ନୟାଗଡ଼ ଛେନାପୋଡ଼କୁ କରୋନା ମାଡ଼: ପୋଡ଼ ଭାଟି ବନ୍ଦ, ଦୈନିକ ୩୦ ହଜାରରୁ ଅଧିକ ବ୍ୟବସାୟ ହେଉଥିଲା
ବ୍ୟବସାୟ ଉପରେ ନିର୍ଭରଶୀଳ ୫୦୦ ପରିବାର ଚିନ୍ତାରେ, ଗାଈକୁ ଦାନା, ପରିବାରକୁ ଖାଦ୍ୟ ଯୋଗାଇବେ କେମିତି?
ନୟାଗଡ଼: ରାଜ୍ୟ ତଥା ଦେଶବିଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ନୟାଗଡ଼ ଛେନାପୋଡ଼ ବ୍ୟବସାୟ ଏବେ କରୋନା କଟକଣା ପାଇଁ ଠପ୍ ହୋଇଯାଇଛି। ପୋଡ଼ ଉତ୍ପାଦନର ପେଣ୍ଠସ୍ଥଳୀ ନୟାଗଡ଼ ବ୍ଲକର ମାଛିପଡ଼ା ଓ ନିକଟସ୍ଥ ଓଡ଼ଗାଁ ବ୍ଲକର ସୋଲପଟା ପଞ୍ଚାୟତରେ ପୋଡ଼ ପ୍ରସ୍ତୁତକାରୀ ଭାଟି ମାଲିକ, ଦୁଗ୍ଧ ଉତ୍ପାଦନକାରୀ ଚାଷୀ, ଏସବୁ ବ୍ୟବସାୟ ଉପରେ ପରୋକ୍ଷ ଭାବେ ନିର୍ଭର କରି ଚଳୁଥିବା ପରିବାରଙ୍କ ଜୀବନ ଜୀବିକା ସଙ୍କଟରେ ।
କରୋନା ପାଇଁ ଲକ୍ଡାଉନ୍ ଘୋଷଣା ହେବା ପରେ ସୁସ୍ବାଦୁ ନୟାଗଡ଼ ଛେନାପୋଡ଼ ପୋଡ଼ା ଯିବା ବଦଳରେ ବ୍ୟବସାୟ ଏବେ ଏକରକମ ଚୁଲିକୁ ଗଲାଣି ବୁଲି ‘ସମ୍ବାଦ’ ପ୍ରତିନିଧି ଏହି ଦୁଇ ଗ୍ରାମରେ ସ୍ଥିତି ପରିଖିଲା ବେଳେ ଜଣାପଡ଼ିଛି। ସୋଲପଟା ଓ ମାଛିପଡ଼ା ଅଞ୍ଚଳରେ ପ୍ରାୟ ୭୦ରୁ ଅଧିକ ପୋଡ଼ ଭାଟି ଥିବା ବେଳେ, ଦୈନିକ ଏଠାରୁ ୫୦୦ରୁ ଅଧିକ କ୍ବିଣ୍ଟାଲ ପୋଡ଼ ଉତ୍ପାଦନ କରାଯାଉଥିଲା। ଯାହା ନୟାଗଡ଼ ଜିଲ୍ଲା ସମେତ ତାଳଚେର, ରାଉରକେଲା, ଅନୁଗୁଳ, ଝାରସୁଗୁଡ଼ା, ବ୍ରହ୍ମପୁର, କନ୍ଧମାଳ ଭଳି ରାଜ୍ୟର କୋଣଅନୁକୋଣକୁ ବିଭିନ୍ନ ହୋଟେଲ , ଦୋକାନ , ଉତ୍ସବ ଆଦିକୁ ବ୍ୟବସାୟୀ ପଠାଉଥିଲେ। ପ୍ରତି ପୋଡ଼ଭାଟିରେ ଦୈନିକ ୨୫ରୁ ୩୦ ହଜାର ଟଙ୍କାର ବ୍ୟବସାୟ ହେଉଥିଲା।
