ନୟାଗଡ଼/ଦଶପଲ୍ଲା: ଶିକାରୀ ଓ ମାଫିଆଙ୍କ କପ୍ଳାରେ ଦଶପଲ୍ଲା ବନାଚଂଳ। ଏହି ବନାଚଂଳରେ ଶିକାରୀମାନେ ସକ୍ରିୟ ଥିବାନେଇ ବିଭିନ୍ନ ସମୟରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇ ଆସୁଥିବା ବେଳେ ଏସ୍‌ଟିଏଫ୍ ପଞ୍ଝାରେ ଗତକାଲି ପୁଣି ଜଣେ ବାଘ ଶିକାରୀ ପଡିଛି। ତାଠାରୁ ଏସଟିଏଫ୍ ୨ଟି କଲରାପତରିଆ ବାଘ ଛାଲ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ସାମଗ୍ରୀ ଜବତ କରିଥିବା ଦର୍ଶାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ଦଶପଲ୍ଲା ଥାନା ଭୋଗବାଡି ଗ୍ରାମର ଗୋପାଳ ମାଝିଙ୍କ ପୁଅ ଭାଗବତ ମାଝି ଓରଫ୍ ରମେଶ।

Advertisment

ସୂଚନା ଅନୁଯାୟୀ ଗତକାଲି ରମେଶ ଦଶପଲ୍ଲା ସଦର ସେକ୍ସନ ଅଧୀନସ୍ଥ କୁଆଁରିଆ ଡ୍ୟାମ ଠାରେ ଏସବୁ ସାମଗ୍ରୀ ବିକ୍ରୟ କରିବା ପାଇଁ ଡିଲ୍ କରୁଥିଲା। ଏହି ସମୟରେ ଏସ୍‌ଟିଏଫ୍ ପକ୍ଷରୁ ତାଙ୍କୁ କାବୁ କରି ନିଆଯାଇଥିଲା। ତାଙ୍କୁ ଗିରଫ କରାଯିବା ପରେ ଦଶପଲ୍ଲା ଜେଏମ୍ଏଫସିଙ୍କ ନିକଟରେ ଆଜି ହାଜର କରାଯାଇଛି। ଜାମିନ ନାମାଞୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ହେଲେ ଅଭିଯୁକ୍ତ ଜଣଙ୍କ କେଉଁଠାରେ ଶିକାର କରିଛି ଓ ଏଥିରେ କିଏକିଏ ସଂପୃକ୍ତ ଅଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ। ବଡକଥା ହେଉଛି ଦଶପଲ୍ଲା ବନାଚଂଳରୁ ବାଘଛାଲ ସମେତ ଏତେ ସଂଖ୍ୟକ ବନ୍ୟପ୍ରାଣୀ ସାମଗ୍ରୀ ଜବତହେବା ଘଟଣା ଉପରେ ନଜର ପକାଇଲେ ବନକର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଗତ ଦିନରେ ଏସ୍ଟିଏଫ୍ ମଧ୍ୟ ଏହି ବନାଚଂଳରୁ ବାଘ ଛାଲ ଜବତ କରିଥିବା ବେଳେ ଗତ କିଛିମାସ ତଳେ କନ୍ଧମାଳ ବନବିଭାଗ ମଧ୍ୟ ଜଣେ ଶିକାରୀଙ୍କୁ ଆସି ଗିରଫ କରି ନେଇଛି। ଏପରିକି ୨୦୧୫ରେ ଚଡେୟାପଲ୍ଲୀର ନଈବଣିଆରୁ ଏକ ହାତୀର ଗଳିତ ଶବ ଉଦ୍ଧାର କରାଯାଇଥିଲା। ବନବିଭାଗ ଏହି ଘଟଣାରେ ଗଣମାଧ୍ୟମକୁ ମିଛୁଆ ସଜାଇବାକୁ ବହୁ ଅପଚେଷ୍ଟା ମଧ୍ୟ କରିଥିଲା। ଶେଷରେ ଆରସିସିଏଫ୍ ଏବଂ ପିସିସିଏଫ୍ ଘଟଣାର ହସ୍ତକ୍ଷେପ ପରେ ସତ୍ୟତା ସାମ୍ମାକୁ ଆସିଥିଲା। ସଦର ସେକ୍ସନରେ କାର୍ଯ୍ୟରତ ଥିବା ବନପାଳ ଜ୍ୟୋତି ରଂଜନ ମାନସିଂଙ୍କ ସମେତ କିଛି ବନପାଳ ଏବଂ ବନରକ୍ଷୀ ନିଲମ୍ବିତ ହୋଇଥିଲେ। କିଛିବର୍ଷର ନିରବତା ପରେ ପୁଣି ହାତୀ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ବନପାଳ ଶ୍ରୀ ମାନସିଂଙ୍କୁ ମଧ୍ୟ ସଦର ସେକ୍ସନ ଦାୟିତ୍ବ ଦିଆଯାଇଛି। ଏଭଳିସ୍ଥିତିରେ ଗତକାଲି ସଦର ସେକ୍ସନର କୁଆଁରିଆ ଠାରୁ ଶିକାରୀ ଗିରଫ ହେବା ଏବଂ ବାଘଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହେବା ଘଟଣା ଏବେ ଦଶପଲ୍ଲା ଅଂଚଳରେ ବୁଦ୍ଧିଜିବୀ ଏବଂ ପରିବେଶବିତ୍‌ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।