ନକ୍ସଲ ଦେଲେ ଡାକରା: ଜୁଲାଇ ୧ରେ ଓଡ଼ିଶା-ଆନ୍ଧ୍ର ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ର-ଓଡିଶା ସୀମା ସ୍ପେଶାଲ ଜୋନାଲ କମିଟିର ସଚିବ ଗଣେଶ ଆଜି ପ୍ରେସ ବିଜ୍ଞପ୍ତି ଦେଇ ଆସନ୍ତା ଜୁଲାଇ ୧ ତାରିଖକୁ ଆନ୍ଧ୍ର ଏବଂ ଓଡିଶା ବନ୍ଦ ଡାକରା ଦେଇଛନ୍ତି। ଗତ ୧୬ ତାରିଖ ଦିନ ଆନ୍ଧ୍ର ସୀମାରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଦ୍ବାରା ହୋଇଥିବା ବଡ ଏନକାଉଣ୍ଟରରେ ୬ ଜଣ କ୍ୟାଡର ନକ୍ସଲଙ୍କର ମୃତ୍ୟୁବରଣ ହୋଇଥିଲା। ଯାହାକୁ ନେଇ ସଂଗଠନ ବଡ ଚିନ୍ତାରେ ପଡିଛି।

ଏହି ଆକ୍ରମଣକୁ କେବେ ଭୁଲିବ ନାହିଁ ବୋଲି ସଂଗଠନ କହିଛି। ଗୋଟିଏ ପଟେ କରୋନାରେ ଶହ ଶହ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଅନ୍ୟପଟେ ସରକାର କୋଟି କୋଟି ଟଂକା ଖର୍ଚ୍ଚ କରି ଯବାନଙ୍କୁ ଲଗାଇ ଗ୍ରାମରେ  ପଶାଇ ଅତ୍ୟାଚାର କରିବା ସହ ନକ୍ସଲ ଦମନ ନେଇ ରଣନୀତି ପ୍ରସ୍ତୁତ କରୁଛି। ସେହି ଏନକାଉଣ୍ଟରରେ ସଂଗଠନର ବଡ ବଡ ନେତାଙ୍କର ମୃତ୍ୟୁ ହୋଇଥିଲା।ଯାହାର ହିସାବ ଆମେ ଦେବୁ ବୋଲି ସଂଗଠନ କହିଛି।ସଂଗଠର ଏକ ବଡ ଅପୂରଣୀୟ କ୍ଷତି ହୋଇଥିବା ପାର୍ଟି ସ୍ବୀକାର କରିଛି। ଏହି ଏନକାଉଣ୍ଟରକୁ ପ୍ରତିବାଦ କରି ଆନ୍ଧ୍ର ଓଡିଶା ବଡର ଡିଭିଜନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି।ଏହି ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ବୁଦ୍ଧିଜୀବୀ, ଗଣମାଧ୍ୟମ, ଜନସାଧାରଣ, ଶିକ୍ଷକ, ଯୁବଗୋଷ୍ଠୀମାନଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର