୭ ବର୍ଷ ପରେ ଘରକୁ ଫୋରିଲେ ରାମେ, କହିଲେ- ‘ଚାଷ କରିବି ସିନା, ବନ୍ଧୁକ ଧରିବି ନାହିଁ’

କୋରାପୁଟ: ବନ୍ଧୁକକୁ ନାଁ, ଲଙ୍ଗଳକୁ ହଁ। ଗାଁରେ ଥିବା ୩ ଏକର ଜମିରେ ଚାଷ କରିବେ। ଚାଷରୁ ଯାହା ମିଳିବ ସେଥିରେ ନିଜେ ଚଳିବା ସହ ୪ ପ୍ରାଣୀ ପରିବାରର ପେଟକୁ ଦାନା ଦେବେ ବୋଲି କହିଛନ୍ତି ଏରିଆ କମିଟି ମେମ୍ବର ମହିଳା ମାଓବାଦୀ ରାମେ ମାଡକାମି।

ରାମେ ଗତବର୍ଷ ଡିସେମ୍ବର ମାସରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ୭ବର୍ଷ ପରେ ଆଜି ପରିବାରବର୍ଗଙ୍କ ନିକଟକୁ ଫେରିଛନ୍ତି ରାମେ। ଏନେଇ ଆଜି କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିବାବେଳେ ବାପା ଶୁକ୍ରା ମାଡକାମୀ, ମା ବୀରେ ମାଡକାମୀ, ଭଉଣୀ ପାଙ୍ଗତି ମାଡକାମୀଙ୍କୁ ପାଇ ଖୁସି ବ୍ୟକ୍ତ କରିଛନ୍ତି ରାମେ।

ତେବେ ଗତବର୍ଷ ଆନ୍ଧ୍ର ପ୍ରଦେଶ ପେଡା ବାଇଲୁ ଅଧୀନରେ ରହିଥିବା ଲାଣ୍ଡୁଲ ଗାଁରେ ପୁଲିସ-ମାଓବାଦୀଙ୍କ ଗୁଳି ବିନିମୟ ବେଳେ ରାମେଙ୍କ ଦେହରେ ଗୁଳି ବାଜିଥିଲା। ଏହି ସମୟରେ ତାଙ୍କୁ ମେଡିକାଲ ସହାୟତା ଦେଇ ନ ଥିଲେ ତାଙ୍କ ଟିମ୍। କୋରାପୁଟ ଜିଲ୍ଲା ପୁଲିସ ସହାୟତାରେ ତାଙ୍କୁ ଅସ୍ତ୍ରୋପଚାର କରାଯାଇଥିଲା। ଆଜି ତାଙ୍କ ପରିବାରବାର ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏହାସହ ଓଡ଼ିଶା ସରକାରଙ୍କର ଆର୍ଥିକ ସହାୟତା, ଘର, ଉଚ୍ଚଶିକ୍ଷା ସହ ଟ୍ରେଡ/ଭୋକେସନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡରେ ବହୁ ହିଂସାକାଣ୍ଡରେ ଜଡିତ ରାମେ ମାଡକାମୀ ଟପ ମାଓନେତା ଆରକେର ସୁରକ୍ଷା ମଣ୍ଡଳୀରେ କାମ କରୁଥିଲେ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା କୁରୁବ ଗାଁର ରାମେ ୭ ବର୍ଷ ତଳେ ମାଓ ସଂଗଠନରେ ଯୋଗ ଦେଇଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ମାଓବାଦୀଙ୍କ ସାଂସ୍କୃତିକ ଗଣନାଟ୍ୟ ମଣ୍ଡଳୀରେ ଯୋଗ ଦେଇଥିଲାବେଳେ ପରେ ବନ୍ଧୁକ ଚାଳନା ନେଇ ତାଲିମ ନେଇଥିଲେ।

ଅଳ୍ପ ଦିନ ଭିତରେ ତାଙ୍କୁ ଏରିଆ କମିଟି ମେମ୍ବର ରାଙ୍କକୁ ପଦୋନ୍ନତି ଦିଆଯାଇଥିଲା। କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସେ କାମ କରୁଥିଲେ। ଏରିଆ କମିଟି ମେମ୍ବର ରାଙ୍କର ମହିଳା ମାଓବାଦୀ ରାମେ ମାଡକାମି ଡିସେମ୍ବରରେ କୋରାପୁଟ ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି।

ସେ ବହୁ ହିଂସାକାଣ୍ଡରେ ସଂପୃକ୍ତି ଥିଲାବେଳେ ତାଙ୍କ ନାମରେ ୧୦ରୁ ଅଧିକ ମାମଲା ରହିଛି। ସରକାରଙ୍କ ବିକାଶମୂଳକ କାମ ଦ୍ବାରା ପ୍ରଭାବିତ ହୋଇ ସେ ସଂଗଠନ ଛାଡିଥିଲେ। କିଛି ବର୍ଷ ହେଲା ସେ ମାଓନେତା ଆରକେର ସୁରକ୍ଷା ଦାୟିତ୍ବରେ ରହିଥିଲେ। ରାମେଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ସେ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ଆତ୍ମ ସମପର୍ଣ ନୀତି ଅନୁସାରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ବରିଷ୍ଠ ମାଓନେତାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ ସଂଗଠନ ଛାଡିଥିଲେ। ଏହା ଛଡା ଗୁରୁପ୍ରିୟା ସେତୁ ହେବା ପରେ ସ୍ବାଭିମାନ ଅଞ୍ଚଳରେ ଉନ୍ନତିମୂଳକ କାମ ଚାଲିଛି। ଲୋକମାନେ ମାଓ ସଂଗଠନରୁ ମୁହଁ ଫେରାଇ ନେଉଛନ୍ତି। ଏପଟେ ପୁଲିସ ସହ ଗୁଳି ବିନିମୟ ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲେ ମଧ୍ୟ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇ ନ ଥିଲା। ତେଣୁ ସେ ମାଓବାଦୀଙ୍କ ହିଂସାତ୍ମକ କାମ ଛାଡି ଆତ୍ମସମପର୍ଣ କରିଥିବା ଏସପି କହିଛନ୍ତି।

ସମ୍ବନ୍ଧିତ ଖବର