଚଳରେ ଏବେ ବି ନକ୍ସଲଙ୍କ ଗତିବିଧି ରହିଥିବାରୁ ଏଠାରେ ହୁଏତ ନକ୍ସଲ ଏହି ଦିବସକୁ ଗାଁମାନଙ୍କରେ ପାଳନ କରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର