ନକ୍ସଲଙ୍କ କବଳରେ କେମିତି ଥିଲା ସେହି ୧୦୦ ଘଣ୍ଟା ? ଅନୁଭୂତି ବଖାଣିଥିଲେ ଯବାନ ଓ ମଧ୍ୟସ୍ଥି

ମାଲକାନଗିରି: ଗତ ଶନିବାର ୩ ତାରିଖ ଥିଲା ଛତିଶଗଡର କୋବ୍ରା ଯବାନଙ୍କ ପାଇଁ କଳା ଦିନ। ନକ୍ସଲ ଆମ୍ବୁସରେ ଫସି ୨୩ ଜଣ ଯବାନ ନିଜର ପ୍ରାଣବଳି ଦେଇଥିଲେ। ତେବେ ନକ୍ସଲଙ୍କ ପଟରୁ ମଧ୍ୟ ୪ ଜଣ ମୃତ୍ୟୁବରଣ କରିଥିବା ସଂଗଠନ ସ୍ପଷ୍ଟୀକରଣ ଦେଇଥିବା ବେଳେ ଡିଆଇଜି ପି.ସନ୍ଦରରାଜ କିନ୍ତୁ ୧୨ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା କହିଥିଲେ। ସେ ଯାହା ହେଉ କିନ୍ତୁ ଏହି ସମୟରେ ନକ୍ସଲ ଜଣେ ଯବାନଙ୍କ ଅପହରଣ କରି ନେବାରେ ସଫଳ ହୋଇଥିଲେ। ତେବେ ଯବାନଙ୍କୁ ଅପହରଣ କରି ନେବା ପରେ କିନ୍ତୁ ନକ୍ସଲ ତାଙ୍କର କୌଣସି କ୍ଷତି କରି ନ ଥିଲେ। ଅନ୍ୟଦିଗରେ ସରକାର ମଧ୍ୟସ୍ଥି ନିଯୁକ୍ତ କଲେ ଯବାନଙ୍କୁ ଛାଡିଦେବେ ବୋଲି କହିଥିଲେ ମାଓବାଦୀ। ସରକାର ମଧ୍ୟ ମଧ୍ୟସ୍ଥି ନିଯୁକ୍ତ କଲେ ଏବଂ ନକ୍ସଲଙ୍କ ନିକଟକୁ ସେମାନଙ୍କ ପଠାଇ ଯବାନଙ୍କୁ ମୁକ୍ତ କରିଥିଲେ।

ତେବେ ଅପହରଣ ହୋଇଥିବା ଯବାନ ରାଜେଶ୍ବର ସିଂ ମନହାସ ମୁକ୍ତ ହେବା ପରେ ନକ୍ସଲଙ୍କ ଗହଣରେ କଟାଇଥିବା ଶହେ ଘଣ୍ଟାର କାହାଣୀ ବଖାଣିଛନ୍ତି । କେତେ ଭୟଙ୍କର ଥିଲା ସେହି ଶହେ ଘଣ୍ଟା ସେ ବଖାଣୁଥିବା ବେଳେ ପାଟି ଖନି ମାରିଯାଉଥିଲା। ଜଂଗଲରେ ପାଣି ନ ପାଇ ସେ ଅଚେତ ହୋଇପଡିଥିଲେ। ଯେତେବେଳେ ସେ ଚେତା ଫେରି ପାଇଲେ ସେତେବେଳେ ସେ ନକ୍ସଲଙ୍କ କବଜାରେ ଥିଲେ। ନକ୍ସଲ ତାଙ୍କୁ ଅପହରଣ କରି ନେଇଥିଲେ ମଧ୍ୟ କୌଣସି ନିର୍ଯାତନା ଦେଇ ନ ଥିବା ସେ କହିଥିଲେ।

ରାକେଶ୍ବରଙ୍କ ହାତକୁ ବାନ୍ଧି ଦେଇଥିଲେ ନକ୍ସଲ୍ । ତାଙ୍କୁ ନିୟମିତ ଖାଦ୍ୟ ପ୍ରଦାନ କରା ଯାଉଥିଲା । କଥାବାର୍ତ୍ତା ମଧ୍ୟ ଠିକ ରୂପେ କରୁଥିଲେ। ସରକାରୀ କର୍ମଚାରୀ ହୋଇଥିବାରୁ ତାଙ୍କ ବିରୋଧରେ କୌଣସି ଅଭିଯୋଗ ନ ଥିବା ନକ୍ସଲ କହୁଥିଲେ। ସରକାରଙ୍କର ଅବ୍ୟବସ୍ଥାକୁ ହିଁ ସେମାନେ ଦାୟୀ କରୁଥିଲେ। ପୁଞ୍ଜିପତି ଏବଂ ସାମ୍ରାଜ୍ୟବାଦୀମାନଙ୍କୁ ଯବାନ ସୁରକ୍ଷା ପ୍ରଦାନ କରୁଥିବା ଯୁକ୍ତି ବାଢିଥିଲେ। ଏହା ନ କରିବା ପାଇଁ ପରାମର୍ଶ ଦେଉଥିଲେ। ତେବେ ଖୁବଶୀଘ୍ର ସେ ନିଜର ପରିବାର ସହ ମିଶିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଉଥିବା କହିଥିଲେ ରାକେଶ୍ବର।

ଜଙ୍ଗଲରେ ଦିନ ଦିନ କାଟିବା ଯବାନଙ୍କ ଅଭ୍ୟାସ ରହିଛି। ତେଣୁ ସେ ନକ୍ସଲଙ୍କ ଗହଣରେ ରହି ଜଙ୍ଗଲରେ ଦିନ କାଟିବା ନୂଆ କଥା ନଥିଲା। କିନ୍ତୁ ପ୍ରତି ମୁହର୍ତ୍ତରେ ଭୟ ରହିଥିବା ସେ କହିଥିଲେ। ସରକାର ଯେତେ ଜଲଦି ମଧ୍ୟସ୍ଥି ଠିକ କରିବେ ସେତେ ଜଲଦି ସେ ମୁକୁଳିବେ ବୋଲି ଜାଣିଥିଲେ। ତେବେ ସେ ଭଗବାନଙ୍କୁ ହିଁ ପ୍ରାର୍ଥନା କରୁଥିଲେ। ନକ୍ସଲଙ୍କ ନିକଟରେ ଯବାନଙ୍କ ପରିବାରର ସମସ୍ତ ବାର୍ତ୍ତା ପହଞ୍ଚୁଥିଲା। ଯବାନଙ୍କ ଛୋଟ ଝିଅର ବାର୍ତ୍ତା ମଧ୍ୟ ପହଞ୍ଚିଥିଲା। ଯେଉଁଥିପାଇଁ ନକ୍ସଲଙ୍କ ମନ ମଧ୍ୟ ବଦଳିଯାଇଥିବା କୁହାଯାଇଛି। ନକ୍ସଲ ଗହଣରେ ସେହି ଶହେ ଘଣ୍ଟା ଅତି ଭୟଙ୍କର ଥିଲା ବୋଲି ରାକେଶ୍ବର ବଖାଣିଛନ୍ତି।

ଅନ୍ୟଦିଗରେ ସରକାରଙ୍କ ଦ୍ବାରା ମଧ୍ୟସ୍ଥି ରୂପେ ବଛାଯାଇଥିବା ଦୁଇ ଜଣ ହେଲେ ପଦ୍ମଶ୍ରୀ ଧର୍ମପାଲ ସୈନୀ ଏବଂ ଗୋଣ୍ଡୱାନା ସମାଜର ଅଧ୍ୟକ୍ଷ ତେଲମ ବୋରାୟା। ଧର୍ମପାଲ ସୈନୀଙ୍କ କହିବା ଅନୁଯାୟୀ ସରକାର ତାଙ୍କୁ ମଧ୍ୟସ୍ଥି  ହେବା ନେଇ ପଚାରିଥିଲେ। ସେ ତୁରନ୍ତ ହଁ ଭରିବା ସହ ୭ ତାରିଖ ଦିନ ବିଜାପୁର ଜିଲ୍ଲାର ବାସାଗୁଡା ପହଞ୍ଚିବା ପରେ ଜଙ୍ଗଲକୁ ଯାଇ ନକ୍ସଲଙ୍କୁ ଦେଖା କରିଥିଲେ। ମଧ୍ୟସ୍ଥିଙ୍କ ସହ ନକ୍ସଲ ବହୁ ବିଷୟରେ ଆଲୋଚନା କରିଥିଲେ।

