ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ କ୍ଷୋଭ ପ୍ରକାଶ କଲା ଲାଲବାହିନୀ, ଜାରି କଲା‌ ପ୍ରେସ୍‌ ବିବୃତି

ମାଲକାନଗିରି: ମାଓ ସଂଗଠନର ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନାଲ କମିଟି ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରି ନିଜର କ୍ଷୋଭ ପ୍ରକାଶ କରାଯାଇଛି। ମାଲକାନଗିରି ଜିଲ୍ଲାରେ ପୁଲିସ ଦ୍ବାରା ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ଲାଲବାହିନୀ ଆଦିବାସୀ ଉପରେ ଦମନଲୀଳା ବୋଲି ଅଭିଯୋଗ ଆଣିଛି। ତେଣୁ ଏହାକୁ ବନ୍ଦ କରିବା ସହ ଜନସାଧାରଣଙ୍କୁ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଛି। ମାଡକାପଦର ନିକଟସ୍ଥ ଘୋଡାବେଡାଠାରେ ହୋଇଥିବା ଏନକାଉଣ୍ଟରକୁ ମିଥ୍ୟା ବୋଲି ଦର୍ଶାଇଛି ଲାଲବାହିନୀ। ଏହି ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣେ ସାଧାରଣ ଲୋକ। ସେ ମାଓ ସଂଗଠନର ନଥିଲା କି ତାର କୌଣସି ସଂପର୍କ ମଧ୍ୟ ନ ଥିଲା ବୋଲି କହିଛି କମିଟି।

ସେହିପରି ନକ୍ସଲମାନେ କହିଛନ୍ତି ଯେ, ଗତ ୧୬ ତାରିଖ ଦିନ ସ୍ବାଭିମାନ ଅଂଚଳର ଯନ୍ତ୍ରୀ ନିକଟସ୍ଥ ଧାକଡପଦର ଅଂଚଳରେ ମାଛ ଧରିବା ପାଇଁ ଯାଇଥିବା ଜଣେ ଯୁବକକୁ ପୁଲିସ ଉଠାଇ ନେଇଥିଲା। ପ୍ରାୟ ସାତ ଦିନ ଧରି ତାକୁ ନିର୍ଯାତନା ଦେବା ପରେ ତାକୁ ଗିରଫ କରାଯାଇଛି ବୋଲି କହିଥିଲା ପୁଲିସ, ଏହାକୁ ଲାଲବାହିନୀ ସଂପୂର୍ଣ୍ଣ ବିରୋଧ କରିଛି।

ସ୍ବାଭିମାନ ଅଂଚଳରେ ଗତ କିଛି ଦିନ ହେଲା ମାଟିତଳୁ  ବିଏସ୍ଏ‌ଫ୍‌ ଏବଂ ପୁଲିସ ଯେଉଁ ସବୁ ବିସ୍ଫୋରକ ଜବତ କରୁଛି ତାହା ନକ୍ସଲଙ୍କର ବୋଲି ଦର୍ଶାଉଛନ୍ତି। ଏଥିରେ ନକ୍ସଲ ସଂଗଠନର କୌଣସି ହାତ ନାହିଁ କିମ୍ବା ଏସବୁ ବିସ୍ଫୋରକ ସଂଗଠନର ନୁହେଁ ବୋଲି କୁହାଯାଇଛି। ଏସବୁ ପୁଲିସ ନିଜେ ରଖି ମାଓବାଦୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି। ମାଓବାଦୀଙ୍କ ନାମରେ ସ୍ବାଭିମାନ ଅଂଚଳରେ ଯେଉଁ ଦମନଲୀଳା ପୁଲିସ ଏବଂ ବିଏସ୍ଏ‌ଫ୍‌ ଚଲାଇଛି ତାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ଏହାସହିତ କେନ୍ଦ୍ର ସରକାରଙ୍କର କୃଷି ଆଇନକୁ ମଧ୍ୟ ବିରୋଧ କରିଛି ନକ୍ସଲ ସଂଗଠନ। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର