ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ବାଲିଘାଟରେ ଲାଗିଥିବା ୭ଟି ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି। ଜିଲ୍ଲାର ନମେଡ ଥାନା ଅଂଚଳର ମୀନଗାଚଲ ନଦୀ ଘାଟରେ ବାଲି ସଂଗ୍ରହ କରୁଥିବା ପ୍ରାୟ ୭ଟି ଗାଡିକୁ ଗତକାଲି ସଶସ୍ତ୍ର ନକ୍ସଲ ପହଞ୍ଚି ଡ୍ରାଇଭରମାନଙ୍କୁ ନିସ୍ତୁକ ମାଡ ମାରିବା ପରେ ଗାଡିଗୁଡିକକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ତେବେ ଏନେଇ ପୁଲିସ ନିକଟରେ ଖବର ପହଞ୍ଚିନଥିବା ଜଣାପଡିଛି। ଗତ କିଛି ଦିନ ହେଲା ବିଜାପୁର ଜିଲ୍ଲାରେ ନକ୍ସଲ ଉତ୍ପାତ ମଚାଉଛନ୍ତି। ଲଗାତାର ପୁଲିସ ଉପରେ ଆକ୍ରମର କରିବା, ନୀରିହ ଲୋକଙ୍କୁ ପୁଲିସ ଇନଫର୍ମର କହି ହତ୍ୟା କରିବା ଭଳି ହିଂସାତ୍ମକ କାର୍ଯ୍ୟ କରୁଛନ୍ତି, ଯାହାକୁ ଜନସାଧାରଣ ପସନ୍ଦ କରୁନଥିବା ଜଣାପଡିଛି। ନକ୍ସଲଲ ନିଜର ପତିଆରା ଜାହିର କରିବା ପାଇଁ ଏଭଳି କରୁଥିବା ପୁଲିସ କହିଛି।

Advertisment

publive-image

ଏହା ପୂର୍ବରୁ ଦନ୍ତେୱାଡା ଏବଂ ବିଜାପୁର ମଧ୍ୟରେ ଥିବା ମଙ୍ଗିନାର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମକୁ ବିରୋଧ କରି ନକ୍ସଲ ହିଂସା ଘଟାଇଛନ୍ତି। ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ରାସ୍ତା କାମ ନିକଟରେ ଥବା କ୍ୟାମ୍ପରେ ପହଞ୍ଚିଥିଲେ। ରାସ୍ତା କାମରେ ନିୟୋଜିତ ଥିବା କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିବା ସହ ତୁରନ୍ତ ସେଠାରୁ ଚାଲିଯିବାକୁ କହିଥିଲେ।ପୁନଃ କାମ କରିବାକୁ ଆସିଲେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ।

ତେବେ କାମରେ ନିୟୋଜିତ ଥିବା ୬ଟି ଗାଡିକୁ ନକ୍ସଲ ନିଆଁରେ ପୋଡି ଦେଇଥିଲେ। କ୍ୟାମ୍ପକୁ ଧ୍ବଂସ କରିବା ସହ ଚାରିଆଡେ ନିଆଁ ଲଗାଇ ଚାଲିଯାଇଥିଲେ। ଶେଷରେ କ୍ୟାମ୍ପ ନିକଟରେ ଏକ ରଂଗ ବ୍ୟାନର ମାରି ଠିକାଦାରକୁ ଧମକ ଦେଇଥିବା ଦେଖିବାକୁ ମିଳିଛି। ସକାଳୁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନକ୍ସଲ ପୁଣି ଦନ୍ତେୱାଡା ଜିଲ୍ଲାରେ ସକ୍ରିୟ ହୋଇଥିବା ଏଥିରୁ ଅନୁମାନ କରାଯାଏ। ପ୍ରକାଶ ଥାଉକି ଏହି ରାସ୍ତା କାମକୁ ନକ୍ସଲ ପ୍ରଥମରୁ ହିଁ ବିରୋଧ କରିଆସୁଥିଲେ। ରାସ୍ତା କାମ ବନ୍ଦ କରିବା ନେଇ ବାରମ୍ବାର ଧମକ ଦେଉଥିଲେ। କିନ୍ତୁ ଠିକାଦାର ନକ୍ସଲଙ୍କ ଧମକକୁ ନମାନି କାମ କରୁଥିଲା। ତେବେ ଅଳ୍ପକେ କ୍ୟାମ୍ପରେ କାମ କରୁଥିବା ଅନ୍ୟ କର୍ମଚାରୀ ବର୍ତ୍ତିଯାଇଥିବା କୁହାଯାଇଛି।