ସୋଲପଟା ଗ୍ରାମର ପ୍ରସିଦ୍ଧ ଛେନାପୋଡ଼ ପ୍ରସ୍ତୁତକର୍ତ୍ତା ଧନେଶ୍ବର ବେହେରା କହିଛନ୍ତି, ସେ ଦୈନିକ ତିନି କ୍ବିଣ୍ଟାଲ ପୋଡ଼ ଉତ୍ପାଦନ କରୁଥିଲେ। ତାଙ୍କ ଭାଟିରେ ୭ରୁ ଅଧିକ ବ୍ୟକ୍ତି ରହି କାମ କରୁଥିଲେ। ୧୭ରୁ ଅଧିକ ବ୍ୟବସାୟୀ ତାଙ୍କୁ ଛେନା ଯୋଗାଉଥିଲେ। ବର୍ତ୍ତମାନ ସବୁ ବନ୍ଦ ହୋଇଯାଇଛି। ତାଙ୍କ ଭାଟିରେ କାମ କରୁଥିବା ଲୋକ ମଧ୍ୟ ବେକାର ହୋଇ ଘରେ ବସିଛନ୍ତି। ସେହିଭଳି ଛେନା ପୋଡ଼ ବ୍ୟବସାୟୀ ଅକ୍ରୁର ଦାସ ଦୈନିକ ୪ କ୍ବିଣ୍ଟାଲ ପାଖାପାଖି ପୋଡ଼ ଉତ୍ପାଦନ କରୁଥିଲେ। କ୍ବିଣ୍ଟାଲ ପ୍ରତି ୧୨ ରୁ ୧୫ ହଜାର ଟଙ୍କାରେ ବିକ୍ରି କରୁଥିଲେ। ଦୈନିକ ୪୦ ହଜାରରୁ ଉର୍ଦ୍ଧ ଟଙ୍କାର ବ୍ୟବସାୟ ହେଉଥିଲା। ସେ ନିଜେ ଚଳିବା ସହିତ ତାଙ୍କ ଭାଟିକୁ ଛେନା, କ୍ଷୀର ଆଦି ଯୋଗାଉଥିବା ବ୍ୟକ୍ତି ପରୋକ୍ଷ ଭାବେ ମଧ୍ୟ ଚଳୁଥିଲେ। ଏବେ ସମସ୍ତେ ହାତ ବାନ୍ଧି ବସିଛନ୍ତି। ମାଛିପଡ଼ାର ଦେବରାଜ ବେହେରା, ସୋଲପଟାର ବେଣୁଧର ବେହେରା, କେଦାର ନାୟକ, ମାଧବ ଭୁଜବଳ ପ୍ରମୁଖ ପୋଡ଼ ଉତ୍ପାଦନକାରୀ ଭାଟି ମାଲିକ ଚିନ୍ତାରେ ପଡ଼ିଯାଇଛନ୍ତି। କିଏ ଦୁଇ କ୍ବିଣ୍ଟାଲ ତ ଆଉ କିଏ ୩ କ୍ବିଣ୍ଟାଲ ପୋଡ଼ ଦୈନିକ ଉତ୍ପାଦନ କରି ସାରା ରାଜ୍ୟକୁ ଯୋଗାଉଥିଲେ।
ଛେନାପୋଡ଼ ଭାଟି ମାଲିକଙ୍କ ଠାରୁ ଦୁଗ୍ଧ ଉତ୍ପାଦନ କରୁଥିବା ଗୋପାଳକ ତଥା ଚାଷୀ ସବୁଠୁ ବଡ଼ ସମସ୍ୟାରେ ପଡ଼ିଛନ୍ତି। ଏମାନେ ସଭିଏଁ ଜର୍ସି ଗାଈ ରଖି କ୍ଷୀର ବ୍ୟବସାୟ କରୁଥଲେ। ଗୋଟିଏ ଗାଈର ଦୈନିକ ଖାଦ୍ୟ ପିଛା ଖର୍ଚ୍ଚ ୨୦୦ ରୁ ୨୫୦ ଟଙ୍କା । ବର୍ତ୍ତମାନ କ୍ଷୀର ତଥା ଛେନା ବିକ୍ରି ବନ୍ଦ ହୋଇ ଯାଇଥିବାରୁ ଗାଈ ଦାନ ପାଇଁ କେଉଁଠି ଟଙ୍କା ଆଣିବେ ଗୋପାଳକ ଚିନ୍ତାରେ ପଡ଼ିଛନ୍ତି। ମାଛିପଡ଼ାର