ଯେପରି ଯବାନଙ୍କୁ ସରକାରଙ୍କ ନିକଟରେ ସୁରକ୍ଷିତ ପହଞ୍ଚାଇବେ ତାହା ଥିଲା ମଧ୍ୟସ୍ଥିଙ୍କ ଲକ୍ଷ୍ୟ । ଆମେ ଅପହରଣ କଲେ ସରକାର ଏବଂ ସମସ୍ତ ଜନସାଧାରଣ ତାଙ୍କୁ ଛାଡିବା ନେଇ ଅନୁରୋଧ କରୁଛନ୍ତି। କିନ୍ତୁ ଆମର ଜଣେ ନିରୀହ ବ୍ୟକ୍ତିକୁ ପୁଲିସ ନେଇଗଲେ କିନ୍ତୁ ତାକୁ ଛାଡିବା ନେଇ କେହି ପାଟି ଫିଟାଉ ନାହାନ୍ତି ବୋଲି ନକ୍ସଲ ଯୁକ୍ତି ବାଢିଥିଲେ। ତେବେ ପ୍ରଜାକୋର୍ଟରେ ହିଁ ତାଙ୍କୁ ମଧ୍ୟସ୍ଥିଙ୍କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଥିଲା। ଦୁଇ ମଧ୍ୟସ୍ଥି ସହ ୭ ଜଣ ସାମ୍ବାଦିକ ଏବଂ ଅନ୍ୟ ଲୋକ ବି ସେଠାରେ ଉପସ୍ଥିତ ରହିଥିଲେ। ଦୀର୍ଘ ଚାରି ଘଣ୍ଟା ଧରି ପ୍ରଜାକୋର୍ଟ ବସିଥିଲା। ଏଥିରେ ବହୁ ବିଷୟରେ ଆଲୋଚନା କରାଯାଇଥିଲା।ପରେ ହାତକୁ ବାନ୍ଧି ଯବାନଙ୍କୁ ସମସ୍ତଙ୍କ ସାମ୍ନାକୁ ଅଣାଯାଇଥିବା ମଧ୍ୟସ୍ଥିମାନେ କହିଥିଲେ।

ତେବେ ତାଙ୍କୁ ନକ୍ସଲଙ୍କ ତରଫରୁ କୌଣସି ନିର୍ଯାତନା ଦିଆଯାଇ ନ ଥିବା କୁହାଯାଇଥିଲା। ତେବେ ଯବାନ ଏବଂ ମଧ୍ୟସ୍ଥିଙ୍କ ଏହା ଥିଲା ଜୀବନର ସବୁଠାରୁ ଭୟଙ୍କର ସମୟ। ନକ୍ସଲ ଯବାନଙ୍କୁ ଛାଡିବା ପାଇଁ ଯଦି କୌଣସି ସର୍ତ୍ତ ରଖିଥାନ୍ତେ ତେବେ ଆହୁରି ବିଳମ୍ବ ହୋଇଥାନ୍ତା। ତେବେ ନକ୍ସଲ କୌଣସି ସର୍ତ୍ତ ନ ରଖି ଛାଡିଥିଲେ। ମଧ୍ୟସ୍ଥି ଏହା ମଧ୍ୟ କହିଥିଲେ ଯେ ଯବାନଙ୍କ ପରିବାର ଲୋକେ ଆମ ସହ ବାରମ୍ବାର କଥା ହେଉଥିଲେ, ଯାହା ସବୁ ଘଟିଗଲା ଶାନ୍ତିରେ ଘଟିଲା ବୋଲି କହିଥିଲେ।

ସମ୍ବନ୍ଧିତ ଖବର