ବାବା ସ୍ବପ୍ନେଶ୍ବର ଗୋଶାଳାର ମାଲିକ ପରୀକ୍ଷିତ ମହାପାତ୍ର ୭ ଟି ଗାଈ ରଖିଥିବା ବେଳେ, ଦୖନିକ ୬୦ ଲିଟରରୁ ଅଧିକ କ୍ଷୀର ଉତ୍ପାଦନ କରୁଥିଲେ। ଛେନା କରି ପୋଡ଼ ବ୍ୟବସାୟୀଙ୍କୁ ଯୋଗାଉଥିଲେ। ଏବେ କ୍ଷୀର ଗ୍ରାମରେ ସେ ମାଗଣାରେ ବାଣ୍ଟିବାକୁ ବାଧ୍ୟ ହେଉଥିବା ବେଳେ, ବାଛୁରୀକୁ ପିଇବାକୁ ଛାଡ଼ି ଦେଉଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲ୍ଲା କାଉତରା ଗ୍ରାମର ବ୍ୟବସାୟୀ ଦୀପୁ ବେହେରା, ସୋଲପଟାରେ ଆଣି ଛେନା ଦେଉଥିଲେ। ତାଙ୍କ ଫାର୍ମରୁ ଦୈନିକ ୪୫ ରୁ ୫୦ ଲିଟର କ୍ଷୀର ଉତ୍ପାଦନ ହେଉଥିଲା। ଏବେ ବ୍ୟବସାୟ ବୁଡ଼ିଯାଇଥିବା ବେଳେ, ଗାଈକୁ ଦୈନିକ ଦାନା କିଭଳି ଯୋଗାଇବା ସହିତ ପରିବାର ପ୍ରତିପୋଷଣ କରିବେ ସେଥନେଇ ଚିନ୍ତାରେ ପଡ଼ିଥିବା ଦୀପୁ କହିଛନ୍ତି।
ସୋଲପଟା ଗ୍ରାମ ତଥା ପଞ୍ଚାୟତରେ ୪୦୦ରୁ ଅଧିକ ପରିବାର ରହିଥିବା ବେଳେ, ପାଖାପାଖି ୩୦୦ ପରିବାର ଓ ମାଛିପଡ଼ା ପଞ୍ଚାୟତରେ ୪୦୦ରୁ ଅଧିକ ପରିବାର ହୋଇଥିବା ବେଳେ, ଏଥିରୁ ପାଖାପାଖି ୨୦୦ ପରିବାର କ୍ଷୀର ତଥା ଛେନା, ଛେନାପୋଡ଼ ବ୍ୟବସାୟ ଉପରେ ନିର୍ଭରଶୀଳ। କରୋନା ମାଡ଼ ଏମାନଙ୍କର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ନୟାଗଡ଼ରେ ପୋଡ଼ ବ୍ୟବସାୟୀଙ୍କର ସଂଘ ନଥିବାରୁ ସରକାରଙ୍କ ନିକଟରେ ସେମାନଙ୍କର ଦାବି ଉପସ୍ଥାପନ କରି ପାରୁନାହାନ୍ତି। ଲକ୍ଡାଉନ୍ ପାଇଁ ପୋଡ଼ ବ୍ୟବସାୟୀ, ଦୁଗ୍ଧ ଉତ୍ପାଦନକାରୀ ଗୋଶାଳା ମାଲିକ କ୍ଷତି ସହିଥିବାରୁ ସରକାର ସେମାନଙ୍କୁ ସହାୟତା ଦେବାକୁ ‘ସମ୍ବାଦ’ ଜରିଆରେ ଏହି ପରିବାରଗୁଡ଼ିକ ନିବେଦନ କରିଛନ୍ତି।